ଶିକ୍ଷାମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିନରେ ଯୋଗଦେଇ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା: ଅମୃତ କାଳରେ ବିଶ୍ୱର ନେତୃତ୍ୱ ନେବ ଭାରତ

କେନ୍ୟୁଜ୍(ବ୍ୟୁରୋ): ଦେଶର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବ । ଏହି ଉଚ୍ଚମାନର ସ୍କୁଲ ଜାତୀୟ ଶିକ୍ଷା ନୀତି -୨୦୨୦ (ଏନଇପି)ର ପ୍ରୟୋଗଶାଳା ହେବ ବୋଲି ଗୁରୁବାର ଗୁଜୁରାଟର ଗାନ୍ଧୀନଗରରେ ଆୟୋଜିତ ଦୁଇଦିନିଆ ରାଜ୍ୟ ଶିକ୍ଷା ମନ୍ତ୍ରୀ ମାନଙ୍କର ଜାତୀୟ ଶିକ୍ଷା ସମ୍ମିଳନୀରେ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଦ୍ୟାଳୟ ଶିକ୍ଷା ହେଉଛି ଜ୍ଞାନ ଆଧାରିତ ସମାଜ ପ୍ରତିଷ୍ଠାର ମୂଳଦୁଆ ଏବଂ ଜାତୀୟ ଶିକ୍ଷା ନୀତି ହେଉଛି ଜ୍ଞାନର ଦସ୍ତାବିଜ୍ । ଯେଉଁ ଦସ୍ତାବିଜ୍ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ସହ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଲକ୍ଷ୍ୟ ରଖିଛି । ଆମେ ଅମୃତ କାଳ ସମୟରେ ଉପନୀତ ହୋଇଛେ । ବିଶ୍ୱର କଲ୍ୟାଣ ପାଇଁ ପ୍ରତିବଦ୍ଧ ଥିବା ଭାରତକୁ ଜ୍ଞାନର ଅର୍ଥନୀତି ଭାବରେ ପ୍ରତିଷ୍ଠିତ କରିବା ପାଇଁ ଆମ ପାଇଁ ଆଗାମୀ ୨୫ ବର୍ଷ ମହତ୍ୱପୂର୍ଣ୍ଣ । ଆମେ ବସୁଧୈବ କୁଟୁମ୍ବକମରେ ବିଶ୍ୱାସ ରଖୁଥିବା ସଭ୍ୟତା । ଆମର ଦାୟିତ୍ୱ କେବଳ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ; ଏହି କଥାକୁ ଆମେ ହୃଦୟଙ୍ଗମ କରିବା ଆବଶ୍ୟକ । ଏକବିଂଶ ଶତାବ୍ଦୀରେ ସୁଯୋଗ ଓ ଆହ୍ୱାନ ପାଇଁ ଆମେ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନକୁ ସୁଦୃଢ଼ କରିବା ପାଇଁ ଟେକ୍ନୋଲୋଜିର ଲାଭ ନେବା ଉଚିତ୍ ।

ରାଷ୍ଟ୍ରୀୟ ଶିକ୍ଷା ନୀତିରେ ୫+୩+୩+୪ ଢାଂଚାରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ସହିତ ମାଧ୍ୟମିକ ସ୍କୁଲ ଶିକ୍ଷା, ନିରାପଦ ଓ ଉଚ୍ଚମାନର ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଗୁରୁତ୍ୱ, ଶିକ୍ଷକ ପ୍ରଶିକ୍ଷଣ ଏବଂ ପୌଢ଼ ଶିକ୍ଷା, ଦକ୍ଷତା ବିକାଶ ସହ ସ୍କୁଲ ଶିକ୍ଷାର ଏକୀକରଣ, ମାତୃଭାଷାକୁ ଗୁରୁତ୍ୱ ଦେବା ଭଳି ବିଭିନ୍ନ ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ ବୈଶ୍ୱିକ ନାଗରିକ ଭାବେ ପ୍ରସ୍ତୁତ କରିବା ପାଇଁ ସହାୟକ ହେବ । ଶିକ୍ଷା କ୍ଷେତ୍ରରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ବେଷ୍ଟ ପ୍ରାଟିସସେସ ଭାରତର ଯୁବବର୍ଗଙ୍କୁ ବିଶ୍ୱ ମାନବରେ ପରିଣତ କରିବାରେ ସହଯୋଗୀ ହେବ ।

dharmendra2

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ଜୁଲାଇ ୨୯ ତାରିଖରେ ଭାରତ ସରକାରଙ୍କ ଦ୍ୱାରା ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ପ୍ରଣୟନର ଦୁଇ ବର୍ଷ ପୂର୍ତି ହେବାକୁ ଯାଉଛି । ବିଗତ ୨ ବର୍ଷରେ ଜାତୀୟ ଶିକ୍ଷା ନୀତି ଆଧାରରେ ହୋଇଥିବା କାମର କ୍ରିୟାନ୍ୱୟନ, ବେଷ୍ଟ ପ୍ରାଟିସ, ଶିକ୍ଷା କ୍ଷେତ୍ରରେ ଦେଶର ପ୍ରାଥମିକତା ଉପରେ ଚର୍ଚ୍ଚା ଆଲୋଚନା କରିବା ପାଇଁ ବିଭିନ୍ନ ରାଜ୍ୟର ଶିକ୍ଷା ମନ୍ତ୍ରୀ ଓ ଅଧିକାରୀ ମାନେ ଜାତୀୟ ଶିକ୍ଷା ସମ୍ମିଳନୀରେ ଏକାଠୀ ହୋଇଛନ୍ତି । ଏହି ସମ୍ମିଳନୀରେ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଯଥା ଆଂଚଳିକ ଭାଷାକୁ ଗୁରୁତ୍ୱ, ଶିକ୍ଷାରେ ଟେକ୍ନୋଲୋଜିକୁ ବ୍ୟବହାର କରିବା ଏବଂ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନେବା ଉପରେ ଆଲୋଚନା କରାଯାଇଛି ।

ବିଭିନ୍ନ ରାଜ୍ୟର ଶିକ୍ଷା ମନ୍ତ୍ରୀ ଓ ଅଧିକାରୀମାନେ ବିଦ୍ୟା ସମୀକ୍ଷା କେନ୍ଦ୍ର, ଭାସ୍କରାଚାର୍ଯ୍ୟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ଆପ୍ଲିକେସନ୍ ଏବଂ ଜିଓ-ଇନଫର୍ମେଟିକ୍ସ, ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟି ଏବଂ ଦକ୍ଷତା ବିକାଶ ଆଧାରିତ ଅନୁଷ୍ଠାନକୁ ବୁଲି ଦେଖିଛନ୍ତି । ଟେକ୍ନୋଲୋଜି ମାଧ୍ୟମରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଏକବିଂଶ ଶତାବ୍ଦୀରେ ଜ୍ଞାନର ପରିଭାଷା, ଦକ୍ଷତା ବିକାଶ ସେଂଟରର ଆଧୁନିକ କ୍ଷେତ୍ରକୁ ଶିକ୍ଷାମନ୍ତ୍ରୀ ମାନେ ଅନୁଭବ କରିଛନ୍ତି । ଏପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଶିକ୍ଷା ମନ୍ତ୍ରୀଙ୍କୁ ନେଇ ଆୟୋଜିତ ଜାତୀୟ ଶିକ୍ଷା ସମ୍ମିଳନୀ ଜାତୀୟ ଶିକ୍ଷା ପରିସଂସ୍ଥାନକୁ ମଜଭୂତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଉଲ୍ଲେଖନୀୟ ଯେ, ଏହି ସମ୍ମିଳନୀରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଦକ୍ଷତା ବିକାଶ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଶିକ୍ଷା ମନ୍ତ୍ରୀ ଏବଂ ଶିକ୍ଷା ବିଭାଗ ସହ ସଂଶ୍ଲିଷ୍ଟ ପ୍ରତିନିଧି ଓ ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତାବ ପ୍ରସ୍ତୁତକାରୀ ପଦ୍ମବିଭୂଷଣ ଡ଼ା. କେ କସ୍ତୁରି ରଙ୍ଗନ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.