ବିରୋଧୀଙ୍କ ହୋହଲ୍ଲା ଭିତରେ ବିଧାନସଭାରେ ଉପସ୍ଥାପିତ ହେଲା ପ୍ରଥମ ୧୧,୨୦୦ କୋଟିର ଅତିରିକ୍ତ ବଜେଟ, କେଉଁ ବିଭାଗ ପାଇଁ କେତେ ବ୍ୟୟ ବରାଦ ହୋଇଛି ଜାଣନ୍ତୁ

କେନ୍ୟୁଜ୍(ବ୍ୟୁରୋ): ବିଧାନସଭାରେ ଉପସ୍ଥାପିତ ହେଲା ପ୍ରଥମ  ୧୧,୨୦୦ କୋଟିର ଅତିରିକ୍ତ ବଜେଟ  । ଗୃହରେ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୦-୨୧ ଆର୍ଥିକବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ବିରୋଧୀଙ୍କ ହୋହଲ୍ଲା ଭିତରେ ବଜେଟ ଉପସ୍ଥାପିତ ହୋଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି ରହିଛି ।

ଫେବ୍ରୁଆରୀ ୧୮ରେ ଉପସ୍ଥାପିତ ହୋଇଥିଲା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌। ମହାମାରି ମାଡ଼ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଆୟବ୍ୟୟ ହିସାବ। ଏବେ ଆଠ ମାସ ହେଲା କୋଭିଡ୍‌ ସଂଗ୍ରାମ ଚାଲିଛି। ହିସାବ ନିକାଶ ବଦଳିଛି। ଏ ସମୟରେ ଉପସ୍ଥାପିତ ହୋଇଛି ୧୧,୨୦୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍‌। ଦେଖିବାକୁ ମିଳିଛି, ଆବଣ୍ଟନ ପୁନଃ ପ୍ରାଥମିକତା। ଏଥିରେ ପ୍ରାଶାସନିକ ବ୍ୟୟ ବରାଦ ୨,୨୭୩ କୋଟି ଟଙ୍କା ରହିଥିବା ବେଳେ, କାର୍ଯ୍ୟକ୍ରମ ବ୍ୟୟ ବରାଦ-୭୪୩୮ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ- ୧୪୮୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଅର୍ଥାତ ଅତିରିକ୍ତ ବଜେଟରେ କାର୍ଯ୍ୟକ୍ରମ ବ୍ୟବ ବରାଦର ସିଂହଭାଗ ରହିଛି, ୬୬.୩୫ ପ୍ରତିଶତ ଏଥିରେ ବ୍ୟୟ ବରାଦ ହୋଇଛି।

ଅତିରିକ୍ତ ବଜେଟରେ ଅର୍ଥ ବିଭାଗକୁ ୨, ୩୬୩ କୋଟି ଟଙ୍କା, ପଞ୍ଚାୟତିରାଜକୁ ୨୦୪୬ କୋଟି ଟଙ୍କା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୭୬୮ କୋଟି ଟଙ୍କା, ବିପର୍ଯ୍ୟୟ ପରିଚାଳନାକୁ ୧୪୮୪ କୋଟି ଟଙ୍କା ଓ ଖାଦ୍ୟ ଯୋଗାଣକୁ ୧୦୭୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏଥିରୁ ଜଣା ପଡୁଛି ଅତିରିକ୍ତ ବଜେଟର ଫୋକସରେ ରହିଛି କୋଭିଡ୍‌ ଲଢେଇରେ ସାମିଲ ଥିବା ବିଭାଗ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସାଧାରଣ ସ୍ୱାସ୍ଥ୍ୟ ସେବା ନେଇ ୧୬୨୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ ବରାଦ ହୋଇଛି। ଏଥିରେ ମେଡିକାଲ କଲେଜ ଭିତ୍ତିଭୂମି ପାଇଁ ୧୦୦ କୋଟି ଟଙ୍କା, ମେଡିକାଲ ସାମଗ୍ରୀ କିଣିବାକୁ ୪୦୯ କୋଟି ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୪୦୯ କୋଟି ଟଙ୍କା ଅତିରିକ୍ତ ବ୍ୟୟ ବରାଦ କରାଯାଇଛି।

କୋଭିଡ୍‌ ପ୍ରଭାବ ଅର୍ଥନୀତି ଉପରେ ପଡିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କେନ୍ଦ୍ରୀୟ ହସ୍ତାନ୍ତର କମିଥିବାରୁ, ମୋଟ ରାଜସ୍ୱ ପ୍ରାପ୍ତି ୬.୬୫ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ରାଜ୍ୟର ନିଜସ୍ୱ ରାଜସ୍ୱ ୧.୭ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୦ ସେପ୍ଟେମ୍ବର ସୁଦ୍ଧା ରାଜସ୍ୱ ବଳକା ରହିଛି ୬୭୯୦ କୋଟି ଟଙ୍କା। ସମୁଦାୟ ଋଣ ଭାର ରହିଛି ୯୭ ହଜାର ୮୨୩ କୋଟି ଟଙ୍କା। ଅତିରିକ୍ତ ବଜେଟରେ, କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟୟ ବରାଦ ସହ ସ୍ୱାସ୍ଥ୍ୟ, ଗ୍ରାମୀଣ ରୋଜଗାର, ଜୀବିକା, ଖାଦ୍ୟ ନିରାପତ୍ତା,ଏମ୍‌ଏସ୍‌ଏମ୍‌ଇ, ହସ୍ତତନ୍ତ, ବୟନ ଶିଳ୍ପ, ଭିତ୍ତିଭୂମିକୁ ଗୁରୁତ୍ୱ ମିଳିଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.