ସାଥୀ ହୋଇ ଭୋଜି କରିବାକୁ ଯାଇଥିଲେ ପାଞ୍ଚ ସାଙ୍ଗ ହେଲେ ଫେରିଲେ ତିନି ଜଣ

ଭୁବନେଶ୍ୱର (କେନ୍ୟୁଜ୍‌) : ସାଙ୍ଗ ପାଇଁ ନିଜ ଜୀବନକୁ ଖାତିର କଲାନି ଆଉ ଜଣେ ସାଙ୍ଗ। ସାଙ୍ଗ ବୁଡି ଯାଉଥିବା ଦେଖି ଡେଇଁ ପଡ଼ିଲା ପାଣିକୁ । ଆଉ ଗଭୀର ଜଳରେ ବୁଡ଼ିଗଲେ ଦୁଇଜଣଯାକ । ନେଇଗଲେ ସଲୀଳ ସମାଧି । ନୂଆ ବର୍ଷରେ ଚାକିରିରେ ଯୋଗ ଦେବ ବୋଲି ଖୁସି କହିଲେ ନସରେ । ତେଣୁ ସାଙ୍ଗମାନଙ୍କୁ ଭୋଜି ଦେବାକୁ ରାଜଧାନୀ ଠୁ ଦୂରକୁ ଯାଇଥିଲେ ପିକନିକ କରି ପାଞ୍ଚଜଣ ସାଙ୍ଗ। ଏମାନେ କାହିଁ ଜାଣିବେ କାଳ ଡାକି ନେଉଥିଲା ବୋଲି ।

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳର ପାଞ୍ଚ ଜଣ ସାଙ୍ଗ । ଏମାନେ ଭୋଜି କରିବା ପାଇଁ ଯାଇଥିଲେ ପିପିଲି ଥାନା କଣ୍ଟି ପଞ୍ଚାୟତ ଅନ୍ତର୍ଗତ ବାହାଳିପଡ଼ା ଗାଁ ନିକଟକୁ । ସେଠାରେ ଏକ ପାଣି ଭର୍ତ୍ତି ପଥର ଖଣି ପାଖକୁ ଯାଇଥିଲେ । ବାଙ୍ଗିରିପୋଷିର ଦେବରାଜ ସିଂ ନାମକ ଯୁବକ ଯିଏ କି ନୂଆ ଚାକିରି ପାଇଥିଲେ । ସେହି ଖୁସିରେ ଭୋଜିର ଆୟୋଜନ କରିଥିଲେ । ହେଲେ କିଏ ଜାଣିଥିଲା ଏହି ଭୋଜି ହେବ କାଳ । ଭୋଜି କରୁଥିବା ସମୟରେ ଦେବରାଜଙ୍କ ଚପଲ ଭାସିଗଲା ପାଣିରେ। ଚପଲ ଆଣିବାକୁ ଯାଇ ଖସି ପଡିଲେ ଦେବରାଜ ପାଣି ଭିତରେ । ଦେବରାଜ ବୁଡ଼ିଯିବା ଦେଖି ଉଦ୍ଧାର କରିବା ପାଇଁ ସାଙ୍ଗ ଅର୍ଚ୍ଚିତ ଗିରି ପାଣିକୁ ଡେଇଁ ପଡ଼ିଥିଲେ, କାରଣ ସେ ପହଁରା ଜାଣିଥିଲେ । ହେଲେ କାଳ କବଳରୁ ଉଠି ପାରିଲେ ନାହିଁ କେହି । ଦୁଇ ସାଙ୍ଗ ଫସିଗଲେ ପାଣିରେ । ଆଉ ଉଠି ପାରିଲେ ନାହିଁ । ଏହା ଦେଖି ଅନ୍ୟ ସାଙ୍ଗମାନେ ସ୍ଥାନୀୟ ଲୋକଙ୍କୁ ଚିତ୍କାର କରି ଡାକ ପକାଇଲେ । କିଛି ସମୟ ଭିତରେ ଦମକଳ ବାହିନୀ କର୍ମଚାରୀ ଆସି ପହଞ୍ଚିଗଲେ । ସେମାନଙ୍କୁ ଉଦ୍ଧାର କଲେ । ହେଲେ ଦୁଇ ଜଣ ଉଦ୍ଧାର ସିନା ହେଲେ କିନ୍ତୁ କେବଳ ସେମାନଙ୍କ ଶରୀର । ସେମାନଙ୍କ ଦେହରେ ଆଉ ଆତ୍ମା ନଥିଲା ।

ସେତେବେଳକୁ ମୃତ୍ୟୁ ଟାଣି ସାରିଥିଲା ଜୀବନ । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଦୁଇ ସାଙ୍ଗଙ୍କୁ ମୃତ ଘୋଷଣା କଲେ । ଦେବରାଜ ଇଞ୍ଜିନିଅର ଛାତ୍ର ଥିଲେ । ପ୍ରଥମ ଥର ଚାକିରି ଅଫର୍ ପାଇ ବେଶ୍ ଖୁସି ଥିଲେ । ନୂଆ ବର୍ଷରେ ନୂଆ ଜୀବନ ଆରମ୍ଭ ହେବ ଭାବି କେତେ ସ୍ବପ୍ନ ଦେଖିଥିଲେ । ବାପା ମାଆ ବି ପୁଅର ଏହି ସଫଳତା ପାଇଁ କେତେ ପରିଶ୍ରମ କରିଥିଲେ । କେତେ କେତେ ଖୁସିକୁ ଜଳାଞ୍ଜଳି ଦେଇଥିଲେ । ହେଲେ ସବୁ କିଛି ବୁଡିଗଲା ପଥର ଖଣି ପାଣିରେ। ….ବାପା ମାଆଙ୍କର ଗୋଟିଏ ବୋଲି ପୁଅ ଦେବରାଜ । ତାରି ପାଇଁ ସବୁ କିଛି ତ୍ୟାଗ କରିଥିଲେ ପରିବାର । କେତେ ଆଶା ଲଗାଇ ବସିଥିଲେ ପୁଅ ଉପରେ । ହେଲେ ସବୁକିଛି ଅଧା ରହିଗଲା ।
ସାଙ୍ଗ ଅର୍ଚ୍ଚିତ ମଧ୍ୟ ବ୍ୟାଙ୍କିଙ୍ଗ ପାଇଁ ପ୍ରସ୍ତୁତ ହେଉଥିଲେ । ଅର୍ଚ୍ଚିତ ବି ବାପା ମା’ଙ୍କର ଗୋଟିଏ ବୋଲି ପୁଅ । ଆଈଙ୍କ ଦେହ ଅସୁସ୍ଥ ଥିଲା ବୋଲି ବଡ ବ୍ୟସ୍ତ ହେଉଥିଲେ ସେ, ଦୁଇ ଦିନ ତଳେ ଅର୍ଚ୍ଚିତ ଆଈଙ୍କୁ ହସ୍ପିଟାଲ୍‌୍‌ରେ ଜଗିଥିଲେ ମଧ୍ୟ । ସେଇଠୁ ସାଙ୍ଗମାନଙ୍କ ସହ ପ୍ଲାନ୍ ହେଲା ପିକନିକ୍‌ ଯିବାକୁ। କାହାକୁ କିଛି ନଜଣାଇ ଚାଲିଗଲେ ଭୋଜି କରିବାକୁ । ସାଙ୍ଗମାନେ ମିଶି ଟିକେ ଖୁସି କରିବେ ଓ ଚୁପଚାପ ଫେରି ଆସିବେ । କେମିତି ଗଲେ କୁଆଡେ଼ ଗଲେ କାହାକୁ ଜଣାଇ ନଥିଲେ ଅର୍ଚ୍ଚିତ । ସାଙ୍ଗକୁ ବଞ୍ଚାଇବାକୁ ଯାଇ ନିଜେ ହଜିଗଲେ ପାଣିରେ। ଦୁଇ ସାଙ୍ଗ ନେଇଗଲେ ସଲିଳ ସମାଧି । ଅନୁମାନ କରନ୍ତୁ ଦର୍ଶକ ବନ୍ଧୁ କଣ ବିତୁଥିବ ବାପା ମା’ଙ୍କ ଉପରେ । ପିଲାମାନଙ୍କ ସାମାନ୍ୟ ମଜା ପାଇଁ ଜୀବନ ସାରା ସଜା ଭୋଗିବେ ଜନ୍ମଦାତା।

ଘରଠୁ ଦୂରରେ ରହି କୋଚିଂ ନେଉଥିବା ପିଲା ଧ୍ୟାନ ଦେଇ ଦେଖନ୍ତୁ ଏହି ଭିଡିଓ। ପିଲାଙ୍କୁ ସହରକୁ ପାଠ ପଢିବାକୁ ଛାଡିଥିବା ଅଭିଭାବକ ହୋଇ ଯାଆନ୍ତୁ ସାବଧାନ । ଯେଉଁ ପୁଅ ଝିଅଙ୍କ ପାଇଁ ଆପଣ ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି ସେ କରୁଛି କଣ, ନଜର ରଖନ୍ତୁ । ନଚେତ୍ କେତେବେଳେ ବି ଆପଣଙ୍କ ସ୍ବପ୍ନ ଲିଭି ଯାଇ ପାରେ, ଡୁବି ଯାଇ ପାରେ ଏଇଭଳି ଭାବରେ।

ଆମ ଭୁବନେଶ୍ଵର ପ୍ରତିନିଧି ରାଜା ଯେତେବେଳେ ହସ୍ପିଟାଲ୍‌୍‌ରେ ଏ ଦୃଶ୍ୟ ଦେଖିଲେ, କ୍ୟାମେରାରେ କଏଦ୍ କଲେ ଏ ଦୁଃଖଦ ଦୃଶ୍ୟ ସବୁ । ସାଙ୍ଗମାନେ ଝୁରୁଛନ୍ତି ସାଙ୍ଗଙ୍କୁ । ସମସ୍ତଙ୍କ ଆଖି ଭିଜିଛି । ଅନେକ ଦିନ ସାଙ୍ଗସାଥି ହୋଇ ସୁଖ ଦୁଃଖ ଏକାଠି ବାଣ୍ଟି ଥିଲେ । ସାଙ୍ଗକୁ ଆଜି ବିଦାୟ ଦେବାକୁ ମନ ମାନୁନି । ଯାହା ସହ କାଲି ଯାଏଁ ଏକାଠି ବୁଲୁଥିଲେ ଆଜି ତାକୁ ଛାଡ଼ିବାକୁ ପଡ଼ୁଛି ମଶାଣିରେ । ଏଭଳି ଦୃଶ୍ୟ ଯେବେ ଆମ ସାମ୍ନା କୁ ଆସିଛି ଆମେ ଆପଣଙ୍କୁ ଦେଖାଇବା ସହ ଅନୁରୋଧ କରିଛୁ ।

ଟିକେ ସାବଧାନ ରୁହନ୍ତୁ ଯୁବଗୋଷ୍ଠୀ । ଚପଲ, ମୋବାଇଲ୍ ଗାଡ଼ି ଚାବି ଯାହା ପାଣିରେ ଭାସି ଯାଉଛି ତା ପଛରେ ଯାଆନ୍ତୁ ନାହିଁ । ଯଦି କେହି ବୁଡ଼ି ଯାଉଛନ୍ତି ତେବେ ଉପରେ ରହି କୌଣସି ବାଡ଼ି, ଦଉଡ଼ି, ଲୁଗା ଆଦି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରନ୍ତୁ । ଅଜଣା ଜାଗାରେ ଗଭୀର ପାଣିକୁ ଓଲ୍ହାନ୍ତୁ ନାହିଁ। କାରଣ କଥାରେ ପରା ଅଛି ନିଜ ଗାଁ ମଶାଣି ଆଉ ପର ଗାଁ ପାଣିକୁ ଭରସା ନାହିଁ । ଭୁଲନ୍ତୁ ନାହିଁ ଆପଣଙ୍କ ଜୀବନ ସହ ଆହୁରି ଅନେକ ଜୀବନ ବନ୍ଧା ହୋଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.