Below header

ନିର୍ବାଚନୀ ମଇଦାନରେ ଗୋଟିଏ ପରିବାରର ୫ ସଦସ୍ୟ, ନିଜ ନିଜ ସମର୍ଥକଙ୍କୁ ନେଇ କରୁଛନ୍ତି ପ୍ରଚାର

ସୋରଡା(କେନ୍ଯୁଜ୍): ନିର୍ବାଚନୀ ମଇଦାନରେ ଗୋଟିଏ ପରିବାରର ପାଞ୍ଚ ସଦସ୍ୟ । ସରକାରଙ୍କ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛନ୍ତି । ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ଗୋପାଳପୁର ଶାସନ ପଞ୍ଚାୟତର ୬୬ ନମ୍ବର ଜୋନ୍‌ । ଏହି ପଞ୍ଚାୟତଟି ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ଆସନ ପାଇଁ ସରଂକ୍ଷିତ । ସରପଞ୍ଚ ପ୍ରାର୍ଥୀ ଦେବରାଜ ମଲ୍ଲିକ, ପ୍ରାଇମେରୀ ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ । ଚାକିରି ଛାଡ଼ି ସ୍ୱଇଚ୍ଛାରେ ରାଜନୀତିକୁ ଆସିଛନ୍ତି ଦେବରାଜ । ଦେବରାଜଙ୍କ ଝିଅ ଶକୁନ୍ତଳା ମଲ୍ଲିକ, ଜଣେ ଉଚ୍ଚଶିକ୍ଷିତ ୬୬ ଜୋନ୍‌ରୁ ବିଜେପି ଟିକଟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବୋହୂ ରଶ୍ମିରେଖା ମଲ୍ଲିକ, ରାଇବନ୍ଧ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ । ଝିଆରି ଆରତୀ ମଲିକ, ଅମ୍ବୁରୁତୁଳୁ ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ।

ସେହିପରି ଝିଆରୀ ସୁନନ୍ଦିନୀ ମଲ୍ଲିକ, ଭଗବାନପୁର ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଗୋପାଳପୁର ଶାସନ ପଞ୍ଚାୟତରେ ଜନସଂଖ୍ୟା ଦଶ ହଜାରରୁ ଉର୍ଦ୍ଧ୍ୱ । ସୋରଡା ନିର୍ବାଚନ ମଣ୍ଡଳୀରେ ୭ଗୋଟି ଜିଲ୍ଲା ପରିଷଦ ଆସନ ରହିଛି । ସେଥିରୁ ସୋରଡାରେ ୪ଗୋଟି ଥିବା ବେଳେ ବେଳମୁଠା ବ୍ଲକରେ ୩ ଗୋଟି ରହିଛି । ଓ୍ଵାର୍ଡର୍ ସଂଖ୍ୟା ୧୮ । ଭୋଟର ୭ ହଜାର ୭୪୨ । ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୩ହଜାର ୫୯୭ ଏବଂ ପୁରୁଷ ଭୋଟର ୪ ହଜାର ୧୪୫ ଅଛନ୍ତି । ସରପଞ୍ଚ ପାର୍ଥୀ ଦେବରାଜ ମଲିକ ଏବଂ ଜିଲ୍ଲା ପରିଷଦ ପାର୍ଥୀ ଶକୁନ୍ତଳା ମଲ୍ଲିକ କହିଛନ୍ତି, ଆମ ପଞ୍ଚାୟତରେ ବହୁ ସମସ୍ୟା ଅଛି । ଆମେ ଶିକ୍ଷିତ ହୋଇ ଜିତିକି ଆସିଲେ ସରକାରଙ୍କ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବୁ । ପ୍ରତ୍ୟେକ ମୁହୂର୍ତରେ ଲୋକଙ୍କ ସାଙ୍ଗରେ ରହିବୁ । ଏପଟେ ସମସ୍ତ ପାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେପି ବିଧାୟକ ପାର୍ଥୀ ନୀଳମଣି ବିଶୋଇ । ପ୍ରାର୍ଥୀମାନଙ୍କୁ ଗାଁ ଗାଁରୁ ମଧ୍ୟ ଭଲ ସମ୍ବର୍ଦ୍ଧନା ମିଳୁଛି ।

ଅନ୍ୟପଟେ ଦୀର୍ଘ ୧୫ ବର୍ଷ ହେବ ବିଜେଡିର ଦୁର୍ଗ ରହିଛି ସୋରଡା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗଡ ରକ୍ଷା କରିଛନ୍ତି । ଗତବର୍ଷ ମଧ୍ୟ ସମସ୍ତ ଜିଲ୍ଲା ପରିଷଦ ଆସନ ବିଜେଡି ହାତକୁ ଆସିଥିଲା ଏବଂ ସୋରଡା ବ୍ଲକରେ ବିଜେଡି ଅଧ୍ୟକ୍ଷ ପଦ ହାତେଇଥିଲା । ଚଳିତଥର ଗଡ଼ ହାତେଇ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଲାଗି ପଡ଼ିଛନ୍ତି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ । ଗୋପାଳପୁର ଶାସନର ସରପଞ୍ଚ ପାର୍ଥୀ ଦେବରାଜ ମଲ୍ଲିକଙ୍କ ବୋହୂଙ୍କ ଭାଇ ବିଜେଡି ସମର୍ଥିତ ପାର୍ଥୀ ଭାବେ ଲଢୁଛନ୍ତି । ଏଠାରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଲୋକମାନେ ପ୍ରତ୍ୟେକ ପାର୍ଥୀ ଏବଂ ବିଧାୟକଙ୍କୁ ଝୋଟି ପକାଇ ଫୁଲମାଳ ଦେଇ ବନ୍ଦାପନା କରି ସ୍ୱାଗତ କରିବା ସହିତ ଢୋଲ ମହୁରି ବଜାଇ ଗାଁ ବୁଲାଉଛନ୍ତି । ଭୋଟରଙ୍କ ମଧ୍ୟରେ ସମସ୍ତ ପାର୍ଥୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳୁଛି । ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଁ ପ୍ରତ୍ୟେକ ଗାଁ ବୁଲି ଲୋକଙ୍କ ପାଖରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସବୁ ଯୋଜନା ବଖାଣି ଭୋଟ ଭିକ୍ଷା କରୁଛନ୍ତି । ସେପଟେ କିଛି ଭୋଟର ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚଳିତ ନିର୍ବାଚନରେ ସୋରଡା ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି କଡ଼ା ଟକ୍କର ଦେଖିବାକୁ ମିଳିବ । ତେବେ ଗଡ଼ କିଏ ହାତେଇବ ତାହା ସମୟ କହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.