ସବୁଠୁ ମହଙ୍ଗା : ଅଚିହ୍ନା ଖେଳାଳି ବରୁଣ ବିକ୍ରି ହେଲେ ୮ କୋଟି ୪୦ ଲକ୍ଷରେ

ଜୟପୁର : ଆପଣ କ୍ରିକେଟର ବରୁଣ ଚକ୍ରବର୍ତ୍ତୀଙ୍କ ନାଁ ଶୁଣିଛନ୍ତି କି ? ଯଦି ପୂରା ଦେଶର କ୍ରିକେଟ୍ ଉପରେ ନଜର ରଖୁଥିବେ ତେବେ ହୁଏତ ଏହି ଖେଳାଳିଙ୍କ ନାଁ ଜାଣିଥିବେ । ନଚେତ ସମସ୍ତଙ୍କ ପାଇଁ ବରୁଣ ଅଜଣା । ସେ କେବଳ ଘରୋଇ କ୍ରିକେଟ୍ ଖେଳିଛ୍ନତି । ଗୋଟିଏ ହେଲେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି । ଏବେ କିନ୍ତୁ ସେ ଆଉ ଅଜଣା ଅଚିହ୍ନା ରହି ନାହାନ୍ତି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଆଇପିଏଲ୍ ୨୦୧୯ ଖେଳାଳି ନିଲାମିରେ ସେ ସବୁଠାରୁ ଅଧିକ ଅର୍ଥରେ ବିକ୍ରି ହୋଇଛନ୍ତି । ତାମିଲନାଡୁ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ କିଙ୍ଗସ ପଞ୍ଜାବ ଏକାଦଶ ୮ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି ।

ଅନ୍ୟପକ୍ଷରେ ଅଲୋଡ଼ା ହୋଇ ପଡ଼ିଛନ୍ତି ଯୁବରାଜ ସିଂହ । ତାଙ୍କୁ କେହି କିଣି ନାହାନ୍ତି ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ୍ ୨୦୧୯ ପାଇଁ ରାଜସ୍ଥାନ ଜୟପୁର ଠାରେ ଚାଲିଛି ଖେଳାଳି ନିଲାମି ପ୍ରକ୍ରିୟା । ୮ଟି ଟିମ୍ ପାଇଁ ଦେଶୀ ଓ ବିଦେଶୀ ଖେଳାଳିଙ୍କୁ ଏହି ନିଲାମିରେ ସାମିଲ କରାଯାଇଛି । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ହୋଇଥିବା ନିଲାମିରେ ୫ କୋଟି କ୍ଲବ୍ରେ ରହିଛନ୍ତି ଅଳ୍ପ କିଛି ଖେଳାଳି । କାର୍ଲୋସ ବ୍ରେଥେଓ୍ଵଟ୍ଙ୍କୁ କେକେଆର୍ କିଣିଛି ୫ କୋଟିରେ । ଅକ୍ଷର ପଟେଲ ୫ କୋଟିରେ ଗଲେ ଦିଲ୍ଲୀ କ୍ୟାପିଟାଲ୍ସକୁ । ଜୟଦେବ ଉନାଦକତ୍ଙ୍କୁ ରାଜସ୍ଥାନ ରୟାଲ୍ସ କିଣିଲା ୮ କୋଟି ୪୦ ଲକ୍ଷରେ । ବୋଲର୍ ମୋହିତ ଶର୍ମାଙ୍କୁ ଚେନ୍ନାଇ ଏବଂ ଶିବରାମ ଦୁବେଙ୍କୁ ୫ କୋଟି ଲେଖାଏଁରେ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ । କଲିନ୍ ଇନଗ୍ରାମ୍ ଦିଲ୍ଲୀକୁ ବିକ୍ରି ହେଲେ ୬.୪ କୋଟିରେ ଏବଂ ସାମ୍ କୁରାନ୍ଙ୍କୁ କିଙ୍ଗସ ପଞ୍ଜାବ ୭.୨ କୋଟିରେ କିଣିଛି ।
ଯୁବ ଖେଳାଳି ହନୁମା ବିହାରୀ ଦିଲ୍ଲୀ କ୍ୟାପିଟାଲସକୁ ୨ କୋଟିରେ ବିକ୍ରି ହୋଇଥିବା ବେଳେ ସିମରନ୍ ହେଟମେୟର ୪.୨ କୋଟି ଟଙ୍କାରେ ଆର୍ସିବିକୁ ବିକ୍ରି ହୋଇଛନ୍ତି । ଗୁରୁ କିରଟ ସିଂହଙ୍କୁ ଆରସିବି ୫୦ ଲକ୍ଷରେ କିଣିଥିଲେ ମଧ୍ୟ ଯୁବରାଜଙ୍କ ପାଇଁ ଡାକରା ବେଳେ ସବୁ ଦଳ ଚୁପ୍ ରହିଥିଲେ । ଦିନ ଥିଲା ଯୁବି ବିକ୍ରି ହେଉଥିଲେ ୧୪ରୁ ୧୬ କୋଟି ଟଙ୍କାରେ ।

ମୋଜେସ୍ ହେନରିକ୍ସ କିଙ୍ଗସ ପଞ୍ଜାବ ଏକାଦଶକୁ ୧ କୋଟିରେ ଏବଂ ଜନୀ ବେୟାରେଷ୍ଟୋ ୨ କୋଟି ୨ ଲକ୍ଷରେ ସନରାଇଜର୍ସ ହାଇଦ୍ରାବାଦକୁ ବିକ୍ରି ହୋଇଛନ୍ତି । ନିକୋଲାସ୍ ପୁରନ୍ଙ୍କୁ କିଙ୍ଗସ ପଞ୍ଜାବ ଏକାଦଶ ୪.୨ କୋଟିରେ ନିଲାମ ଧରିଛି । ଓ୍ଵିକେଟ୍ କିପର ରିଧିମାନ ଶାହା ହାଇଦ୍ରାବାଦକୁ ୧.୨ କୋଟିରେରେ, ପେସ୍ ବୋଲର୍ ଇଶାନ୍ତ ଶର୍ମା ୧ କୋଟି ୧ ଲକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଏବଂ ଶ୍ରୀଲଙ୍କା ପେସ୍ ବୋଲର୍ ଲସିଥ୍ ମାଲିଙ୍ଗ ୨ କୋଟିରେ ଯାଇଛନ୍ତି ମୁମ୍ବାଇ ଇଣ୍ଡିଅନ୍ସକୁ । ତାଜା ତାଜା ଆଷ୍ଟ୍ରେଲିଆରେ ସଫଳ ହୋଇଥିବାପେସ୍ ବୋଲର୍ ମହମ୍ମଦ ସାମି ୪. ୮୦ କୋଟିରେ ପଞ୍ଜାବ ଏକାଦଶକୁ ବିକ୍ରି ହୋଇଛନ୍ତି । ବରୁଣ ଆରୋନ୍ଙ୍କୁ ରାଜସ୍ଥାନ ରୟାଲ୍ସ ୨ କୋଟି ୪୦ ଲକ୍ଷରେ, କଲିନ୍ ଇନଗ୍ରାମ୍ଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬.୪ କୋଟିରେ, ସାମ୍ କୁରାନ୍ଙ୍କୁ କିଙ୍ଗସ ପଞ୍ଜାବ ୭.୨ କୋଟିରେ ଏବଂ ଲକୀ ଫର୍ଗୁସନ୍ଙ୍କୁ ୧.୬ କୋଟିରେ କୋଲକାତା ନାଇଟ୍ ରାଇଡର୍ସ କିଣିଛି ।
୧୬ ବର୍ଷ ବୟସ୍କ ଲେଗସ୍ପିନର ପ୍ରୟାସ ରାୟବର୍ମନଙ୍କୁ ରୟାଲ ଚ୍ୟାଲେଞ୍ଜର କିଣିଛି ଦେଢ଼ କୋଟି ଟଙ୍କାରେ । ଯେତେବେଳେ କି ଅଭିଜ୍ଞ ଖେଳାଳି ମାର୍ଟିନ୍ ଗପ୍ଟିଲ୍ଙ୍କୁ ୧ କୋଟି ଟଙ୍କାରେ କିଣିଛି ହାଇଦ୍ରାବାଦ । ବିଦେଶୀ ଖେଳାଳି ଡେଲ୍ ଷ୍ଟେନ୍, କୁରେ ଆଣ୍ଡରସନ୍, ଆଞ୍ଜେଲୋ ମାଥ୍ୟୁସ୍, ହାସିମ ଆମଲା, ସନ୍ ମାର୍ଶ ବିକ୍ରି ହୋଇ ପାରି ନାହାନ୍ତି ।
ମୋଟ୍ ୩୫୧ ଜଣ ଖେଳାଳିଙ୍କ ନିଲାମି ହେବ । ଏଥିରେ ୨୨୮ ଜଣ ଭାରତୀୟ ଖେଳାଳି ଏବଂ ୧୨୩ ଜଣ ବିଦେଶୀ ଖେଳାଳି ୮ଟି ଟିମ୍ରେ ୭୦ଟି ସ୍ଥାନ ପାଇଁ ନିଲାମିରେ ସାମିଲ ହୋଇଛନ୍ତି ।