ବାଲେଶ୍ବର: ବିଲରେ ବାପ ପୁଅ ବାଡ଼ାବାଡ଼ି, ଧାନ କଟାକୁ କେନ୍ଦ୍ର କରି ଭାଉଜକୁ ଗୋଡେଇ ଗୋଡେଇ ପିଟିଲା ଦିଅର

ଜଳେଶ୍ବର(କେନ୍ୟୁଜ୍):  ଧାନ କଟାକୁ କେନ୍ଦ୍ର କରି ନିଜ ବଡ ପୁଅକୁ କଟୁରୀରେ ମରଣାନ୍ତକ ଆକ୍ରମଣ କରି ରଶିରେ ବାନ୍ଧିଲା ବାପା।  ଧାନ ବିଲରେ ଭାଉଜକୁ ଗୋଡେଇ ଗୋଡେଇ ପିଟିଲା ଦିଅର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା  କମର୍ଦ୍ଦା ଥାନା ଅନ୍ତର୍ଗତ କଣ୍ଟାଳିଆ ଗ୍ରାମରେ।

ସୂଚନା ମୁତାବକ କଣ୍ଟାଳିଆ ଗ୍ରାମର ଗଙ୍ଗା ନାରାୟଣ ପଢ଼ିଆରୀ ଓ ତାଙ୍କର ବଡପୁଅ ସପନ ପଢ଼ିଆରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡିକୁ କେନ୍ଦ୍ର କରି  ବିବାଦ ଲାଗି ରହି ଥିଲା। ବଡପୂଅ ସପନ ତାଙ୍କୁ ମିଳିଥିବା ଭାଗ ଜମିରେ ଧାନ ଚାଷ କରିଥିଲେ। ଧାନ ଅମଳ ସମୟ ହୋଇଥିବାରୁ ଆଜି  ସପନ ନିଜ ବିଲରେ ହାରଭେଷ୍ଟର ମେସିନ ସାହାଯ୍ଯରେ ଧାନ ଅମଳ କରୁଥିଲେ। ଏହି ସମୟରେ ବାପା ଗଙ୍ଗା ନାରାୟଣ ପଢ଼ିଆରୀ ଓ ସାନ ପୁଅ ବିଜୁ ପଢ଼ିଆରୀ ମିଳିତ ହୋଇ ବଡ଼ ପୁଅ  ସପନ ପଢ଼ିଆରୀ ଜମିରେ ପହଞ୍ଚି  ଜୋରଜବରଦସ୍ତ ଭାଗ ଧାନ ଦେବା ପାଇଁ କହିଥିଲେ। ବଡପୂଅ ସପନ ଧାନ ଦେବାକୁ ମନା କରିବାରୁ ବାପ ପୂଅଙ୍କ ମଧ୍ଯରେ ଗଣ୍ତଗୋଳ ସୃଷ୍ଟି ହୋଇଥିଲା। ସାନପୂଅ ଏବଂ ବାପା ମିଶି ବଡପୂଅ ସପନକୁ କଟୁରୀ ରେ ମାରଣାନ୍ତକ ଆକ୍ରମଣ କରିବା ସହ ରଶିରେ ବାନ୍ଧି ପକାଇ ଥିଲେ।

ଖବର ପାଇ ସପନଙ୍କ ସ୍ତ୍ରୀ ରଞ୍ଜିତା ଦୌଡି ଯାଇ ଧାନ ବିଲରେ ପହଞ୍ଚି  ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସାନପୂଅ ବିଜୁ ଭାଉଜ ରଞ୍ଜିତାଙ୍କୁ ଧାନବିଲ ମଝିରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ନିଜ ବଡ ପୁଅକୁ ରସିରେ ବାନ୍ଧି ବୋହୂକୁ ଆକ୍ରମଣ କରି ତାଙ୍କ ବିଲରୁ ଜୋରଜବରଦସ୍ତ ଧାନ କାଟି ନେବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମାଡ ମାରିବା ଘଟଣା ସମୟର ଦୃଶ୍ଯ  ଏବେ ସୋସିଆଲ ମେଡିଆରେ ଘୁରି ବୁଲିଛି। ଖବର ପାଇ ଘଟଣା ସ୍ଥଳରେ  କମର୍ଦ୍ଦା  ପୋଲିସ ପହଞ୍ଚି ସ୍ବାମୀ ସ୍ତ୍ରୀ ଦୁଇ ଜଣକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟକୁ ପଠା ଯାଇଛି। ଏଘଟଣାରେ କମର୍ଦ୍ଦା ପୋଲିସ  ଅଧିକ ତଦନ୍ତ ଜାରି  ରଖିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.