ପଶୁ ପକ୍ଷୀଙ୍କ ନିଶାରେ କଟକି ଝିଅ ସାଇନୀ, ଛାଡିଦେଲେ ମୋଟା ଅଙ୍କର ଚାକିରି
କଟକ (କେନ୍ୟୁଜ) : ଆପଣ ପଶୁପକ୍ଷୀଙ୍କୁ କେତେ ଭଲ ପାଆନ୍ତି। ଆପଣ ମାନଙ୍କ ଭିତରୁ ଅନେକ ଜଣ ଥିବେ ଯେଉଁମାନେ ପଶୁ ପ୍ରେମୀ ଥିବେ। କିନ୍ତୁ କିଏ କଣ ପଶୁପକ୍ଷୀଙ୍କ ପାଇଁ ଚାକିରି ଛାଡିପାରେ। ବିଶ୍ୱାସ ହେଉନି ନା, କିନ୍ତୁ ଏହା ବିଲକୁଲ ସତ। ପଶୁପକ୍ଷୀଙ୍କ ସେବା ପାଇବା ପାଇଁ ମୋଟା ଅଙ୍କର ଚାକିରି ଛାଡି ଦେଇଛନ୍ତି ସାଇନୀ ଆଉ କରିଦେଇଛନ୍ତି ପଶୁପକ୍ଷୀଙ୍କ ସେବାରେ ସମର୍ପିତ।
ସେବା କରିବାର ଇଚ୍ଛା ଆଗରେ ସବୁକିଛି ତୁଚ୍ଛ, ମନ ଭିତରେ ଇଚ୍ଛା ଥିଲେ ସବୁକିଛି ହୋଇପାରେ ସମ୍ଭବ। ବେଙ୍ଗାଲୁରୁରେ ଭଲ ଚାକିରୀ କରିଥିବା ସାଇନି, ଚାକିରୀ ଛାଡି ଏବେ କରୁଛନ୍ତି ପଶୁପକ୍ଷୀଙ୍କ ସେବା। ଇଏ ହେଉଛନ୍ତି କଟକ ବିଡାନାସି ଲକ୍ଷ୍ମୀ ନଗରରେ ରହୁଥିବା ସର୍ବେଶ୍ୱର ମିଶ୍ର ଓ ମଞ୍ଜୁଲତା ମିଶ୍ରଙ୍କ ଝିଅ ସାଇନୀ ମିଶ୍ର। ଛୋଟ ବେଳରୁ ବୁଲା କୁକୁର, ଗାଈ,ଷଣ୍ଢ,ବିଲେଇ ଓ ପକ୍ଷୀ ମାନଙ୍କ ସହ ରହିବା ଓ ସେମାନଙ୍କୁ ଖୁଆଇବାକୁ ଦେବାକୁ ବେଶ ପସନ୍ଦ କରନ୍ତି ସାଇନୀ। ଘରପାଖରେ ଓ ଆଖପାଖରେ ବୁଲା ଜୀବଜନ୍ତୁ ମାନଙ୍କର ସେବା କରିବା ଏକ ରକମର ନିଶା ପାଲଟି ଯାଇଥିଲା ତାଙ୍କ ପାଇଁ।
କିନ୍ତୁ ଏହି ଇଚ୍ଛା ତାଙ୍କର ସେତେବେଳେ ଜିଦରେ ପରିଣତ ହୋଇଗଲା ଯେତେବେଳେ ଗୋଟିଏ ପଶୁ ରୋଗରେ ଆକ୍ରାନ୍ତ ହେଲା ଆଉ ଦୁର୍ଘଟଣାରେ ଆହତ ହେଲା। ସେତେବେଳେ ମନକୁ ସମ୍ଭାଳି ପାରିଲେନି ସାଇନି। ଆଉ ଖାସ୍ ଏହି କାରଣ ପାଇଁ ୨୦୧୭ ମସିହାରୁ ଆରମ୍ଭ କରିଦେଲେ ପଶୁପକ୍ଷୀ ଚିକିତ୍ସା କାର୍ଯ୍ଯ। ଏହାରି ଭିତରେ ୨୦୧୮ ମସିହାରେ ତାଙ୍କର ଫାଇନାନ୍ସ ଏମବିଏରେ ପାଠପଢ଼ା ଶେଷ କଲେ। ଆଉ କ୍ଯାମ୍ପସରେ ଚାକିରୀ ବି କଲେ। ବେଙ୍ଗାଲୁରୁର ଏକ ଆଇଟି କମ୍ପାନୀ ଇନ୍ଫୋର୍ସ ଇନ୍ଫୋ ସିଷ୍ଟମରେ। ମୋଟା ଅଙ୍କର ଦରମାରେ ଚାକିରୀ କରିଥିଲେ ସାଇନି। କିନ୍ତୁ କିଛି ମାସ ଚାକିରୀ କରିବା ପରେ ପଶୁପକ୍ଷୀଙ୍କ ସେବା କଥା ମନେ ପଡ଼ିଗଲା ଆଉ ନିଜକୁ ସମ୍ଭାଳି ନପାରି ଚାକିରୀ ଛାଡି ବେଙ୍ଗାଲୁରୁରୁ ଆସି ପହଞ୍ଚିଗଲେ କଟକରେ।
ତୁରନ୍ତ ପୁନର୍ବାର ଆରମ୍ଭ କରିଦେଲେ ତାଙ୍କର ପଶୁ ସେବା କାର୍ଯ୍ଯ। ଏହି ସେବା କାର୍ଯ୍ଯକୁ ବ୍ଯାପକ କରିବା ପାଇଁ ଶୁଶ୍ରୁସା ୱେଲ ଫେୟାର୍ ଫାଉଣ୍ଡେସନ ନାମକ ଏକ ସଂସ୍ଥା ଆରମ୍ଭ କଲେ ସାଇନୀ। ଏହି ସଂଗଠନ ମାଧ୍ୟମରେ କଟକ ସହରର ବିଭିନ୍ନ ଅଞ୍ଚଳ ମାନଙ୍କରେ ରହୁଥିବା ପଶୁପ୍ରେମି ମାନଙ୍କୁ ଯୋଡି ସେବା କାର୍ଯ୍ଯ ଆରମ୍ଭ କରିଦେଲେ। ନିଜ ଘରେ ଆହତ କୁକୁର,ବିଲେଇଙ୍କ ଚିକିତ୍ସା କରନ୍ତି ସାଇନୀ। ତେବେ ଜୀବନ ଥିବା ପର୍ଯ୍ଯନ୍ତ ଏହିଭଳି ସେବା ଜାରି ରଖିବା ସହ ଆଗକୁ ପଶୁ ପକ୍ଷୀଙ୍କ ସେବାଶ୍ରମ ମଧ୍ୟ ତିଆରି କରିବାକୁ ଲକ୍ଷ ରଖିଛନ୍ତି ସେ।
ପଶୁ ପକ୍ଷୀଙ୍କ ସେବା କରିବାକୁ ଚାକିରୀ ଛାଡି ଆସିଯିବା ପରେ ମଧ୍ୟ ପରିବାର ପକ୍ଷରୁ କୌଣସି ବିରକ୍ତି ପ୍ରକାଶ କରାଯାଇ ନଥିଲା ବରଂ ସାଇନୀଙ୍କୁ ସହଯୋଗ କରିଥିଲେ ପରିବାର ଲୋକେ। ସାଇନୀ କରୁଥିବା ଏହି ମହତ କାର୍ଯ୍ଯରେ ତାଙ୍କର ବାପା ଓ ବଡ଼ ଭାଇ ବେଶ ସହଯୋଗ କରନ୍ତି। ଏହା ସହ ସାଇନୀଙ୍କୁ ତାଙ୍କର ଏପରି କାର୍ଯ୍ଯରେ ଆଗକୁ ସହଯୋଗ କରିବେ ବୋଲି କୁହନ୍ତି ମା। ସାଇନୀ କୁହନ୍ତି ଜୀବନ ଥିବା ଯାଏଁ ଏଇଭଳି ସେବା କରୁଥିବି। ଆଉ ଯଦି ଆଗକୁ ସରକାରଙ୍କ ସହାୟତା ମିଳି ପାରନ୍ତା ତାହାଲେ ସେ ଭଲ ଭାବରେ ସେବା କାର୍ଯ୍ଯ କରିବା ସହ ଆହୁରି ଅନେକ ପଶୁ ପକ୍ଷୀଙ୍କୁ ଉଦ୍ଧାର କରିପାରନ୍ତେ।