ବୌଦ୍ଧ ସନ୍ୟାସୀଙ୍କ ମନ୍ତ୍ର ଉଚ୍ଚାରଣରେ ଝଙ୍କୃତ ହେଲା ଧଉଳି ଶାନ୍ତିସ୍ତୁପ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ନୂଆ ରୂପରେ ସଜେଇ ହୋଇଥିଲା ଶାନ୍ତିସ୍ତୁପ। ବୌଦ୍ଧ ସନ୍ୟାସୀଙ୍କ ମନ୍ତ୍ର ଉଚ୍ଚାରଣରେ ଝଙ୍କୃତ ହେଉଥିଲା ପରିବେଶ। ବର୍ଣ୍ଣାଢ୍ୟ ଉତ୍ସବରେ ପାଳିତ ହୋଇଛି ଭୁବନେଶ୍ୱର ଉପକଣ୍ଠ ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହ। ଶାନ୍ତିର ବାର୍ତ୍ତା ବହନ କରୁଥିବା ଏହି ସ୍ତୁପର ୫୦ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ନିମନ୍ତ୍ରିତ ହୋଇଥିଲେ ବିଶ୍ୱର କୋଣ ଅନୁକୋଣରୁ ଶତାଧିକ ନିମନ୍ତ୍ରିତ ବୌଦ୍ଧ ସନ୍ୟାସୀ। ଧଉଳି ଶାନ୍ତିସ୍ତୁପ ହେଉଛି ମାନବତା ବିଜୟର ବଡ଼ ପ୍ରତୀକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଠାରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ । ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରୁଛି ଧଉଳି ଶାନ୍ତିସ୍ତୁପ। ଏହାର ବିକାଶ ପାଇଁ ଓଡ଼ିଶା ସରକାର ବହୁ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଶାନ୍ତିସ୍ତୁପର ସେନ୍ଦର୍ଯ୍ଯକରଣ ସହ ବିକାଶ ପାଇଁ ରାଜ୍ୟ ସରକାର ନାନା ପଦକ୍ଷେପ ନେଉଛନ୍ତି। ଏହାକୁ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ। ଏହି ଅବସରରେ ୯୫ କୋଟି ଟଙ୍କା ବ୍ୟୟରେ ଦୟା ନଦୀରେ ଏକ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ପୃଥବୀର ବିଭିନ୍ନ ଦେଶରୁ ଏକାଠି ହୋଇଥିବା ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଥିଲେ। ଖୁବଶୀଘ୍ର ଧଉଳିରେ ଏକ ରୋପ୍‌ ୱେ ମଧ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା।
ଶାନ୍ତି ଓ ମୈତ୍ରୀର ପ୍ରତୀକ ଧଉଳି ଶାନ୍ତିସ୍ତୁପ। ୫୦ ବର୍ଷ ତଳେ ଜାପାନ ସହଯୋଗରେ ଧଉଳି ଶାନ୍ତିସ୍ତୁପ ପ୍ରତିଷ୍ଠା ହୋଇଥିଲା । ୧୯୬୯ରେ ଓଡ଼ିଶାର ଧଉଳିଗିରିରେ ଶାନ୍ତିସ୍ତୁପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହାପରେ ଗୁରୁଜୀ ନିଚିଦାତସୁ ଫୁଜି ଓ ଅନ୍ୟ ବୌଦ୍ଧ ସନ୍ୟାସୀ ଆସିଥିଲେ ଓଡ଼ିଶା। ଜାନୁଆରୀ ୮ରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ୧୯୭୦ରେ କଳିଙ୍ଗ ନିପନ (ଜାପାନ) ବୁଦ୍ଧ ସଂଘ ଗଠନ କରାଯାଇଥିଲା । ଶାନ୍ତିସ୍ତୁପ ପାଇଁ ୧୧ ଏକର ଜାଗା ଯୋଗାଇ ଦେଇଥିଲେ ସରକାର । ୧୯୭୧ ଜାନୁଆରୀ ୨୫ରେ ଧଉଳି ଶାନ୍ତିସ୍ତୁପର ଭୂମିପୂଜା ହୋଇଥିଲା। ୧୯୭୨ ମସିହା ଅକ୍ଟୋବର ୨୮ରେ ଶେଷ ହୋଇଥିଲା ସ୍ତୁପ ନିର୍ମାଣ । ସେହିବର୍ଷ ନଭେମ୍ବର ୮ ତାରିଖରେ ଧଉଳି ଶାନ୍ତିସ୍ତୁପ ଉଦଘାଟିତ ହୋଇଥିଲା। ଧଉଳି ଶାନ୍ତିସ୍ତୁପ ବିଶ୍ୱରେ ୩୭ତମ ଶାନ୍ତିସ୍ତୁପ ଭାବରେ ପରିଗଣିତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.