Below header

ରାଜ୍ଯରେ ଧୁମଧାମରେ ପାଳନ ହେଉଛି ଦୀପାବଳି ଏବଂ କାଳୀ ପୂଜା

ଭୁବନେଶ୍ବର (କେନ୍ଯୁଜ୍) : ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ ପ୍ରତୀକ ଦୀପାବଳି । ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ଚାରିଆଡ଼େ ରଙ୍ଗିନ ଆଲୋକ ଓ ଆତସବାଜିର ଧମାକା । କେହି କେହି ନିଆରା ଢ଼ଙ୍ଗରେ ପାଳିଛନ୍ତି ଆଲୋକର ପର୍ବ । ଘରେ ଘରେ ଜମିଛି ପିଠା, ମିଠାର ଆସର । ବାଣ-ଆତସବାଜୀର ଫୁଆରା ରାତିକୁ ଅଧିକ ରଙ୍ଗିନ କରିବ। ସେପଟେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ବି ଚାଲିଛି। ମାଆ କାଳୀଙ୍କ ଆବାହନୀ ମନ୍ତ୍ରରେ ମୁଖରିତ ମନ୍ଦିର-ମଣ୍ଡପ ।

diwali 2

ଚାରିଆଡ ରଙ୍ଗୀନ । ଝିଲମିଲ ଆଲୁଅରେ ଝଲସୁଛି କୋଠାବାଡ଼ି । ଆଲୋକର ପର୍ବକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଦିନ ସାରା ବାଣ କିଣାବିକା ହୋଇଥିଲା । ସନ୍ଧ୍ୟା ହେବା କ୍ଷଣି ଫୁଟାଇଥିଲେ ସମସ୍ତେ । ଢ଼ୋ ଢ଼ୋ ଶବ୍ଦରେ କମ୍ପିଥିଲା ଗାଁ ଦାଣ୍ଡ, ସହରର ଗଳିକନ୍ଦି । ଝାଗସୁଗୁଡ଼ା ଜିଲ୍ଲାରେ ବରିଷ୍ଠ ନାଗରିକ ଆଶ୍ରୟରେ ପାଳିତ ହୋଇଛି ଦୀପାବଳି । ଦୀପ ଲଗାଇବା ସହ ପୁରସ୍ପରକୁ ମିଠା ଖୁଆଇ ଦୀପାବଳି ଶୁଭେଚ୍ଛା ଜଣାଇଥିଲେ ଅନ୍ତେବାସୀ ।

ଦୀପାବଳିକୁ କେହି କେହି ନିଆରା ଢ଼ଙ୍ଗରେ ବି ପାଳିଛନ୍ତି । ପୁରୀରେ କୁଶଭଦ୍ରା ନିକଟ ଲୋଟସ୍‌ ରିସୋର୍ଟରେ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳିଛନ୍ତି ବିଦେଶୀ ପର୍ଯ୍ୟଟକ । ପୋଲାଙ୍ଗି ତେଲର ଦୀପ ଜାଳିବା ସହ କାଉଁରିଆ କାଠି ଜାଳି ବଡବଡିଆଙ୍କୁ ଡାକିଥିଲେ । ପଣ୍ଡାମୁଣ୍ଡାଇରେ ବୃକ୍ଷରୋପଣ କରି ନିଆରା ଢ଼ଙ୍ଗରେ ଆଲୋକର ପର୍ବରୁ ସ୍ୱାଗତ କରିଥିଲେ ଅଞ୍ଚଳବାସୀ । ଭୁବନେଶ୍ୱର ଭରତପୁରର ଲୁଇସ୍‌ ବର୍ଲି ବ୍ଲାଇଣ୍ଡ ସ୍କୁଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଥିଲେ ଓଡ଼ିଆ ସେଲିବ୍ରିଟି ।

diwali 3

ସେପଟେ ଦୀପାବଳିରେ ଧରାବତରଣ କରିଛନ୍ତି ମାଆ କାଳୀ । ଉତ୍ସବମୁଖରିତ ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠ । ମହାକାଳୀ ବେଶରେ ଦର୍ଶନ ଦେଇଛନ୍ତି ମାଆ । ସେହିପରି ପୁରୀ ବୀରଗୋବିନ୍ଦପୁର ଓ ଚାନ୍ଦବାଲିର ମାଆ ଦକ୍ଷିଣକାଳୀଙ୍କ ପୀଠରେ ବି ଭକ୍ତିମୟ ପରିବେଶ ।

ପୌରାଣିକ କଥାବସ୍ତୁ ଅନୁଯାୟୀ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ ପରେ ଏହି ଦିନ ଅଯୋଧ୍ୟାକୁ ଫେରିଥିଲେ । ଆଉ ଅଯୋଧ୍ୟା ନଗରବାସୀ ଘରେ ଘରେ ଦୀପାଳି ଜଳାଇ ତାଙ୍କୁ ସ୍ୱାଗତ କରିଥିଲେ । ଦୀପ ଆଲୁଅରେ ଉଦଭାସିତ ହୋଇଥିଲା ସାରା ଅଯୋଧ୍ୟା । ସେବେଠୁ ପାଳନ ହୋଇ ଆସୁଛି ଦୀପାବଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.