ଆଜିଠୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ଡିସେମ୍ବର ୯ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଆଜି ଠାରୁ ଡିସେମ୍ବର ୯ ତାରିଖ ଯାଏ ଚାଲିବ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ। ଆଜି ପ୍ରକାଶ ପାଇବ ଚିଠା ଭୋଟର ତାଲିକା। ପ୍ରକାଶିତ ଭୋଟର ତାଲିକାରେ ଥିବା ତ୍ରୁଟି ସୁଧାରିବା ପାଇଁ ଭୋଟରମାନେ ଆପତ୍ତି ଅଭିଯୋଗ କରିପାରିବେ।

(କେନ୍ୟୁଜ): ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଆଜିଠାରୁ ଆରମ୍ଭ ହେଲା ପ୍ରକ୍ରିୟା । ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୨୦୨୩ ଡିସେମ୍ବର ୯ ଯାଏଁ ଆବେଦନ କରି ପାରିବେ ଭୋଟର । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ । ଉଭୟ ଅନଲାଇନ୍ ଓ ଅଫ ଲାଇନ ରେ ହୋଇପାରିବ ଆବେଦନ । ଫର୍ମ -୬ ରେ ନୂଆ ଆବେଦନ, ଫର୍ମ – ୭ ରେ ନାମ ଯୋଗ ଓ ବାଦ୍ କରିହେବ ।

ସେହିପରି ଫର୍ମ- ୮ରେ ତ୍ରୁଟି ସଂଶୋଧନ ହୋଇପାରିବ । ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ ଓ ବୁଥ ସ୍ତରୀୟ ଅଧିକାରୀଙ୍କୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ୨୦୨୩ ଜାନୁଆରୀ ୫ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ଓଡ଼ିଶାରେ ବୁଥ ସଂଖ୍ୟା ଥିଲା ୩୭ ହଜାର ୬୦୬। ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ବୁଥ ସଂଖ୍ୟା ବଢ଼ି ୩୭ ହଜାର ୮୦୯ ରେ ପହଞ୍ଚିଛି। ଗତବର୍ଷ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ୨୦୨୩ ଜାନୁଆରୀ ପହିଲା ସୁଦ୍ଧା ରାଜ୍ୟରେ ମୋଟ ଭୋଟର ସଂଖ୍ୟା ଥିଲା ୩ କୋଟି ୨୩ ଲକ୍ଷ ୫୨ ହଜାର ୧୧୯ । ଶେଷ ସଂଶୋଧନ ସୁଦ୍ଧା ରାଜ୍ୟର ଭୋଟର ସଂଖ୍ୟା ୩ ଲକ୍ଷ ୩ ହଜାର ୯୪ ବା ୦.୯୪% ବଢି ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ ରେ ପହଞ୍ଚିଛି । ଆସନ୍ତା ସାଧାରଣ ନିର୍ବାଚନ ଲାଗି EVM, VVPAT ଆସି ସାରିଛି । ପ୍ରଥମ ପର୍ଯ୍ୟାୟରେ ୧୦ ଟି ଜିଲ୍ଲାରେ EVM, VVPAT ଯାଞ୍ଚ ସରି ଯାଇଛି । ଅନ୍ୟ ୨୦ ଟି ଜିଲ୍ଲାରେ EVM, VVPAT ଯାଞ୍ଚ ନଭେମ୍ବର ପହିଲାରୁ ଆରମ୍ଭ ହୋଇ ନଭେମ୍ବର ୧୫ ଭିତରେ ସରିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.