ରାଇରଙ୍ଗପୁରରେ ସିମ୍ ସ୍ବାପ ଠକ, ଗୁଜୁରାଟରୁ ସାଇବର ପୋଲିସ ଓଡିଶା ଆସି କଲା ଗିରଫ

ରାଇରଙ୍ଗପୁର(କେନ୍ୟୁଜ୍):ସାବଧାନ,ମାତିଛନ୍ତି ସାଇବର ଠକ, ଆପଣ ବି ହୋଇପାରନ୍ତି ସିମ ସ୍ବାପ୍ ଫ୍ରଡ଼ର ଶିକାର ।  ଟିକିଏ ଅସାବଧାନତା ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟକୁ ଖାଲି କରିଦେଇପାରେ ।  ଓଡ଼ିଶାର ବଡ ବଡ଼ ସହର ନୁହେଁ ଏବେ ଗାଁ ଗଣ୍ଡାରେ ମଧ୍ୟ ସାଇବର ଠକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ସାଇବର ଠକ ସକ୍ରିୟ।ରାଇରଙ୍ଗପୁରରେ ବସି ସାଇବର ଠକ ସିମ ସ୍ବାପ୍ ମାଧ୍ୟମରେ ବିଭିନ୍ନ ରାଜ୍ଯର ବ୍ଯାଙ୍କ ଆକାଉଣ୍ଟ ହ୍ଯାକ କରୁଛନ୍ତି । ଗୁଜୁରାଟ ବାଡ଼ଦୋରା ଥାନା ଅଞ୍ଚଳର ଜଣେ ବ୍ଯକ୍ତିଙ୍କ ବ୍ଯାଙ୍କ ଆକାଉଣ୍ଟରୁ ୪୬ ଲକ୍ଷ ଲୁଟ କରିବା ପରେ ଗୁଜୁରାଟର ସାଇବର କ୍ରାଇମ ପୋଲିସର ୩ଜଣିଆ ଟିମ ରାଇରଙ୍ଗପୁର ପହଞ୍ଚିଥିଲେ। ଆଉ ରାଇରଙ୍ଗପୁର ଟାଉନ ଥାନା ପୋଲିସର ସହାୟତରେ ଧରିଥିଲେ ଦୁଇ ସାଇବର ଠକଙ୍କୁ ।

ଛୋଟ ସହରରେ ଲୁଚି ରହିଥିବା ବଡ ସାଇବର ଠକଙ୍କୁ ଧରିବା ସହ ଠକେଇ ଗ୍ଯାଙ୍ଗର ପର୍ଦ୍ଦାଫାଶ କରିଛି ଗୁଜୁରାଟ ସାଇବର କ୍ରାଇମ ପୋଲିସ । ସୂଚନା ଅନୁଯାୟୀ, ଗୁଜୁରାଟ ବଡୋଦରା ଅଞ୍ଚଳର  ଜନୈକ ବ୍ଯକ୍ତି ଏହି ଗ୍ଯାଙ୍ଗ ଦ୍ୱାରା ସିମ ସ୍ବାପ୍ ଫ୍ରଡ଼ର ଶିକାର ହେବା ପରେ ତାଙ୍କ ଆକାଉଣ୍ଟରୁ ୪୬ ଲକ୍ଷ ଟଙ୍କା ଗାୟବ ହୋଇଯାଇଥିଲା । ଅଭିଯୋଗପରେ ଗୁଜୁରାଟ ସାଇବର କ୍ରାଇମ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଛାନ ଭିନ ଚଳାଇଥିଲା । ପରେ ରାଇରଙ୍ଗପୁର ପହଞ୍ଚି ସ୍ଥାନୀୟ ପୋଲିସର ସହାୟତାରେ ସାଇବର କ୍ରାଇମରେ ସମ୍ପୃକ୍ତ ଦୁଇ ଠକଙ୍କୁ ଧରିବାରେ ସଫଳ ହୋଇଥିଲା ଗୁଜୁରାଟ ପୋଲିସ । ରାଇରଙ୍ଗପୁର କୋର୍ଟରେ ଟ୍ରାନଜିଟ ରିମାଣ୍ଡ ପାଇଁ ଆବେଦନ କରି ଦୁଇ ଠକଙ୍କୁ ଗୁଜୁରାଟ ପୋଲିସ ନିଜ ହେପଜାତକୁ ନେଇ ଗୁଜୁରାଟକୁ ନେଇଯାଇଥିବା ଜଣାପଡିଛି ।

ଦୁଇ ସାଇବର ଠକ ହେଲେ ତିରିଂ ଥାନା ସାନଡାଳିମାର ମନୋଜ ମଣ୍ଡଳ ଓ ବାଦାମପାହାଡ ଥାନା ଉକାମର ରତିକାନ୍ତ ମହାନ୍ତ । ରତିକାନ୍ତ ମହାନ୍ତଙ୍କ ରାଇରଙ୍ଗପୁର ସ୍ଥିତ ଏକ ଘରୋଇ ବ୍ଯାଙ୍କ ଆକାଉଣ୍ଟଙ୍କୁ ୧୭ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ବେଳେ ବାକି ଟଙ୍କା ପଶ୍ଚିମବଙ୍ଗର ୪ଟି ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ସୂଚନା ଦେଇଛି ସାଇବର ପୋଲିସ । ସାଇବର ଠକେଇ ଗ୍ଯାଙ୍ଗର ଚେର ରାଇରଙ୍ଗପୁରରୁ ପଶ୍ଚିମବଙ୍ଗ ସହ ମଧ୍ୟ ଲିଙ୍କ ଥିବା ବେଳେ ସାଇବର କ୍ରାଇମରେ ଆହୁରି ଲୋକ ସାମିଲ ଥିବା କହିଛି ସାଇବର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.