ଏଣିକି ଲୁଚାଇ ପାରିବେନି ଅପରାଧ, ନିର୍ବାଚନ ପୂର୍ବରୁ ଦାଗୀ ପ୍ରାର୍ଥୀ ବିଜ୍ଞାପନ ଦେଇ କହିବେ ‘ହଁ ମୁଁ ଜଣେ ଅପରାଧୀ’

ବାଜି ସାରିଛି ନିର୍ବାଚନ ବିଗୁଲ୍ । ଗ୍ରୀଷ୍ମ ତାତିଠୁ ବଳିଯାଇଛି ରାଜନୈତିକ ପାଣିପାଗ । ଚଳିତ ଥର ୭ ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମେ’ ମାସ ୧୯ ତାରିଖରେ ହେବ ସପ୍ତମ ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ । ମେ’ ୨୩ ତାରିଖରେ ହେବା ମତଗଣନା । ନିର୍ବାଚନରେ ବାଜିମାତ୍ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ ।

ତେବେ ଲୋକସଭା ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଆଜିଠୁ ହୋଇଯାଆନ୍ତୁ ସାବଧାନ୍ । ଯଦି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ରହିଛି ତେବେ ଏହାକୁ ଲୁଚାଇ ପାରବନି । ଲୁଚାଇବା ତ ଦୂରର କଥା ଖବର କାଗଜ ଏବଂ ଟିଭିରେ ବିଜ୍ଞାପନ ଦେଇ ନିଜେ କହିବାକୁ ପଡିବ, ମୁଁ ଅପରାଧୀ ଏବଂ ମୋ ଉପରେ ଏହି ଏହି କେସ୍ ରହିଛି ।

ବିଜ୍ଞାପନ ବି ଥରେ ନୁହେଁ ତିନି ଥର ଦେବାକୁ ପଡିବ । ତେବେ ଯାଇ ଆପଣଙ୍କ ପ୍ରାର୍ଥୀତ୍ବକୁ ସଠିକ୍ ବୋଲି ଗଣାଯିବ । ଯଦି ଏପରି ନକରନ୍ତି ତେବେ ନିର୍ବାଚନ କମିଶନ୍ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ । କେବଳ ସେତିକି ନୁହେଁ ସେହି ରାଜନୈତିକ ଦଳ ମଧ୍ୟ ଉକ୍ତ ପ୍ରାର୍ଥୀଙ୍କ ବିଷୟରେ ଏପରି ବିଜ୍ଞାପନ ଟିଭି ଏବଂ ଖବରକାଗଜରେ ଦେବାକୁ ପଡିବ ।

ଏକ ରିପୋର୍ଟ ଅନୁଯାୟୀ, ୨୦୧୪ରେ ଜନତାଙ୍କ ଦ୍ବାରା ନିର୍ବାଚିତ ହୋଇଥିବା ସାଂସଦଙ୍କ ମଧ୍ୟରୁ ପ୍ରାୟ ୩୪ ପ୍ରତିଶତ ଅର୍ଥାତ୍ ୧୮୬ ଜଣ ସାଂସଦ ନିଜ ଶପଥ ପତ୍ରରେ ଖୁଲାସା କରିଥିଲେ ଯେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେହିପରି ୨୦୦୯ରେ ଏଭଳି ସାଂସଦଙ୍କ ସଂଖ୍ୟା ଥିଲା ୩୦ ପ୍ରତିଶତ ।

ସେହିପରି ଆଉ ଏକ ରିପୋର୍ଟ ଅନୁଯାୟୀ, ୪୮୫୬ ବିଧାୟକ ଏବଂ ସାଂସଦ ଅପରାଧିକ ମାମଲାରେ ଜଡିତ । ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ସାମ୍ପ୍ରଦାୟିକ ଦଙ୍ଗା, ଅପହରଣ ଏବଂ ମହିଳାଙ୍କ ପ୍ରତି ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗ ରହିଛି । ତେଣୁ ଏସବୁକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛି ନିର୍ବାଚନ କମିଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.