ଛାତ୍ରଙ୍କ ମୃତ୍ୟୁ ପରେ, ‘ମୋମୋ’ ଗେମକୁ ରୋକିବା ପାଇଁ ସର୍କୁଲାର ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର(କେନ୍ଯୁଜ୍) :‘ମୋମୋ’ ଗେମ୍କୁ ରୋକିବା ପାଇଁ ସର୍କୁଲାର ଜାରି କଲା କ୍ରାଇମ୍ବ୍ରାଞ୍ଚ । ହ୍ଵାଟ୍ସ ଆପରେ କୌଣସି ଅଜଣା ଲିଙ୍କ ଆସିଲେ ଡିଲିଟ୍ କରିବାକୁ କୁହାଯାଇଛି । କୌଣସି ଅଜଣା ଇନ୍ଭିଟେସନ୍ ଆସିଲେ ଆଭଏଡ୍ କରିବେ । କୌଣସି ଅଜଣା ନମ୍ବର ଏହି ଗେମ୍ ଖେଳିବା ପାଇଁ କହିଲେ, ସଙ୍ଗେ ସଙ୍ଗେ ଏହି ନମ୍ବରକୁ ବ୍ଳକ କରିବାକୁ କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି ।
ମୋମୋ ଗେମ୍ ଖେଳି ରାଉରକେଲାର ଚେତନ କୁମାର ନାମକ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେ ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସ ପଢୁଥିଲେ । ନିଜ ମୋବାଇଲରେ ଏହି ଖେଳକୁ ଡାଉନଲୋଡ୍ କରି ଖେଳୁଥିଲେ । ସେହି ଖେଳରେ ସେ ଏମିତି ମଜି ଯାଇଥିଲେ, ଯେ ରାଜଧାନୀରୁ ଟ୍ରେନରେ ଯାଇ ଚେନ୍ନାଇରେ ପହଞ୍ଚିଥିଲେ । ଖାଲି ତାହା ନୁହଁ ସେଠାରେ ଏକ ୬ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ ।
ଆହୁରି ପଢ଼ନ୍ତୁ: ବ୍ଲୁହେ୍ଵଲ ପରେ, ଏବେ ଆଉ ଖୁନୀ ଖେଳ ମୋମୋ ହ୍ଵାଟ୍ସଆପ୍ ଚ୍ୟାଲେଞ୍ଜ
ଚେତନଙ୍କ ଘର ରାଉରକେଲା ରେଲେଓ୍ଵ କଲେନୀ ଅଞ୍ଚଳରେ । ଗତ ୨୨ ତାରିଖ ଦିନ ଚେନ୍ନାଇ ପୋଲିସ, ଚେତନଙ୍କ ବଡ଼ ଭାଇଙ୍କୁ ଫୋନ୍ କରି, ସେ ଗୁରୁତର ଭାବେ ମେଡିକାଲରେ ଚିକିତ୍ସିତ ହେଉଥିବା କହିଥଲେ । ସେଠାରେ ପରିବାର ଲୋକ ପହଞ୍ଚିବା ପରେ, ତାଙ୍କ ମୃତ୍ୟୁ ଖବର ଦେଇଥିଲେ । ଚେତନଙ୍କ ମୋବାଇଲ ଫୋନକୁ ପୋଲିସ ଲାପଟପ୍ ସହ ସଂଯୋଗ କରି, ମୋମୋ ଚ୍ୟାଲେଞ୍ଜ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲା ।