ହାତୀ ଘଉଡାଇବାକୁ ଆସିଛନ୍ତି ଫରେଷ୍ଟର କିନ୍ତୁ ନିଜେ ପାଦଟେ ଚାଲିପାରୁନାହାଁନ୍ତି, କହିଲେ ଦେଖାଉଛନ୍ତି ନାଲିଆଖି

ହାତୀ ଘଉଡାଇବା ପାଇଁ ଡ୍ୟୁଟିରେ ଆସିଛନ୍ତି ଫରେଷ୍ଟର ହେଲେ ଟାଙ୍କିଏ ମଦ ପିଇ ।

ସମ୍ବଲପୁର (କେନ୍ୟୁଜ) : ଡ୍ୟୁଟି ସମୟରେ ମାତାଲ ହେଲେ ଫରେଷ୍ଟର । ପାଦଟେ ଚାଲି ପାରୁନାହାଁନ୍ତି, ପାଟି ଖନି ମାରୁଛି । କିଛି ପଚାରିଲେ ପାଟିରୁ ବାହାରୁଛି ଅଭଦ୍ର ଭାଷାରେ ଗାଳି । ପାଦ ଟଳ ମଳ ହେଉଛି ପୁଣି ତାସାଙ୍ଗକୁ ନାଲି ଆଖି ଦେଖାଯାଉଛି । ହାତୀ ଘଉଡାଇବା ପାଇଁ ଡ୍ୟୁଟିରେ ଆସିଛନ୍ତି ଫରେଷ୍ଟର କିନ୍ତୁ ଟାଙ୍କିଏ ମଦ ପିଇ ।

ସଦର ବନାଞ୍ଚଳ ଅନ୍ତର୍ଗତ ଡଙ୍ଗାପାଲ ନିକଟରେ ହାତୀ ଘଉଡାଇବା ସମୟରେ ଜଣେ ବନପାଲ ସ୍ଥାନୀୟ ଲୋକଙ୍କୁ ନିଶାସକ୍ତ ଅବସ୍ଥାରେ ଦୁର୍ବ୍ୟବହାର ପ୍ରଦର୍ଶନ ଓ ଅସଭ୍ୟ ଭାଷାରେ ଗାଲିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ସମୟର ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଯୁଯୁମୁରା ତଥା ବସିଆପଡା ବନବିଭାଗ ସେକ୍ସନର ଫରେଷ୍ଟର ଗିରିସ କୁମାର ଦୋରା ସ୍ଥାନୀୟ ଉପସ୍ଥିତ ଥିବା ଲୋକଙ୍କୁ ଡ୍ୟୁଟି ସମୟରେ ମଦ ପିଇ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସହ ଅସଭ୍ୟ ଭାଷାରେ ଗାଲିଗୁଲଜ କରିଥିବା ନେଇ ଉପସ୍ଥିତ ଲୋକେ ଅଭିଯୋଗ କରୁଥିବା ସ୍ପଷ୍ଟ ଭାବରେ ଜଣାପଡ଼ୁଛି ।

ଅନ୍ୟପକ୍ଷରେ ଏହି ଭିଡିଓଟି ଆଜି ଭାଇରାଲ ହେବାପରେ ସଦର ବନାଞ୍ଚଳ ଅଧିକାରୀ କହିଛନ୍ତି ଯେ ଏବିଷୟରେ ତାଙ୍କୁ ସୁଚନା ମିଳିଥିବା ବେଳେ ଏନେଇ ଅଭିଯୋଗ ଆସିଥିବା ଫରେଷ୍ଟରଙ୍କୁ ଜବାବ୍ ତଲବ କରାଯାଇଛି । ଏହାସହ ଘଟଣା ନେଇ ସେ ନିଜେ ଅନୁସନ୍ଧାନ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ବନାଞ୍ଚଳ ଅଧିକାରୀ ହରିଶଙ୍କର ନାଏକ କହିଛନ୍ତି । ତେବେ ଏ ସମ୍ପର୍କରେ ଉକ୍ତ ଫରେଷ୍ଟରଙ୍କ ପ୍ରତିକ୍ରୀୟା ମିଳିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.