ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଉପରେ ଚଢ଼ିଗଲା ହାଇୱା ! ଘଟଣାସ୍ଥଳରେ ମୃତ୍ୟୁ

ଯାଜପୁର ଟାଉନ (କେନ୍ୟୁଜ): ସଡକ ଦୁର୍ଘଟଣାରେ ପୂର୍ବତନ ଯାଜପୁର ସାଂସଦ ଅନାଦି ଦାସଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଗାଡି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବାଇକରେ ଯାଉଥିବା ବେଳେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ଅର୍ଜୁନ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ ଉପରେ ଦ୍ରୁତଗତିରେ ଯାଉଥିବା ହାଇଓ୍ବା ମାଡ଼ି ଯାଇଥିବା କୁହାଯାଉଛି।

ଆଜି ବିଆରଏସ୍‌ ପକ୍ଷରୁ ଭୁବନେଶ୍ବରରେ ଆୟେଜିତ ଏକ କୃଷକ ସମ୍ମିଳନୀରେ ଯୋଗଦେବାକୁ ତାଙ୍କର ଜଣେ ସହଯୋଗୀଙ୍କ ସହିତ ଯାଉଥିଲେ। ଖରସ୍ରୋତା ବ୍ରିଜ ଉପରେ ତାଙ୍କର ଉପରେ ଏକ ବାଲିବୋଝେଇ ହାଇୱା ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଶ୍ରୀ ଦାସଙ୍କ ମୃତ୍ୟୁ ହୋଇଥିଲା। ସହଯୋଗୀ ଅନନ୍ତ ମହାନ୍ତି ଗୁରୁତର ହୋଇଥିଲେ। ଅନନ୍ତଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ଥିତି ଖରାପ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ, ଅର୍ଜୁନ ଚରଣ ଦାସ ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ୨୦୦୦ ଯାଏ କଂଗ୍ରେସ ଦଳରୁ ବିଧାୟକ ଥିଲେ। ନିକଟରେ ସେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ ଯାଇ କେ ଚନ୍ଦ୍ରଶୋଖର ରାଓଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ସାମିଲ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.