ଲମତାପୁଟ କଡରି ଘାଟିରେ ସ୍କର୍ପିଓ ଗାଡିରୁ ୫୧ ଲକ୍ଷ ଟଙ୍କା ଜବତ ଘଟଣା, ୪ ଜଣଙ୍କୁ ଗିରଫ କରିଛି ପୋଲିସ୍

ନବରଙ୍ଗପୁର: ସ୍କର୍ପିଓ ଗାଡିରୁ ୫୧ ଲକ୍ଷ ୧୬ହଜାର ଟଙ୍କା ଜବତ ଘଟଣାରେ ୪ ଗିରଫ। କୋରାପୁଟ ଲମତାପୁଟ ପୋଲିସ ୪ଜଣଙ୍କୁ ଗିରଫ କରିବା ସହ ୪ଟି ମୋବାଇଲ ଓ ସ୍କର୍ପିଓ ଗାଡି ଜବତ କରିଛି। ହେଲେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା କଷାମଗୁଡ଼ାର ବ୍ୟବସାୟୀକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସ୍ପି କହିଛନ୍ତି। ଗତ ୨୨ ତାରିଖରେ ଲମତାପୁଟ ବ୍ଲକ କଡରି ଘାଟି ନିକଟରେ ପୋଲିସ ଓ ବିଏସ୍ଏଫ୍ ପକ୍ଷରୁ ଗାଡି ଯାଞ୍ଚ କରାଯାଉଥିବାବେଳେ ନମ୍ବର ବିହୀନ ସ୍କର୍ପିଓ ଗାଡି ଦ୍ରୁତ ଗତିରେ ପଳାଇଥିଲା। ବିଏସ୍ଏଫ୍ ପକ୍ଷରୁ ଗାଡିକୁ ଅଟକାଇ ଯାଞ୍ଚ କରିବାବେଳେ ଭିତରୁ ବିପୁଳ ପରିମାଣର ଟଙ୍କା ଜବତ କରିଥିଲେ। ଏସବୁ ଟଙ୍କା ନବରଙ୍ଗପୁର ଜିଲ୍ଲା କଷାଗୁଡାରରୁ ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଗୁନ୍ତାରଗୁଡ଼ା ଗାଁକୁ ଯାଉଥିବା ଜଣାପଡିଛି। ପୋଲିସ ପକ୍ଷରୁ ଗିରଫଙ୍କ ମୋବାଇଲ ଯାଞ୍ଚ କରାଯାଉଛି। ଘଟଣାରେ ସଂପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସ୍ପି କହିଛନ୍ତି।