ବନ୍ଦ ଘରୁ ଆସିଲା ଦୁର୍ଗନ୍ଧ, କବାଟ ଖୋଲି ଦେଖିଲେ ତ ପଡିଛି ଗୋଟିଏ ପରିବାରର ୪ ମୃତଦେହ

ବରଗଡ (କେନ୍ୟୁଜ) : କେଡ଼େ ସୁନ୍ଦର ପରିବାର ଟିଏ । ବାପ ମା, ପୁଅ ଝିଅ ମିଶି ଚାରି ଜଣ । ହସଖୁସିରେ ସଂସାର ଚାଲିଥିଲା । ହେଲେ ଇଏ କଣ ହେଲା ? ସେମାନଙ୍କ ନିଶ୍ୱାସ ବନ୍ଦ ହୋଇଗଲା ଗୋଟିଏ ଦିନରେ । ବନ୍ଦ ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ। ହଠାତ୍ କେହି କିଛି ବୁଝିପାରିଲେନି ବନ୍ଦ ଘର ଭିତରୁ ଏମିତି ଦୁର୍ଗନ୍ଧ କାହିଁକି ଆସୁଛି। ଚାହୁଁ ଚାହୁଁ ଖବର ଚାରିଆଡେ ଖେଳିଗଲା। ଖବର ଦିଆଗଲା ପୋଲିସକୁ। ପୋଲିସ ଆସି ଘର କବାଡ ଭାଙ୍ଗି ଭିତରେ ଯାହା ଦେଖିଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ। ଘର ଭିତରେ ବିଛାଡି ହୋଇ ପଡିଛି ଗୋଟିଏ ପରିବାରର ୪ ମୃତଦେହ। କେହି କିଛି ଭାବିବା ପୂର୍ବରୁ ହିଁ ଶେଷ ହୋଇଯାଇଥିଲା ଶେଷଦେବଙ୍କ ପରିବାର। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବରଗଡ ଜିଲ୍ଲା ଭେଡେନ୍ ବ୍ଲକ ଜାଣ୍ଡୋଲ ଗାଁରେ।

ଏଠାରେ ଗୋଟିଏ ପରିବାରର ଜଳିଲା ୪ଟି ଜୁଇ। ଏକାସାଥିରେ ଜୁଇରେ ଜଳିଲେ ସ୍ୱାମୀ-ସ୍ତ୍ରୀ-ଝିଅ ଓ ପୁଅ। ଆଉ ଶେଷ ହୋଇଗଲା ଶେଷଦେବଙ୍କ ପରିବାର। ଜାଣ୍ତୋଲ ଗାଁ କନ୍ଧପଡାର ଶେଷଦେବ ମେହେରଙ୍କ ଘରୁ ବାହାରୁଥିଲା ର୍ଦୁଗନ୍ଧ। ଭେଡେନ ପୋଲିସକୁ ଖବର ଦେବା ପରେ ଗତକାଲି ରାତ୍ରୀ ସମୟ ପୋଲିସ ଘରକୁ ସିଲ କରିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲା ଗଲା। ଘର ଭିତର କୋଠରୀରେ ପଡିଥିଲା ଶେଷଦେବ ମେହେର ତାଙ୍କ ସ୍ତ୍ରୀ କ୍ଷିରେଶ୍ବରୀ ଝିଅ ଶିବାନୀଙ୍କ ମୃତଦେହ। ଏବଂ ପୁଅ ଅରବିନ୍ଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା ।

ସାଇନ୍ସଟିଫିକ ଟିମ, ସନ୍ଧାନୀ କୁକୁର ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଉଦ୍ଧାର କରି ହତ୍ୟା ମାମଲା ରୁଜୁ କରିବା ସହ ହତ୍ଯାରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । କିଏ ମାରିଲା କେମିତି ମାରିଲା ଏବଂ କେମିତି ହେଲା ଏ ଅଘଟଣ। ଏସବୁ ଏହେବ ରହିଛି ସସପେନ୍ସରେ। ଶେଷଦେବଙ୍କ ଦ୍ବିତୀୟ ସ୍ତ୍ରୀ ଙ୍କ ପୁଅ ପ୍ରଥମେ ନିଜ ବାପା ମା ଓ ଭଉଣୀକୁ ହତ୍ଯା କଲା ପରେ ନିଜେ ଆତ୍ମହତ୍ୟା କରିଥିବା ପଡୋଶୀ ସନ୍ଦେହ କରିଛିନ୍ତି। ହେଲେ ବାପା ମା ଓ ଭଉଣୀଙ୍କୁ ହତ୍ଯା ପରେ ନିଜେ ଆତ୍ମହତ୍ୟା କରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗ୍ରାମବାସୀ ।
ଜାଣ୍ତୋଲ ଗ୍ରାମରେ ଏଭଳି ହୃଦୟ ବିଦାରକ, ଛାତିଥରା ଦୃଶ୍ଯ କେବେ ବି ଘଟି ନ ଥିଲା । ତେବେ କେଉଁ କାରଣ ପାଇଁ ଏଭଳି ଏକ ଜଘନ୍ୟ ହତ୍ଯାକାଣ୍ଡ ଘଟିଛି ତାହା ଶିଘ୍ର ପୋଲିସ ପର୍ଦ୍ଦାଫାଶ କରୁ ବୋଲି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଦାବୀ କରିଛନ୍ତି । ଅନ୍ୟପଟେ ମାଜିଷ୍ଟ୍ରେଟ , ସନ୍ଧାନୀ କୁକୁର , ସାଇନ୍ସଟିଫିକ ଟିମ ଏବଂ ପୋଲିସ ପହଞ୍ଚି ବିଭିନ୍ନ ଦିଗ ଉପରେ ତଦନ୍ତ କରିବା ସହ ହତ୍ଯାକାଣ୍ଡରେ ବ୍ୟବହୃତ ସାମଗ୍ରୀ ଜବତ କରି ମୃତଦେହ ଦେହ ବରଗଡ ଖେଦାପାଲି ସ୍ଥିତ ଶବଦାହ କେନ୍ଦ୍ରକୁ ପଠାଇଥିଲା । ବରଗଡ ଠାରେ ପରିବାରର ୪ ଜଣଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଯେମିତି ଏକା ସାଙ୍ଗରେ ମୃତ୍ୟୁ ଆଉ ଏକା ସାଙ୍ଗରେ ଦାହ ଲେଖାଥିଲା ଏଇ ପରିବାର ଭାଗ୍ୟରେ ।

କିନ୍ତୁ କେଉଁ କାରଣ ପାଇଁ ଓ କେମିତି ଗୋଟେ ପରିବାର ଏପରି ଅକାଳରେ ଜୀବନ ହାରିଲା ସେଇ କଥା ଏବେ ସମସ୍ତଙ୍କ ମୁହଁରେ। ଆମେ ଆଶା କରୁଛୁ ଯେ ପୋଲିସ ମାମଲାର ଉଚିତ ତଦନ୍ତ କରି ଘଟଣାର ପର୍ଦ୍ଦାଫାଶ୍ ନିଶ୍ଚୟ କରିବ।