ସାବାସ୍‌ ଶୁଭଲକ୍ଷ୍ମୀ : ଆଇଏଏସ୍‌ ସ୍ୱପ୍ନ ପୂରଣ କରିବାକୁ ଚା’ ବିକୁଛନ୍ତି ଛାତ୍ରୀ

ଢେଙ୍କାନାଳ (କେନ୍ୟୁଜ୍‌) : ଆଇଏଏସ ହେବାର ସ୍ୱପ୍ନ ଦେଖିଛି ଝିଅଟି । ହେଲେ ସେତିକି ଅର୍ଥ ବଳ ନାହିଁ । ତେଣୁ ରାଜରାସ୍ତାରେ ଚା ବିକୁଛି । ଢେଙ୍କାନାଳ ଜିଲ୍ଲା ସିମିନଇ ଗାଁର ପ୍ରମୋଦ ପରିଡ଼ାଙ୍କ ସାନ ଝିଅ ଶୁଭଲକ୍ଷ୍ମୀ ପରିଡ଼ା। ୧୯ ବର୍ଷ ବୟସର ଏହି ଛାତ୍ରୀ ଢଙ୍କାନାଳ ସହରରେ ହର୍ବାଲ ଚା ବିକୁଛନ୍ତି ।

ପାଠ ପଢା ବୟସରେ ଘରର ଆର୍ଥିକ ଅବସ୍ଥା ବହୁ ଖରାପ ଥିଲା। ବାପା ଜଣେ ଦିନ ମଜୁରିଆ । ଦାନା ଗଣ୍ଡେ ଯୋଗାଡ଼ କରିବାକୁ ଖୁବ୍‌ ସଂଘର୍ଷ କରନ୍ତି । ପରିବାରର ବୋଝ ନିଜେ ସମ୍ଭାଳିବାକୁ ଯାଇ ଚା ବିକୁଛନ୍ତି ଶୁଭଲକ୍ଷ୍ମୀ। ଅନ୍ୟ ଚା’ଠାରୁ ଶୁଭଲକ୍ଷ୍ମୀଙ୍କ ଚା’ ଭିନ୍ନ ଧରଣର ଥିବାରୁ ତାଙ୍କ ଦୋକାନରେ ଗ୍ରାହକଙ୍କର ବେଶ ଭିଡ ଜମୁଛି।

ଢେଙ୍କାନାଳ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତ ୩ରେ ପାଠ ପଢୁଛନ୍ତି ଶୁଭଲକ୍ଷ୍ମୀ। ବାପା, ମାଆ, ଭାଇ ଓ ଦୁଇ ଭଉଣୀଙ୍କୁ ନେଇ ତାଙ୍କ ପରିବାର। ବଡ଼ ଭଉଣୀ ବାହା ହୋଇଯାଇଛନ୍ତି। ଭାଇ ଭୁବନେଶ୍ୱରର ଏକ ସଂସ୍ଥାରେ ସେଲ୍ସମ୍ୟାନ୍‌ ଭାବେ କାମ କରୁଛନ୍ତି। ବାପା ଜଣେ ଦିନ ମଜୁରିଆ । ଭବିଷ୍ୟତରେ ଆଇଏଏସ ହେବାର ସ୍ୱପ୍ନ ଦେଖିଥିବା ଶୁଭଲକ୍ଷ୍ମୀ ଚା ଦୋକାନ କରି ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଚେଷ୍ଟା ଚଳାଇଛନ୍ତି । ମାତ୍ର ତାଙ୍କର ଇଚ୍ଛାଶକ୍ତି ଆଗରେ ଅର୍ଥ ବାଧକ ସାଜିଛି। ତଥାପି ସମାଜର ଟାହି ଟାପରାକୁ ଖାତିର ନକରି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ସେ ଖୋଲିଛନ୍ତି ଏହି ଅର୍ଗାନିକ ଟି ଷ୍ଟଲ।

ପ୍ରତିଦିନ ସନ୍ଧ୍ୟାରେ ଚା’ ବିକୁଛନ୍ତି ଆଉ ଦିନରେ ପାଠ ପଢୁଛନ୍ତି। ମାଟି ପାତ୍ରରେ ଅର୍ଗାନିକ ଚା ପ୍ରସ୍ତୁତ କରୁଛନ୍ତି। ଚା’ରେ ଗୋଲାପ ପାଖୁଡା, ତେଜପତ୍ର, ଧାନିତ୍ରୀ ପତ୍ର ଓ କ୍ଷୀର ପକାଇଥାନ୍ତି। ଯାହା ଭିନ୍ନ ଏକ ବାସ୍ନା ଏବଂ ସ୍ୱାଦ ଦେଇଥାଏ ।

ତେବେ ଚା ପାଇଁ ଯେତିକି ନୁହେଁ ତାଙ୍କର ପାଠ ପଢ଼ିବାର ଇଚ୍ଛା ଏବଂ ଜୀବନର ଲକ୍ଷ୍ୟ ପୂରଣ ପାଇଁ ରାଜରାସ୍ତାକୁ ଏଭଳି ଭାବେ ଓହ୍ଲାଇବାର ସାହସକୁ ସସ୍ତେ ତାରିଫ କରୁଛନ୍ତି । କଣ ଅନ୍ୟ ପାଠ ପଢୁଆମାନେ ଶୁଭଲକ୍ଷ୍ମୀଙ୍କ ଠାରୁ କିଛି ଶିଖିବେ ?