ଆସନ୍ତାକାଲିଠାରୁ ରାଜ୍ୟର ଘରେ ଘରେ ହେବ କରୋନା ଯାଞ୍ଚ, ଦୁଆର ଦୁଆର ବୁଲିବେ ଆଶା ଦିଦି ଓ ଅଙ୍ଗନବାଡି କର୍ମୀ

କେନ୍ୟୁଜ୍ (ବ୍ୟୁରୋ): ଆସନ୍ତାକାଲିଠାରୁ ରାଜ୍ୟର ଘରେ ଘରେ ହେବ ସର୍ଭେ। ସବୁ ଗାଁ ଓ ସହରର ବସ୍ତିର ଘରକୁ ଯିବେ ଆଶା ଦିଦି ଓ ଅଙ୍ଗନବାଡୀ କର୍ମୀ। ଯାହାର ବି କୋଭିଡ୍ ଲକ୍ଷଣ ଦେଖାଯିବ ତାର ପରୀକ୍ଷା କରାଯିବ। ଏହି ଅଭିଯାନ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି, ଆଇସିଏମ୍‌ଆର ଗାଇଡ୍ ଲାଇନ ମୁତାବକ ଯେଉଁମାନଙ୍କ ଲକ୍ଷଣ ଦେଖାଯିବ କିମ୍ବା ଯେଉଁମାନେ ପଜିଟିଭ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବେ ସେମାନଙ୍କର ଟେଷ୍ଟିଂ ହେବ।

ବର୍ତ୍ତମାନ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ୨ ଲକ୍ଷ ପାର କରିଛି। ରାଜ୍ୟରେ ପ୍ରଥମ ୫୦ ହଜାର ଟେଷ୍ଟିଂ ପାଇଁ ୮ ସପ୍ତାହ ଲାଗିଥିଲା। ବର୍ତ୍ତମାନ ପ୍ରତି ୨ ସପ୍ତାହରେ ୫୦ ହଜାର ଟେଷ୍ଟିଂ ହେଉଥିବା ଏନ୍‌ଏଚ୍‌ଏମ୍ ନିର୍ଦ୍ଦେଶିକା କହିଛନ୍ତି। ଦେଶରେ ପ୍ରତି ୧୦ ଲକ୍ଷରେ ୪ ହଜାର ୩୦୫ ଜଣଙ୍କ ଟେଷ୍ଟିଂ ହେଉଥିବା ବେଳେ ରାଜ୍ୟରେ ଏ ସଂଖ୍ୟା ରହିଛି ୪ ହଜାର ୬୩୪। ଅର୍ଥାତ ଦେଶର ଟେଷ୍ଟିଂ ହାରଠାରୁ ଅଧିକ ରହିଛି ଓଡ଼ିଶାର ଟେଷ୍ଟିଂ ହାର।

ଏହାସହ ପ୍ରତି ଲକ୍ଷେ ଜନସଂଖ୍ୟାରେ ପଜିଟିଭ୍ ସଂଖ୍ୟାରେ ଓଡ଼ିଶାର ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ କମ୍ ରହିଛି। ଦିଲ୍ଲୀରେ ପ୍ରତି ଲକ୍ଷେ ଜନ ସଂଖ୍ୟାରେ ୨୦୫.୬ ପଜିଟିଭ ଥିବା ବେଳେ ଓଡ଼ିଶାରେ ଏ ସଂଖ୍ୟା ମାତ୍ର ୯. ୩ ରହିଛି। ମୃତ୍ୟୁ ସଂଖ୍ୟାରେ ମଧ୍ୟ ଦେଶରେ ସବୁଠାରୁ କମ୍ ମୃତ୍ୟୁ ଓଡ଼ିଶାରେ ହୋଇଛି। ଦିଲ୍ଲୀରେ ୬.୬ ଥିବା ବେଳେ ଓଡ଼ିଶା ଏ ସଂଖ୍ୟା ରହିଛି ମାତ୍ର ୦.୦୩। ସେହିପରି ରାଜ୍ୟରେ ସୁସ୍ଥ ହାର ମଧ୍ୟ ଦେଶର ସୁସ୍ଥ ହାରଠାରୁ ଅଧିକ ରହିଛି। ରାଜ୍ୟରେ ବର୍ତ୍ତମାନ ସୁସ୍ଥ ହାର ୭୦ ପ୍ରତିଶତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.