ଜୀବନ ଯୁଦ୍ଧରେ ଏକା ବିଜୟ, କର୍କଟ ରୋଗୀ ବୋଲି ହାତ ଛାଡିଦେଲେ ସ୍ତ୍ରୀ, ପୁଅ-ବୋହୂ

କେନ୍ଦ୍ରାପଡ଼ା : ଡେରାବିଶ ବ୍ଲକ୍‌ ରାଜନଗର ଗାଁର ବିଜୟ କୁମାର ସାହୁ । ବୟସ ୫୭ । ଗୋଟିଏ ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀକୁ ନେଇ ତାଙ୍କ ପରିବାର । ବେଶ୍‌ ଆନନ୍ଦରେ ଜୀବନ ବିତାଉଥିଲେ ସେ । ଝିଅ ବାହାଘର ସରିଛି, ପୁଅ ବି ବାହା ହୋଇଥିଲା କିନ୍ତୁ ବୋହୂ ସହ ଅପଡ଼ ହେବାରୁ ପୁଅ ଦ୍ୱିତୀୟ ବିବାହ କଲା । ହେଲେ ପ୍ରଥମ ପତ୍ନୀ ଆଇନର ଆଶ୍ରୟ ନେଲେ । ମୋକଦ୍ଦମା ଚାଲିଲା । ମାଲି ମୋକଦ୍ଦମାରେ ସର୍ବସ୍ୱାନ୍ତ ହେଲେ ବିଜୟ । ସେପଟେ ଏମିତି ବେଳରେ ହଠାତ୍‌ ଗଳା କର୍କଟରେ ସେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା । ଚିକିତ୍ସା ଚାଲିଛି । ଅଧା ବାଟରେ ପୁଅ-ବୋହୂ ଘରେ ବିଜୟଙ୍କୁ ଛାଡ଼ି ଚାଲିଗଲେ କଟକ । ଏପରିକି ନିଜ ସ୍ତ୍ରୀ ମଧ୍ୟ ବିଜୟଙ୍କୁ ପର କରିଦେଲେ ସଂକ୍ରମଣ ଆଶଙ୍କା ଓ ଘୃଣାରେ । ଜୀବନ ଯୁଦ୍ଧରେ ଏବେ ଏକା ବିଜୟ ।

ଗାଁ ଲୋକ ବିଜୟଙ୍କ ପତ୍ନୀ ଓ ପୁଅ-ବୋହୂଙ୍କୁ ଅନେକ ବୁଝାସୁଝା କରି ବିଫଳ ହେଲେ । ଏପଟେ ବିଜୟଙ୍କ ଅବସ୍ଥା ଦେଖି ସହି ନପାରି ତାଙ୍କ ସେବା କରିବା ସହ ଓ ଚିକିତ୍ସା କଥା ବୁଝୁଛନ୍ତି କିଛି ଦୂର ସମ୍ପର୍କୀୟ ଓ ଗାଁର ସହୃଦୟ ବ୍ୟକ୍ତି ।

ପୁଅ ପାଇଁ ଘର ବିକିଲେ ବିଜୟ । ମାଲିମୋକଦ୍ଦମାରେ ସର୍ବସ୍ୱାନ୍ତ ହେଲେ । ଏବେ ରୋଗ ଯନ୍ତ୍ରଣା ସାଙ୍ଗକୁ ପରିବାରର ଅଣଦେଖା ତାଙ୍କୁ ଶାରୀରିକ ଓ ମାନସିକ ଭାବେ ଭାଙ୍ଗି ଦେଇଛି । ଗାଁ ଲୋକ ଘଟଣାରେ ପ୍ରଶାସନର ସାହାଯ୍ୟ ଲୋଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.