ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜପୁରିୟାକୁ ତିହାର ଜେଲରେ ହତ୍ୟା, ଲୁହା ରଡ ପୁରାଇ ମାରିଥିବା ସୂଚନା

ତିହାର ଜେଲରେ ଗ୍ୟାଙ୍ଗଓ୍ଵାର । ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜପୁରିୟାକୁ ଲୁହା ରଡ ପୁରାଇ ହତ୍ୟା କରାଯାଇଥିବା ସୂଚନା ମିଳିଛି ।ଜିତେନ୍ଦ୍ର ଗୋଗିକୁ ହତ୍ୟା କରିବାର ଅଭିଯୋଗରେ ଟିଲ୍ଲୁ ତିହାର ଜେଲରେ ବନ୍ଦ ରହିଥିଲା ।

ଦେଶର ହାଇ ସିକ୍ୟୁରିଟି ଜେଲ୍‌ କୁହାଯାଉଥିବା ତିହାର ଜେଲରେ ଗ୍ୟାଙ୍ଗଓ୍ଵାର ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଗ୍ୟାଙ୍ଗଓ୍ଵାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜପୁରିୟାକୁ ହତ୍ୟା କରାଯାଇଛି । ଗ୍ୟାଙ୍ଗଷ୍ଟର ଟିଲ୍ଲୁ ନାମରେ ରୋହିଣୀ କୋର୍ଟରେ ସୁଟଆଉଟ୍‌ କରିବାର ଅଭିଯୋଗ ଲାଗିଥିଲା । ଜିତେନ୍ଦ୍ର ଗୋଗିକୁ ହତ୍ୟା କରିବାର ଅଭିଯୋଗ ରହିଥିଲା ।

ଖବର ମୁତାବକ, ତିହାର ଜେଲରେ ଯୋଗେଶ ଟୁଣ୍ଡା ଏବଂ ତା’ର ସାଥି ଦୀପକ ତିତର ଲୁହା ରଡରେ ଟିଲ୍ଲୁ ଉପରେ ଆକ୍ରମଣ କରିଥିଲେ । ଏହାପରେ ଟିଲ୍ଲୁ କୁ ଡିଡିୟୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳ ୬.୩୦ ମିନିଟରେ ଟିଲ୍ଲୁର ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ ଏହାକୁ ନେଇ ତିହାର ଜେଲ ପ୍ରଶାସନ ହାର୍ଟଆଟାକ ହୋଇ ମୃତ୍ୟୁ ହୋଇଥିବା କହିଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

ଟିଲ୍ଲୁ ତିହାର ଜେଲରୁ କୁଖ୍ୟାତ ଅପରାଧୀ ନବୀନ ବାଲି, କୌଶଲ ଏବଂ ଗ୍ୟାଙ୍ଗଷ୍ଟର ନୀରଜକ ବବାନିୟା ସହିତ ମିଶି ଗ୍ୟାଙ୍ଗ୍‌ ଅପରେଟ କରୁଥିଲା । ଟିଲ୍ଲୁର ନାମ ରୋହିଣୀ କୋର୍ଟ ସୁଟଆଉଟ୍‌ରେ ଆସିଥିଲା ।

୨୦୨୧ ସେପ୍ଟେମ୍ବରରେ ରୋହିଣୀ କୋର୍ଟରେ ଓକିଲ ଡ୍ରେସ ପିନ୍ଧି ଦୁଇଜଣ ଆକ୍ରମଣକାରୀ ଜଜଙ୍କ ସାମ୍ନାରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗୀକୁ ଗୁଳି କରିଥିଲେ । ସେଠାରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ରର ମୃତ୍ୟୁ ହୋଇଥିଲା । ପୋଲିସ ଏହାର ପ୍ରତିବଦଳରେ ଗୁଳି ଚଳାଇଥିଲା ଫଳରେ ଦୁଇଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ଟିଲ୍ଲୁ ମଣ୍ଡୋଲି ଜେଲରେ ବନ୍ଦ ଥିଲା ଆଉ ଗୋଗୀ ଗ୍ୟାଙ୍ଗ ସହିତ ଶତ୍ରୁତା ଥିଲା ବୋଲି ସୁଟ୍‌ଆଉଟ୍‌ରେ ସଂପୃକ୍ତ ଥିବା ପୋଲିସ କହିଥିଲା ।

ପୂର୍ବରୁ ଟିଲ୍ଲୁ ଏବଂ ଗୋଗୀ ଉଭୟ ବନ୍ଧୁ ଥିଲେ । କିନ୍ତୁ ୨୦୧୦ରେ ଦିଲ୍ଲୀର ଏକ କଲେଜ ଚାତ୍ରସଂଘ ନିର୍ବାଚନ ପର ଠାରୁ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଯାଇଥିଲା ।

ଟିଲ୍ଲୁ ପ୍ରଥମେ ଦିଲ୍ଲୀର ମଣ୍ଡୋଲୀ ଜେଲରେ ବନ୍ଦ ଥିଲା । କିନ୍ତୁ ଜିତେନ୍ଦ୍ରଗୋଗୀ ହତ୍ୟାକାଣ୍ଡ ପରେ ତାକୁ ତିହାର ଜେଲକୁ ସିଫ୍ଟ କରାଯାଇଥିଲା । ସେଠାରୁ ହିଁ ଟିଲ୍ଲୁ ନିଜର ଗ୍ୟାଙ୍ଗ ଚଲାଉଥିଲା । ଟିଲ୍ଲୁ ତାଜପୁରିୟା ଗାଁର ହୋଇଥିବାରୁ ତାର ନାମ ଟିଲ୍ଲୁ ତାଜପୁରିୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.