ବାଲେଶ୍ୱର ଜିଲ୍ଲାରେ ଉଛୁଳୁଛି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା, ଆଠଗଡ଼ ସାପୁଆ ନଦୀରେ ମଧ୍ଯ ସମାନ ସ୍ଥିତି

ବାଲେଶ୍ୱର(କେନ୍ଯୁଜ୍) : ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି । ବାଲେଶ୍ୱର ଜିଲ୍ଲାରେ ଉଛୁଳୁଛି ବୁଢ଼ାବଳଙ୍ଗ ଓ ଜଳକା ନଦୀ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ୫ ନମ୍ବର ଜାତୀୟ ରାଜପଥ ନିକଟରେ ବୁଢ଼ାବଳଙ୍ଗର ବିପଦ ସଙ୍କେତ ୮ ଦଶମିକ ୧୩ ମିଟର ଥିବା ବେଳେ ବର୍ତ୍ତମାନ ପ୍ରବାହିତ ହେଉଛି ୮ ଦଶମିକ ୨୨ ମିଟର ବନ୍ୟା ପାଣି । ଫଳରେ ନଦୀର ପାଣି ବିଭିନ୍ନ ଅଞ୍ଚଳରେ ପ୍ରବେଶ କରିଛି । ବୁଡ଼ିଛି ହେକ୍ଟର ହେକ୍ଟର ଚାଷ ଜମି ।

baleswarସେହିପରି ଜଳକା ନଦୀ ବି ଫୁଲିବାରେ ଲାଗିଛି । ମାଥିନିଠାରେ ବିପଦ ସଙ୍କେତ ୫ ଦଶମିକ ୫୦ ମିଟର ଥିବା ବେଳେ ବର୍ତ୍ତମାନ ପ୍ରବାହିତ ହେଉଛି ୬ ଦଶମିକ ୫୦ ମିଟର ବନ୍ୟା ପାଣି । ଫଳରେ ବସ୍ତା-ବାଲିଆପାଳର ପେଜଗଳାରେ ଦୁଇଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି । ବସ୍ତା-ବାଲିଆପାଳ ମଧ୍ୟରେ ବାଧାପ୍ରାପ୍ତ ହୋଇଛି ଗମନାଗମନ । ସେହିପରି ସୁବର୍ଣ୍ଣରେଖା ବି ବଢୁଛି । ରାଜଘାଟରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦ ଦଶମିକ ୩୬ ମିଟର ଥିବା ବେଳେ ବର୍ତ୍ତମାନ ପ୍ରବାହିତ ହେଉଛି ୯ ଦଶମିକ ୪୫ ମିଟର ପାଣି ।

ଆଠଗଡ଼ ସାପୁଆ ନଦୀରେ ବନ୍ୟା :

sapuaଆଠଗଡ଼ ସାପୁଆ ନଦୀରେ ମଧ୍ଯ ବନ୍ଯା ପରିସ୍ଥିତି ଦେଖିବାକୁ ମିଳିଛି । କନ୍ତୋଳ-ମାଳବନ୍ଧଠାରେ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ୧୫ଟି ଗାଁ ପ୍ରଭାବିତ ହୋଇଛି । ଏହି ଗାଁ ଗୁଡ଼ିକରେ ବନ୍ୟା ଜଳ ପଶିଥିବାରୁ ଲୋକେ ଜଳବନ୍ଦୀ ହୋଇଛନ୍ତି । ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ଯାଇଛି । ସେହିପରି ପୁରୁଣା କଟକ ଓ ସମ୍ବଲପୁର ମୁଖ୍ୟ ରାସ୍ତା ଉପରେ ୪ ଫୁଟର ଘାଇ ସୃଷ୍ଟି ହୋଇଛି । ଆଠଗଡ଼ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ପ୍ରମୁଖ ଘଟଣାସ୍ଥଳ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଆଠଗଡ଼ ଘଇଉ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.