ଫନି ବାତ୍ୟାକୁ ପୁରିବାକୁ ଯାଉଛି ମାସେ, ସଂପୂର୍ଣ୍ଣ ହୋଇ ପାରିନି କ୍ଷୟକ୍ଷତି ଆକଳନ

ଫନି ବାତ୍ୟାକୁ ପୁରିବାକୁ ଯାଉଛି ମାସେ । ଏବେ ବି ପୁରୀ ଜିଲ୍ଲାର ୫୦ ପ୍ରତିଶତ ଗ୍ରାମାଞ୍ଚଳ ଅନ୍ଧାରରେ । ସଂପୂର୍ଣ୍ଣ ହୋଇ ପାରିନି କ୍ଷୟକ୍ଷତି ଆକଳନ । ଫନି ପରେ କେନ୍ଦ୍ରରୁ କେନ୍ଦ୍ରୀୟ ଟିମ ଆସି ଅନୁଧ୍ୟାନ କରି ଫେରିଛନ୍ତି । ପ୍ରାୟ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ନେଇ ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରାଯାଇଛି।

ଫନିର ଚୋଟରେ ଘାଇଲା ଓଡ଼ିଶା। ଏବେ ବି କ୍ଷତ ଚିହ୍ନ ରହିଛି। ପ୍ରଭାବିତ ହୋଇଥିଲେ ୧୪ ଜିଲ୍ଲାର ୧ କୋଟି ୬୫ ଲକ୍ଷ ଜଣ। ଫନି ପହଞ୍ଚିବା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ସାଢ଼େ ୧୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ମୃତ୍ୟୁ ସଂଖ୍ୟା ଥିଲା, ୬୪। ଫନି ପରେ ରାଜଧାନୀ ଭୁବନେଶ୍ୱର ସହ ଖୋର୍ଦ୍ଧା, କଟକ, ପୁରୀ ଜିଲ୍ଲା ଅନ୍ଧାର ଭିତରକୁ ଚାଲି ଯାଇଥିଲା। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା। ମେ ୩୧ ତାରିଖ ସୁଦ୍ଧା କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଶତ ପ୍ରତିଶତ ବିଦ୍ୟୁତ ସେବା ସ୍ୱାଭାବିକ ହୋଇଛି। କଟକରେ ୯୯ ଓ ଖୋର୍ଦ୍ଧାରେ ୯୬ ପ୍ରତିଶତ ବିଦ୍ୟୁତ ସେବା ସ୍ୱାଭାବିକ ହୋଇଛି। ପୁରୀ ଜିଲ୍ଲାରେ ପ୍ରଭାବିତ ହୋଇଥିବା ଅଧା ଅଂଚଳ ଏବେ ବି ଅନ୍ଧାର ଭିତରେ ରହିଛି।

fani 1

ଫନି ପରେ କେନ୍ଦ୍ରରୁ କେନ୍ଦ୍ରୀୟ ଟିମ ଆସି ଅନୁଧ୍ୟାନ କରି ଫେରିଛନ୍ତି। ପ୍ରାୟ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ନେଇ ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରାଯାଇଛି। ଫନିକୁ ମାସେ ହେଲାଣି, ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇ ପାରି ନାହିଁ। ଏବେ ନୂଆ ସରକାର ଦାୟିତ୍ୱ ନେଇଛନ୍ତି। ଚୂଡ଼ାନ୍ତ ରିପୋର୍ଟ ସହ ପୁନରୁଦ୍ଧାର କାମ ଅଧିକ ତ୍ୱରାନ୍ଵିତ ହେବା ଅନୁମାନ କରାଯାଉଛି। ଫନିରେ ସ୍କୁଲଗୁଡିକ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଖରାଛୁଟି ସରିବା ପୂର୍ବରୁ ସେଗୁଡିକର ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଫନି ପରେ ତୁରନ୍ତ କ୍ଷତିଗ୍ରସ୍ତଙ୍କ ପାଇଁ ୫୦ କେଜି ଚାଉଳ ଓ ୨ ହଜାର ଟଙ୍କା ସହାୟତା ଘୋଷଣା ହୋଇଥିଲା। ଏହାପରେ କ୍ଷତିଗ୍ରସ୍ତଙ୍କ ଲାଗି ପ୍ୟାକେଜ୍ ଘୋଷଣା କରିଥିଲେ ସରକାର। ଘର ଭାଙ୍ଗିଥିବା ଲୋକଙ୍କ ପାଇଁ ପକ୍କା ଘର, ଫସଲ ଓ ଗଛ ନଷ୍ଟ ହୋଇଥିଲେ କ୍ଷତି ପୂରଣ ଆଦି ଘୋଷଣା ହୋଇଛି। ଏବେ ପୁନରୁଦ୍ଧାର କାମ ସହ କ୍ଷତିପୂରଣ ପ୍ରଦାନ କାମ ଜାରି ରହିଛି।

FANI

ପୁରୀ ଜିଲ୍ଲାର ୮୦ ପ୍ରତିଶତ ଅଂଚଳକୁ ଧ୍ୱସ୍ତବିଧ୍ୱସ୍ତ କରିଦେଲା ଫନି। ମାସେ ପରେ ବି ବାତ୍ୟାର ଛିଟା ରହିଛି। ପ୍ରଭାବିତ ହୋଇଥିବା ୨୫ ଲକ୍ଷରୁ ଅଧିକ ଲୋକ ଏବେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛନ୍ତି। ପୁରୀ ସହରକୁ ବିଜୁଳି ଆସିବାକୁ ୨୦ ଦିନରୁ ମାସେ ଲାଗିଗଲା। କିନ୍ତୁ ଜିଲ୍ଲାର ୫୦ ପ୍ରତିଶତ ଗ୍ରାମାଞ୍ଚଳ ଏବେ ବି ଅନ୍ଧାର ଭିତରେ। ଲୋକେ ଧର୍ଯ୍ୟହରା ହେଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.