ଗୁଜରାଟ ବ୍ରିଜ୍ ଟ୍ରାଜେଡି ପରେ ଧବଳେଶ୍ୱର ଝୁଲା ପୋଲରେ ଲାଗିଲା କଟକଣା, ୬ଶହରୁ ୨୦୦କୁ କମିଲା କ୍ଷମତା

ଆଠଗଡ(କେନ୍ୟୁଜ୍): ଧବଳେଶ୍ୱର ଝୁଲା ପୋଲରେ ଲାଗିଲା କଟକଣା । ଗୁଜରାଟ ମଚ୍ଛୁ ନଦୀରେ ଝୁଲା ପୋଲ ଭୁଶୁଡ଼ିବା ପରେ କଟକଣା ଲଗାଯାଇଛି । ଝୁଲା ପୋଲର କ୍ଷମତା ୬ଶହ ଥିବାବେଳେ ଏହାକୁ କମାଯାଇ ୨୦୦ କରାଯାଇଛି । ୨୦୦୬ ମସିହାରେ ନିର୍ମିତ ହୋଇଥିଲା ଏହି ଝୁଲା ପୋଲ । ରକ୍ଷଣା ବେକ୍ଷଣା ଅଭାବରୁ ଏହାର କ୍ଷମତା କମାଯାଇଛି । ଝୁଲାପୋଲରେ ବୈଷୟିକ ତ୍ରୁଟି ଦେଖାଯିବା ପରେ କୋଲକାତରୁ ଏକ ବିଶେଷଜ୍ଞ ଦଳ ଆସି ଝୁଲାପୋଲର ତନ୍ନତନ୍ନ ଯାଞ୍ଚ କରିଛନ୍ତି ।
ସୂଚନା ଥାଉକି, ଗତକାଲି ଗୁଜରାଟରେ ମୋରବୀ ଜିଲ୍ଲାରେ ବ୍ରିଜ୍ ଟ୍ରାଜେଡି ଘଟଣା ଏବେ ଆତଙ୍କ ଖେଳାଇଛି। ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି । ଆଜି ସକାଳ ସୁଦ୍ଧା ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି ହୋଇଛି । ୧୭୭ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ୧୯ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେନା, ନୌସେନା, ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ, ମହିଳା ଓ ବୟସ୍କ ବ୍ୟକ୍ତି । ଗତକାଲି ସଂଧ୍ୟା ୬ଟା ୪୦ ମିନିଟରେ ଝୁଲା ପୋଲଟି ଭୁଶୁଡ଼ି ପଡ଼ିଥିଲା । ଅତ୍ୟଧିକ ଭିଡ଼ ହେବାରୁ ଝୁଲା ପୋଲଟି ଭାର ସମ୍ଭାଳି ନପାରି ଭୁଶୁଡ଼ି ପଡ଼ିଥିଲା ।