ସଂସଦରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ: ଜାତୀୟ ଜଙ୍ଗଲ ନୀତିର ସଦ୍ୟତମ ଭର୍ସନ ଲାଗୁ କରିବାକୁ ସରକାରଙ୍କର ପ୍ରସ୍ତାବ ଅଛି କି ?

କେନ୍ୟୁଜ୍(ବ୍ୟୁରୋ):  ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ଆଜି ଲୋକସଭାରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଅଣତାରକା ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ରଖିଥିଲେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ଡକ୍ଟର ସାମନ୍ତ ପ୍ରଶ୍ନ କରିଥିଲେ, ଜାତୀୟ ଜଙ୍ଗଲ ନୀତିର ସଦ୍ୟତମ ଭର୍ସନ ଲାଗୁ କରିବାକୁ ସରକାରଙ୍କର ପ୍ରସ୍ତାବ ଅଛି କି ? ଯଦି ଅଛି, କେଉଁ ସମୟ ଭିତରେ ଲାଗୁ କରିବେ ? ମନ୍ତ୍ରୀଙ୍କ ଉତ୍ତର ଥିଲା, ଦେଶରେ ଜଙ୍ଗଲ ସଂରକ୍ଷଣ, ସୁରକ୍ଷା ଏବଂ ପରିଚାଳନା ୧୯୮୮ ଜାତୀୟ ଜଙ୍ଗଲ ନୀତି ଅନୁସାରେ ଚାଲିଛି । ଏଥିରେ ପରିବର୍ତ୍ତନ ପାଇଁ ଜଙ୍ଗଲ ପରିବେଶ ମନ୍ତ୍ରାଳୟ ଚିଠା ପ୍ରସ୍ତୁତ କରିଛି ।

ଲୋକଙ୍କ ଜୀବିକାରେ ବିକାଶ ଆଣିବା, ପ୍ଲାଣ୍ଟେସନ୍‌ରେ ଉତ୍ପାଦକତା ବୃଦ୍ଧି କରିବା, ଜଳ ଏବଂ ପର୍ଯ୍ୟାବରଣ ସୁରକ୍ଷା ପାଇଁ ଜଙ୍ଗଲ ପରିଚାଳନା, ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ୱ ଦିଆଯାଇଛି। ତେବେ ୧୯୮୮ ଜଙ୍ଗଲ ନୀତିରେ କେବେ ପରିବର୍ତ୍ତନ ହେବ ସେ ନେଇ କୌଣସି ସମୟ ସୀମା ସ୍ଥିର କରାଯାଇ ନାହିଁ । ସାଂସଦଙ୍କ ଦ୍ୱିତୀୟ ପ୍ରଶ୍ନ ଥିଲା, ଜଙ୍ଗଲ କ୍ଷୟ ହୋଇଥିବା ସ୍ଥାନରେ ବନୀକରଣ କାର୍ଯ୍ୟକ୍ରମ ପାଇଁ ପବ୍ଳିକ-ପ୍ରାଇଭେଟ୍‌ ପାର୍ଟନରସିପ୍‌ ଉପରେ ସରକାର ବିଚାର କରୁଛନ୍ତି କି ? ମନ୍ତ୍ରୀଙ୍କ ଉତ୍ତର ଥିଲା, କାଠ ଏବଂ ଅନ୍ୟ ଜଙ୍ଗଲ ଉତ୍ପାଦର ଆମଦାନୀ ହ୍ରାସ ପାଇଁ ଜଙ୍ଗଲ ଅବକ୍ଷୟ ହୋଇଥିବା ଅଞ୍ଚଳରେ ବୃକ୍ଷ ରୋପଣକୁ ଜାତୀୟ ଜଙ୍ଗଲ ନୀତି ଚିଠାରେ ଗୁରୁତ୍ୱ ଦିଆଯାଇଛି।

ଜଙ୍ଗଲ ବାହାରେ , ରାଜସ୍ୱ ଜମି ଏବଂ ଜଙ୍ଗଲ ଜମି ଭାବେ ବିଜ୍ଞପିତ ହୋଇନଥିବା ଜମି, ବନ୍ୟଜନ୍ତୁଙ୍କ ବସତି ନଥିବା ଅବକ୍ଷୟମୁଖୀ ଜଙ୍ଗଲ, ବିଭିନ୍ନ ସ୍ଥାନୀୟ ସଂଗଠନ ଦ୍ୱାରା ପରିଚାଳିତ ଜଙ୍ଗଲ ଅଞ୍ଚଳରେ ବନୀକରଣ ପାଇଁ ଏକାଧିକ ଅଂଶୀଦାର ଭାଗ ନେଇ ପାରିବେ । ଡକ୍ଟର ସାମନ୍ତଙ୍କ ପରବର୍ତ୍ତୀ ପ୍ରଶ୍ନ ଥିଲା, ପିପିପି ମଡେଲ ଯେପରି ଆଦିବାସୀ ସଂପ୍ରଦାୟ ଏବଂ ବନବାସୀଙ୍କ ଉପରେ ନକରାତ୍ମକ ପ୍ରଭାବ ନପକାଏ, ତାକୁ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ କଣ ରହିଛି? ମନ୍ତ୍ରୀଙ୍କ ଉତ୍ତର ଥିଲା, ଅନୁସୂଚିତ ଜନଜାତି ଏବଂ ଅନ୍ୟ ପାରମ୍ପରିକ ବନବାସୀ ଆଇନ୍‌ ୨୦୦୬ ଏବଂ ପଞ୍ଚାୟତ (ସଂରକ୍ଷିତ ଅଞ୍ଚଳ ପରିବ୍ୟାପ୍ତ) ଆଇନ୍‌ ୧୯୯୬ରେ ଥିବା ବ୍ୟବସ୍ଥା ଓ ଗୋଷ୍ଠୀଗତ ଅଧିକାର ଯେପରି କ୍ଷୁଣ୍ଣ ନହୁଏ ତାକୁ ସୁନିଶ୍ଚିତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.