Below header

ନବରଙ୍ଗପୁର: ସ୍ବାସ୍ଥ୍ଯ ବିଭାଗରୁ ୮ କର୍ମଚାରୀଙ୍କୁ ଛଟେଇ, ପୁନଃ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ନବରଙ୍ଗପୁର(କେନ୍ଯୁଜ୍): କରୋନା ମହାମାରୀ ସମୟରେ ଯୋଦ୍ଧା ହେଉଛନ୍ତି ସ୍ବାସ୍ଥ୍ଯ ବିଭାଗର କର୍ମଚାରୀ। କିନ୍ତୁ ଏହି କର୍ମଚାରୀଙ୍କୁ କାର୍ଯ୍ଯରୁ ଛଟେଇ କରିଛନ୍ତି ଜିଲ୍ଳା ପ୍ରଶାସନ। ସୂଚନା ମୁତାବକ ୨ଟି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରର ହେଲ୍ପ ଡେସ୍କରେ କାର୍ଯ୍ଯରତ ଥିବା ୮ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ବହିଷ୍କାର କରିବା ପାଇଁ ଗତକାଲି ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ନିର୍ଦେଶ ଦେଇଥିଲେ। ଏନେଇ ଆଜି ସେହି କର୍ମଚାରୀ ପୁନଃ ନିଯୁକ୍ତି ଦାବିରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହ ଯଦି ସେମାନଙ୍କୁ ଶୀଘ୍ର ନିଯୁକ୍ତି ଦିଆନଯାଏ ତେବେ ସେମାନେ ସପରିବାର ଅମାରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ମୁତାବକ ଗତ ୪ବର୍ଷ ତଳେ ନବରଙ୍ଗପୁର ଜିଳ୍ଲାର ୩ଟି ହସ୍ପିଟାଲରେ M.S Care Security କମ୍ପାନୀ ତରଫରୁ ଅସ୍ଥାୟୀ ଭାବରେ ହେଲ୍ପଡେସ୍କରେ ୧୯ଜଣ ସ୍ବେଚ୍ଛାସେବୀ ସହାୟତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହାପରେ ସେମାନେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ, ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ଏବଂ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ କାମ କରୁଥିଲେ। କିନ୍ତୁ ଗତକାଲି ନବରଙ୍ଗପୁର ଜିଲ୍ଲା ଚିକିତ୍ସାଧିକାରୀ ସନ୍ତୋଷ କୁମାର ସ୍ବାଇଁ ଉମରକୋଟ ଓ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ କାର୍ଯ୍ଯରତ ଥିବା ୮ଜଣ କର୍ମଚାରୀଙ୍କୁ ଚାକିରିରୁ ବହିସ୍କାର କରିବାକୁ ନିର୍ଦେଶ ଦେଇଥିଲେ। ଏଭଳି ପରିସ୍ଥିତିରେ ୮ଜଣ କର୍ମଚାରୀ ଚାକିରି ହରାଇଥିବାରୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନକରିବା ସହ ପୁନଃ ନିଯୁକ୍ତି ପାଇଁ ଦାବି କରିଛନ୍ତି। ଏନେଇ ଜିଲ୍ଲାପାଳ ସେମାନଙ୍କୁ ଆଗାମୀ ୧୦ ଦିନ ମଧ୍ଯରେ ସମସ୍ଯାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.