ପେସାରେ ପୋଲିସ କିନ୍ତୁ ନିଶା ତାଙ୍କର ଶିକ୍ଷକତା, ମାଗଣାରେ ପଢ଼ାଇ ଚର୍ଚ୍ଚାରେ ଦେବେନ୍ଦ୍ର ସାର୍‌

ନବରଙ୍ଗପୁର (କେନ୍ୟୁଜ) : ଗଣିତ ପଢ଼ା ଚାଲିଛି। ଶୃଙ୍ଖଳିତ ଭାବେ ଚାଲିଛି ପାଠପଢା । ଛାତ୍ର ଛାତ୍ରୀ ମାନେ ବି ମନଧ୍ୟାନ ଦେଇ ପାଠ ପଢ଼ୁଛନ୍ତି । ଦୁର୍ଗମ ଅଞ୍ଚଳର ଗରିବ ଅସହାୟ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ଏକ୍ସସାଇଜ୍‌ କନଷ୍ଟେବଳ। ହଁ ଆଜ୍ଞା, ଶିକ୍ଷାଦାନ କରୁଛନ୍ତି ଅବକାରୀ ବିଭାଗର କାର୍ଯ୍ୟରତ କନଷ୍ଟେବଳ ଦେବେନ୍ଦ୍ର ସମରଥ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କର୍ଚ୍ଚାମାଳ ଗାଁର ଦେବେନ୍ଦ୍ର ସମରଥ୍‌ । କର୍ତ୍ତବ୍ଯ ତାଙ୍କର ଅବକାରୀ ବିଭାଗରେ ଅସ୍ଥାୟୀ ଠିକା କର୍ମଚାରୀ ଭାବେ କାମ କରିବା କିନ୍ତୁ ନିଶା ହେଉଛି ଗରିବ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇବା । ମନରେ ପାଠ ପଢିବା ପାଇଁ ପ୍ରବଳ ଆଗ୍ରହ ଥିବାରୁ ଘରର ପ୍ରତିକୂଳ ଆର୍ଥିକ ପରିସ୍ଥିତି ସତ୍ତ୍ୱେ ଦେବେନ୍ଦ୍ର ୨୦୧୭ ମସିହାରେ ସିଟି କରିବା ସହ ରାଜ୍ଯ ସରକାରଙ୍କ ଶିକ୍ଷକ ଯୋଗ୍ଯତା ପରୀକ୍ଷା ବା ଓଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଶିକ୍ଷା ଗ୍ରହଣ ସରିବା ପରେ ନିଜ ଯୋଗ୍ଯତା ଅନୁସାରେ ଚାକିରୀ ଅନେ୍ଵଷଣରେ ଥିଲେ ଦେବେନ୍ଦ୍ର କିନ୍ତୁ ଶିକ୍ଷା ବିଭାଗ ଦ୍ୱାରା କୌଣସି ନୂତନ ଶିକ୍ଷକ ପଦବୀ ବାହାରି ନ ଥିବାରୁ ଘରର ଦୁର୍ବଳ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଅବକାରୀ କନେଷ୍ଟବଳ ଚାକିରୀରେ ଯୋଗଦାନ କରିଥିଲେ । ଠିକ ଏହି ସମୟରେ କରୋନା କାରଣରୁ ଦେଶରେ ଶିକ୍ଷା ଦାନ ବହୁମାତ୍ରାରେ ପ୍ରଭାବିତ ହୋଇ ଥିବା ବେଳେ ସ୍କୁଲ୍‌ କଲେଜ ମଧ୍ୟ ବନ୍ଦ ହୋଇଗଲା। ଫଳରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ବହୁମାତ୍ରାରେ ପ୍ରଭାବିତ ହେବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ପରିବାର ଲୋକେ ଅନେକ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ନିଜ ଗାଁର ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନରୁ ବଞ୍ଚିତ ହେଲେ ଏମିତିକି ଅନଲାଇନ ଶିକ୍ଷାରୁ ବଞ୍ଚିତ ହୋଇ ଖେଳ କୁଦରେ ମାତିଲେ । ଯାହାକୁ ଦେଖି ଖୁବ୍‌ ବ୍ୟଥିତ ହୋଇଥିଲେ ଦେବେନ୍ଦ୍ର। ଶିକ୍ଷକତାର ନିଶା ତାଙ୍କୁ ପୁଣି ଟାଣି ଆଣିଲା ନିଜେ ଗ୍ରହଣ କରିଥିବା ଶିକ୍ଷକ ପ୍ରଶିକ୍ଷଣ ତାଲିମକୁ ଉପଯୁକ୍ତ ମାର୍ଗରେ ପ୍ରୟୋଗ କରିବା ପାଇଁ । ଏଥିପାଇଁ ନିଜ ଗାଁର ଛାତ୍ର ଛାତ୍ରୀଙ୍କୁ ନିଜ ସ୍ୱଳ୍ପ ଦରମାରୁ କିଛି ଅର୍ଥ ଖର୍ଚ୍ଚ କରି ମାଗଣାରେ ଶିକ୍ଷାଦାନ କରୁଛନ୍ତି। ଏମିତିକି ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ପିଲାମାନଙ୍କୁ ପେନ ପେନସିଲ ମଧ୍ୟ କିଣିଦେଉଛନ୍ତି ଦେବେନ୍ଦ୍ର। ।

ନିଜ ଅଞ୍ଚଳର ପ୍ରାୟ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷା ଦାନ କରୁଛନ୍ତି ଦେବେନ୍ଦ୍ର। ଛୁଟିଦିନ ଗୁଡିକରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ଦେବେନ୍ଦ୍ର। ଜଣେ ପିଲା କେମିତି ସହଜରେ ପାଠ ଗ୍ରହଣ କରିପାରିବେ ସେଥିପ୍ରତି ବେଶ୍‌ ଧ୍ୟାନ ଦିଅନ୍ତି ସେ। ଦେବେନ୍ଦ୍ରଙ୍କ ପାଠ ପଢାରେ ଛାତ୍ର ଛାତ୍ରୀ ମଧ୍ୟ ଆଗ୍ରହର ସହ ଶିକ୍ଷାଦାନ ଗ୍ରହଣ କରୁଛନ୍ତି । ଦେବେନ୍ଦ୍ରଙ୍କ ଏହି ମହତ ପଦକ୍ଷେପ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ସମେତ ପିଲାଙ୍କର ଅଭିଭାବକ ମଧ୍ୟ ବେଶ୍‌ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.