କରୋନା କଟକଣାକୁ ମାନୁନି ଚାଷୀ ମନ, ସାର ଟିକେ ପାଇବା ପାଇଁ ଲାଗୁଛି ନାହିଁ ନଥିବା ଭିଡ

ଗଞ୍ଜାମ(କେ ନ୍ୟୁଜ): କରୋନା ଚିନ୍ତା, ପରେ ମୌସୁମୀ ବର୍ଷା ଚିନ୍ତା ଏବେ ଚାଷୀଙ୍କ ପାଇଁ ଚିନ୍ତା ପାଲଟିଛି ଜମିରେ ସାର ପକାଇବା । କିନ୍ତୁ ଦରକାର ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ସାର ମିଳିପାରୁ ନଥିବାରୁ ଚାଷୀଙ୍କ ବ୍ୟାକୁଳତା ବଢ଼ିବାରେ ଲାଗିଛି । ଯେଉଁଥି ସାର ଟିକେ ମିଳୁଛି ବୋଲି ଶୁଣୁଛନ୍ତି, ବିକଳରେ ଭିଡ ଜମାଉଛନ୍ତି । କରୋନା କଟକଣାକୁ ଖାତିର କରୁନାହାନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗାଁରେ । ସୋସାଇଟିରୁ ୟୁରିଆ ସାର ଆଣିବା ପାଇଁ ଭୀଡ ଜମୁଛି । ମିଳିଥିବା ଖବରରୁ ଜଣାଯାଇଛିକି ଏଠିକାର ଚାଷୀଙ୍କୁ ଚାରି ଟ୍ରକ ସାର ଦରକାର ଥିବାବେଳେ କିନ୍ତୁ ଆସିଛି ମାତ୍ର ଗୋଟିଏ ଟ୍ରକ । ଲୋକଙ୍କ ଲମ୍ବା ଲାଇନ୍ ଦେଖି ପୋଲିସ୍ ସମେତ କୃଷି ଏବଂ ସମବାୟ ବିଭାଗ କର୍ମଚାରୀ ମାନେ ଲୋକଙ୍କୁ ବୁଝାଇଲେ ମଧ୍ୟ ଲୋକେ ବୁଝିବାକୁ ନାରାଜ ଥିଲେ । ତେଣୁ ବାଧ୍ୟ ହୋଇ ସାର ବଣ୍ଟନକୁ ବନ୍ଦ କରାଯାଇଥିଲା । ସରକାରଙ୍କ ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ସୋସାଇଟି ମାଧ୍ୟମରେ ଚାଷୀଙ୍କୁ ସାର ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶ ରହିଛି । ଗଂଜାମ ଜିଲ୍ଲାରେ ବିଳମ୍ବ ରେ ହେଲେ ମଧ୍ୟ ଧାନ ରୋଇବା କାର୍ଯ୍ୟ ସମ୍ପାଦନ ହୋଇଛି । ମଝିରେ ମଝିରେ ଅସରାଏ ଅସରାଏ ବର୍ଷା ହେଉଥିବା ଯୋଗୁଁ ଚାଷୀ ମନ ମଧ୍ୟ ଖୁସି ହୋଇଛି ।

rabi dakua

ତେବେ ଧାନ ରୋଇବାର ଏକୋଇଶି ଦିନ ପରେ ମଧ୍ୟ ଆବଶ୍ୟକ ହେଉଥିବା ସାର ପର୍ଯ୍ଯାପ୍ତ ମିଳୁନାହିଁ । ତେଣୁ ସୋସାଇଟିକୁ ସାର ଆସିବା ଖବର ପାଇବା ପରେ ଚାଷୀଙ୍କ ଲମ୍ବା ଗହଳିର ଏଇ ଏକ ଦୃଶ୍ୟ । କେବଳ ଏହି ଗୋଟିଏ ଗାଁ ନୁହେଁ ଅନେକ ଗାଁରେ ବି ସମାନ ଅବସ୍ଥା ଦେଖିବାକୁ ମିଳୁଛି । ତେବେ ବିଭିନ୍ନ ପେଷ୍ଟିସାଇଡ୍ ବିକ୍ରି କରୁଥିବା ଦୋକାନରେ କଳାବଜାର ଅର୍ଥାତ୍ ଅଧିକ ଦରରେ ସାର ବିକ୍ରି କରୁଥିବା ଯୋଗୁଁ ଚାଷୀ ସେମାନଙ୍କ ଠାରୁ ଆଣି ଜମିରେ ପକାଉଛନ୍ତି । ସୋସାଇଟିରେ ଅଭାବି ରହୁଥିବା ବେଳେ ଦୋକାନରେ କିପରି ମିଳୁଛି ଏହାକୁ ନେଇ ମଧ୍ୟ ଅନେକ ସ୍ଥାନରେ ତୁମୁଳ କାଣ୍ଡ ଘଟୁଥିବା ଦେଖିବାକୁ ମିଳୁଛି । କୋଭିଡ୍ ପାଇଁ ଅନେକ କାର୍ଯ୍ୟ ପ୍ରଭାବିତ ହୋଇଛି । ଜିଲ୍ଲାରେ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ସାର ଆସିବାରେ ଅସୁବିଧା ସୃଷ୍ଟି ହୋଇଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ତେବେ ଯେତିକି ଆସୁଛି ଯଦି ସହମତି ଭିତ୍ତିରେ ବଣ୍ଟନ କରାଯାଇ ପାରନ୍ତା ତାହେଲେ ସଂକଟ କିଛିମାତ୍ରାରେ କମି ଯାଇପାରନ୍ତା । ତେବେ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୋସାଇଟି ଗୁଡିକୁ ପର୍ଯ୍ୟାପ୍ତ ସାର ଯୋଗାଇବା ଜରୁରୀ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.