ଦଶହରା ଅବସରରେ ରସୁଲପୁର ବ୍ଲକରେ ପାଳିତ ହେଉଛି ବଳଦ ଯାତ୍ରା, କ’ଣ ଏହି ପରମ୍ପରା ଜାଣନ୍ତୁ 

ଦୁର୍ଗା ପୂଜା ସମୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । କେଉଁଠି ନିଆରା ଢଙ୍ଗରେ ମାଙ୍କର ପୂଜା ପରମ୍ପରା ରହିଥାଏ ତ ଆଉଁ କେଉଁଠି ବିଭିନ୍ନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଇ ଯେପରି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ଠାରେ ଦଶହରା ଅବସରରେ ପାଳିତ ହେଉଥିବା ବଳଦ ଯାତ୍ରା ବା ଘର ବାହୁଡା ଯାତ୍ରା । ଏ ପରମ୍ପରା ହେଉଛି ବର୍ଷ ବର୍ଷର । କ’ଣ ରହିଛି ଏହି ପୂଜାର ସ୍ୱତନ୍ତ୍ରତା ଜାଣନ୍ତୁ

ପବିତ୍ର ଦଶହରା ଅବସରରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ଠାରେ ଅନୁଷ୍ଠିତ ହୋଇଥାଏ ବଳଦ ଯାତ୍ରା । ଏହାକୁ ଘର ବାହୁଡା ଯାତ୍ରା ମଧ୍ୟ କୁହାଯାଇଥାଏ । ଚଳିତ ବର୍ଷ ବିଜୟା ଦଶମୀ ଅବସରରେ ୬୩ତମ ଦଶହରା ବଳଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଅଂଚଳର ଲୋକମାନେ ବଳଦ ଗୁଡିକୁ ବିଭିନ୍ନ ବେଶରେ ସଜାଇ ପ୍ରତିଯୋଗିତାକୁ ଆଣିଥାନ୍ତି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବଳଦଗୁଡିକୁ ଚିହ୍ନଟ କରାଯାଇ ସେମାନଙ୍କ ଗ୍ରୁପକୁ ଅର୍ଥ ରାଶି ସହ ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ୩୦ରୁ ଉର୍ଦ୍ଧ୍ୱ ବଳଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା ।

ପରମ୍ପରା ଅନୁଯାୟୀ ଯେତେବେଳେ ଗାଡି ମୋଟରର ସୁବିଧା ନଥିଲା ସେତେବେଳେ ଅଂଚଳର ଲୋକମାନେ ପିଠିଆ ବଳଦମାନଙ୍କ ସହାୟତାରେ ବେପାର ବଣିଜ କରୁଥିଲେ । ଦଶହରା ଦିନ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବଳଦଗୁଡିକୁ ସଜାଇ ଯାତ୍ରାର ଶୁଭାରମ୍ଭ କରିଥାନ୍ତି । କାଳକ୍ରମେ ରାସ୍ତା ଓ ଗାଡିମୋଟରର ସୁବିଧା ହେବା ପରେ ଏହି ପରମ୍ପରା ହଜିବାକୁ ବସିଛି । ତେବେ ଏହାକୁ ଉଜ୍ଜିବୀତ କରି ରଖିବା ପାଇଁ ଅଂଚଳବାସୀ ଏକମାସ ପୂର୍ବରୁ ବଳଦଗୁଡିକୁ ବିଭିନ୍ନ ସ୍ଥାନରୁ ଆଣି ପ୍ରତିଯୋଗିତାରେ ଅଂଶଗ୍ରହଣ କରାଇଥାନ୍ତି । ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁ ପରମ୍ପରାରେ ରୋକ ଲାଗିଥିଲା । ଚଳିତ ବର୍ଷ ଏହି ଯାତ୍ରା ବେଶ ଆଡମ୍ବର ସହକାରେ ପାଳନ ହୋଇଥିବା ବେଳେ ଏହାକୁ ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.