ପ୍ଲାନ୍‌ ଫେଲ୍‌: ସିମେଣ୍ଟ ବୋଝେଇ ଟ୍ରକରୁ ୫୦ ଲକ୍ଷର ଗଂଜେଇ ଜବତ କଲା ପୋଲିସ

ସିମେଣ୍ଟ ବୋଝେଇ ଟ୍ରକରୁ ୫୦ ଲକ୍ଷ ଟଙ୍କାର ଗଂଜେଇ ଜବତ। ବାହାର ରାଜ୍ୟକୁ ଚାଲାଣ ବେଳେ ମାଡିବସିଲା ମାଛକୁଣ୍ଡ ପୋଲିସ ।ଅନ୍ଧାରର ସୁଯୋଗ ନେଇ ମାଫିଆ ଫେରାର ହୋଇଯାଇଥିବା ବେଳେ ଟ୍ରକକୁ ଜବତ କରିଛି ପୋଲିସ ।

ଲମତାପୁଟ (କେନ୍ୟୁଜ): ସିମେଣ୍ଟ ବୋଝେଇ ଟ୍ରକରୁ ୫୦ ଲକ୍ଷ ଟଙ୍କାର ଗଂଜେଇ ଜବତ। ବାହାର ରାଜ୍ୟକୁ ଚାଲାଣ ବେଳେ ମାଡିବସିଲା ମାଛକୁଣ୍ଡ ପୋଲିସ । ଅନ୍ଧାରର ସୁଯୋଗ ନେଇ ଘଟଣା ସ୍ଥଳରୁ ଖସି ପଳାଇଥିବା ଗଂଜେଇ ମାଫିଆ, ଗାଡି ଚାଳକ ଓ ମାଲିକଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ସିମେଣ୍ଟ ବୋଝେଇ ଟ୍ରକରେ ଗୁଜୁରାଟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ନୂଆଁପୁଟ ଗାଁ ନିକଟରେ ବାହାର ରାଜ୍ୟକୁ ଏକ ଟ୍ରକରେ ଗଞ୍ଜେଇ ଲୋଡ୍‌ ହେଉଥିବା ବେଳେ ଚଢାଉ କରିଥିଲା ପୋଲିସ । ମାଛକୁଣ୍ଡ, ଯୋଲାପୁଟ, ଲମତାପୁଟ ପୋଲିସ ମିଳିତ ଭାବେ ଚଢାଉ କରିଥିଲା । ଅନ୍ଧାରର ସୁଯୋଗ ନେଇ ମାଫିଆ ଫେରାର ହୋଇଯାଇଥିବା ବେଳେ ଟ୍ରକକୁ ଜବତ କରିଛି ପୋଲିସ । ଟ୍ରକକୁ ଯାଞ୍ଚ କରିବାରୁ ୧୦୦ଟି ସିମେଣ୍ଟ ବସ୍ତା ତଳେ ୨୦ ବସ୍ତାରେ ୫ କୁଇଣ୍ଟାଲ୍‌ ୨ କେଜି ଗଞ୍ଜେଇ ବାହାରିଥିଲା । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।