ମହାନଦୀ ବନ୍ୟା ପାଣିରେ ବୁଡ଼ିଛି ଅନୁଗୁଳ ଜିଲ୍ଲା, ଟିକରପଡ଼ାର ୮ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଅନୁଗୁଳ(କେନ୍ୟୁଜ୍) : ମହାନଦୀ ବନ୍ୟା ପାଣିରେ ବୁଡ଼ିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଟିକରପଡ଼ା । ବିଭିନ୍ନ ଅଞ୍ଚଳରେ ପଶିଛି ବନ୍ୟା ପାଣି। ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ାର ୮ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଗଇଁନ୍ଦି, ବେହେରା ସାହି, ମଝିପଡ଼ା, ଟିକରପଡ଼ା ଗାଁ ଜଳବନ୍ଦୀ। ବନ୍ୟା ପାଣିରେ ବୁଡ଼ିଛି ଶତାଧିକ ମାଟି, ଚାଳ ଛପର ଓ କୋଠା ଘର। ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା। ପ୍ରଭାବିତ ଅଞ୍ଚଳର ଲୋକ ଡଙ୍ଗାରେ ନିଜ ଆସବାବପତ୍ର ଓ ପରିବାରକୁ ଧରି ସୁରକ୍ଷିତ ସ୍ଥାନକୁ ଚାଲି ଆସିଛନ୍ତି। ସେହିପରି ଆଠମଲ୍ଲିକ ବ୍ଲକ ଅଏଡ଼ା ପଞ୍ଚାୟତର ଓଳଥ ଗାଁ ଓ ଜାମ୍ବୁଡୋଳି ପଞ୍ଚାୟତର କୁଟୁରୁସିଂହା ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ। ଟିକରପଡ଼ା ଓ ଆଠମଲ୍ଲିକ ବ୍ଲକର ପ୍ରଭାବିତ ପଞ୍ଚାୟତର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ। ଟିକରପଡ଼ାର ତିନି ଶହ ଓ ଆଠମଲ୍ଲିକର ଚାରି ଶହ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟା ଯାଇଛି। ହୀରାକୁଦ ଡ୍ୟାମର ଅଧିକ ଗେଟ୍‌ ଖୋଲୁଥିବାରୁ ଏହି ବ୍ଲକର ଅନ୍ୟ ପଞ୍ଚାୟତଗୁଡ଼ିରେ ମହାନଦୀର ବନ୍ୟା ପାଣି ପ୍ରବେଶ କରିବା ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.