ଅର୍ଥାଭାବରୁ ଘରକୁ ଫେରି ପାରିଲାନି ପୁଅର ମର ଶରୀର, ହାଇଦ୍ରାବାଦରେ ଶେଷକୃତ୍ୟ ସମ୍ପନ୍ନ କଲେ ସାଙ୍ଗମାନେ

ଯାଜପୁର ରୋଡ(କେନ୍ୟୁଜ୍):  ଅର୍ଥାଭାବରୁ ଫେରି ପାରିଲାନି ପୁଅର ମର ଶରୀର। ବାଧ୍ୟ ହୋଇ ହାଇଦ୍ରାବାଦରେ ଶେଷକୃତ୍ୟ ସମ୍ପନ୍ନ କଲେ ସାଙ୍ଗମାନେ। ଏଭଳି ଘଟଣା ଘଟିଛି ଯାଜପୁର ରୋଡ ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମରେ। ସାଙ୍ଗ ମାନଙ୍କ ସହ ଦଶହରା ଛୁଟି କାଟିବାକୁ ଯାଇ ଫେରିଲାନି ପୁଅ। ପୂଜା ଛୁଟିରେ ରାଜ୍ୟ ବାହାର ହାଇଦ୍ରାବାଦକୁ ସାଙ୍ଗ ସାଥି ମାନଙ୍କ ସହ ଯାଇଥିବା ବେଳେ ହଠାତ୍ ସ୍ୱାସ୍ଥ୍ୟ ବିଗିଡିବାରୁ ମେଡିକାଲରେ ଭର୍ତି ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ଜଣେ ଡିପ୍ଲୋମା ଇଂଜିନିୟରିଂ ଛାତ୍ର। ତିନି ଦିନ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ଶେଷରେ ଗତକାଲି ମଧ୍ୟାହ୍ନରେ ଆଖି ବୁଜିଛନ୍ତି ଯାଜପୁର ରୋଡ ଥାନା ଅନ୍ତର୍ଗତ ପହଙ୍ଗା ପଞ୍ଚାୟତ ରାଉତରାପୁର ଗ୍ରାମର ବାବୁଲି ମଲିକ (୧୯)। ରାଉତରାପୁର ଗ୍ରାମର ଦଶରଥ ମଲିକଙ୍କ ସାନ ପୁଅ ବାବୁଲି ଗ୍ରାମ ନିକଟରେ ଥିବା ତରାପୁର ପଲିଟେକନିକରେ ମେକାନିକାଲ ବିଭାଗରେ ପ୍ରଥମ ବର୍ଷ ଛାତ୍ର ହୋଇଥିବା ବେଳେ ଗ୍ରାମର କିଛି ଯୁବକ ମାନଙ୍କ ସହିତ ପୂଜା ଛୁଟି କାଟିବାକୁ ହାଇଦ୍ରାବାଦ ଯାଇଥିଲେ। ତେବେ ହଠାତ୍ ୭ ତାରିଖ ଦିନ କୌଣସି କାରଣରୁ ବାବୁଲିର ବାନ୍ତି ଓ ଝାଡ଼ା ହେବାରୁ ସାଙ୍ଗ ମାନେ ତାଙ୍କୁ ସେଠାକାର ଏକ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ବାବୁଲି ସ୍ଵାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଥିଲା। ଗୁରୁବାର ଦିନ ୧୨. ୩୦ ସମୟରେ ବାବୁଲିର ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ବାବୁଲିର ପରିବାରର ଆର୍ଥିକ ସମ୍ବଳ ଠିକ୍ ନଥିବା ବେଳେ ସାଙ୍ଗ ମାନଙ୍କ ପାଖରେ ଯାହା କିଛି ଟଙ୍କା ଥିଲା ତାହା ବାବୁଲି ଚିକିତ୍ସାରେ ଖର୍ଚ୍ଚ ହୋଇଜିବାରୁ ଅର୍ଥ ଅଭାବ କାରଣରୁ ବାବୁଲିର ମର ଶରୀରକୁ ଗାଁ କୁ ଆଣି ନପାରି ପରିବାର ଲୋକଙ୍କ ସହମତିରେ ସାଙ୍ଗମାନେ ସେଠାରେ ଶବ ଦାହ କରିଦେଇଥିବା ଜାଣିବାକୁ ମିଳିଛି।ବାବୁଲିଙ୍କ ବାପା ଦଶରଥ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ବୟସ ହୋଇଯିବାରୁ ପୂର୍ବ ଭଲି ପରିଶ୍ରମ କରିପାରୁ ନାହାନ୍ତି। ମୃତ ବାବୁଲି ନିଜେ ପାଠ ପଢ଼ା କରିବା ସହ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ। ଘର ପାଖ ୨ ଜଣ ସାଥୀ ଓ ଜଣେ ସମ୍ପର୍କିୟ ବନ୍ଧୁଙ୍କ ସହ ଚଳିତ ମାସ ୩ ତାରିଖ ଦିନ ହାଇଦ୍ରାବାଦ ବୁଲିବାକୁ ଯାଇଥିଲେ ବାବୁଲି। ବାବୁଲିର ମୃତ୍ୟୁ ପରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବାବେଳେ ଭେଣ୍ଡିଆ ପୁଅକୁ ହରାଇ ବାପା ଦଶରଥ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.