ଭୁବନେଶ୍ୱର ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ଘଟଣା, ମୃତ ସତ୍ୟ ନାୟକଙ୍କ ପରିବାର ଲୋକେ ଆଣିଲେ ଗୁରୁତର ଅଭିଯୋଗ

ଭଞ୍ଜନଗର : ଏହା ଭିତରେ ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ୫ ଦିନ ବିତିଗଲାଣି । ଏହି ପେଟ୍ରୋଲ ପମ୍ପକୁ ସିଲ୍‌ କରାଯାଇଛି । ହେଲେ କିଭଳି ଏଲ୍‌ପିଜି ଟାଙ୍କିରେ ନିଆଁ ଲାଗି ବିସ୍ଫୋରଣ ହେଲା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାରେ ସରକାରୀ ଭାବେ ଜଣେ ମୃତ ଏବଂ ଆଉ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ଦିଆଯାଇଛି । ଆଉ କିଛି ସାମାନ୍ୟ ଆହତ ହୋଇଛନ୍ତି । ତେବେ ଆଇଓସିଏଲ୍‌ ପକ୍ଷରୁ କୁହାଯାଇଛି କି ବିସ୍ଫୋରଣର କାରଣ ତଦନ୍ତ ପରେ ଜଣାପଡ଼ିବ । ତେବେ ଏହି ଘଟଣାରେ ମୃତ୍ୟୁର ଶିକାର ହୋଇଥିବା ସତ୍ୟ ନାୟକଙ୍କ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି ।

ଗତ ୭ ତାରିଖ ଅପରାହ୍ନ ଗୋଟାଏ ୧୦ ମିନିଟ୍‌ରେ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଗଞ୍ଜାମ ଜିଲ୍ଲା ଆସିକା ଅନ୍ତର୍ଗତ ରଘୁନାଥ ନଗର ବାସିନ୍ଦା ସତ୍ୟ ନାୟକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ ପରଦିନ ସକାଳେ ଏସ୍‌ସିବିରେ ମୃତ୍ୟୁବରଣ କରିଥିଲେ ସତ୍ୟ। ଏବେ ତାଙ୍କ ପରିବାର ଲୋକ ଗଣମାଧ୍ୟମକୁ କିଛି ଭିଡିଓ ଦେଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ ମୃତ୍ୟୁ ପୂର୍ବରୁ ସତ୍ୟ ନାୟକ ନିଜେ ତାଙ୍କ ମୋବାଇଲ୍‌ରୁ ଏସବୁ ଭିଡିଓ ପଠାଇଥିଲେ । ଯେଉଁଥିରେ ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଚାଲିଥିବା କାମର ଦୃଶ୍ୟ ରହିଛି । ଏମିତିକି ଏହି କାମ ଅତ୍ୟନ୍ତ ବିପଜ୍ଜନକ ଏବଂ ବିନା ସୁରକ୍ଷା ବ୍ୟବସ୍ଥାରେ ଚାଲିଥିବା ସତ୍ୟ ଘର ଲୋକଙ୍କୁ ଜଣାଇଥିଲେ । ଏକଥା ତାଙ୍କ ପରିବାର ଲୋକେ କହିଛନ୍ତି ।

PETROL PUMP-3

ମୃତ୍ୟୁର ଦଶଦିନ ପୂର୍ବରୁ ସତ୍ୟ ସେଠାରେ କାମରେ ଯୋଗ ଦେଇଥିଲେ । ତେବେ ସେଠାକାର ବ୍ୟବସ୍ଥା ଦେଖି ଡର ଲାଗୁଥିବା ଏବଂ କାମ ଛାଡ଼ି ଚାଲି ଆସିବା କଥା ଘର ଲୋକଙ୍କୁ ସତ୍ୟ କହିଥିଲେ ବୋଲି ତାଙ୍କ ଭାଇ ଓ ଉଣୀ କହିଛନ୍ତି । ଶେଷରେ ବିସ୍ଫୋରଣର ଶିକାର ହୋଇ ସତ୍ୟ ନାୟକ ନିଜ ଘରକୁ ଶବ ହୋଇ ଫେରିଲେ । ତାଙ୍କ ଦେହର ଅନେକ ଭାଗ ପୋଡ଼ି ଯାଇଥିଲା ।

ତେବେ ଏଭଳି ଅଭିଯୋଗ ସମ୍ପର୍କରେ ଆଇଓସିଏଲ୍‌ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ଆହୁରି ମଧ୍ୟ ଏହି ଭିଡିଓର ସତ୍ୟତାକୁ ଯାଞ୍ଚ କରାଗଲେ ହୁଏତ ବିସ୍ଫୋରଣ ନେଇ ଅନେକ ତଥ୍ୟ ପଦାକୁ ଆସି ପାରିବ ।

ସେପଟେ ଏହି ଘଟଣାରେ ଜାତୀୟ ମାନବାଧିକାର କମିସନ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍ ମନ୍ତ୍ରାଳୟର ସଚିବ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.