ଗୋଲଡେନ୍‌ ବୟ ସୁରିଆ, ନିଜକୁ ଭିନ୍ନ ରୂପରେ ସଜାଇ ଲୋକଙ୍କୁ କରୁଛନ୍ତି ଆକୃଷ୍ଟ

ଭୁବନେଶ୍ୱର (କେନ୍ୟୁଜ) : ହାଟ ବଜାର, ମେଳା ମହୋତ୍ସବରେ ଅନେକ ଲୋକ ନିଜ ନିଜର ବ୍ୟବସାୟ ମେଲି ବସିଥାନ୍ତି । ଯିଏ ଯାହାର ବ୍ୟବସାୟରେ ବ୍ୟସ୍ତ ରୁହନ୍ତି। ଲୋକଙ୍କର ଯିବା ଆସିବା ଗହଳି ଲାଗି ରହିଥାଏ । ସେହି ଜନ ଗହଳି ଭିତରେ ନିଜକୁ ଭିନ୍ନ ରୂପରେ ସଜେଇ ପ୍ରତ୍ୟେକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାର ଲାଗି ପଡିଥାନ୍ତି ଜଣେ ଯୁବକ। ଛୁଆରୁ ବୁଢ଼ା ଯାଏ, ଭେଣ୍ଡିଆରୁ ବୁଢ଼ୀ ଯାଏ ସତେ ଯେମିତି ସମସ୍ତେ ସେହି ସ୍ଥିର ଜୀବନ୍ତ ମୂର୍ତ୍ତି ପାଇଁ ପାଗଳ। ଯିଏ ଆସୁଥାନ୍ତି ସିଏ ସେହି ମୂର୍ତ୍ତି ପାଖରେ ଫଟୋ ନେବା ପାଇଁ ଭୁଲନ୍ତି ନାହିଁ। ଫଟୋ ଅବା ସେଲ୍ଫି ନେଇ ସରିଲା ପରେ ପାଖରେ ଥୁଆ ହୋଇଥିବା ଗୋଟିଏ ଛୋଟ ଡବାରେ କିଛି ଟଙ୍କା ଗେଞ୍ଜି ଦେ ଇ ଯାଆନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲ ଭୁବନେଶ୍ୱରର ତୋଷାଳି ମେଳା ଭିଡ଼ରେ । ତାରି ଭିତରେ ନିଜକୁ ହଜେଇ ଦେଇଥାଏ ଏହି ଗୋଲ୍ଡେନ ବଏ ।

କିଏ ଛୁଆ କାଖେଇ ତ କିଏ ପରିବାର ସହିତ, କିଏ ପୁଣି ଆସାମରୁ ତ କିଏ ଅନ୍ୟ କେଉଁ ରାଜ୍ୟ ଅବା ଜିଲ୍ଲାରୁ ଆସିଥାନ୍ତି ତୋଷାଳି ମେଳା ଦେଖିବାକୁ । ଅନ୍ୟ ସବୁ ଭିତରେ ମେଳାର ସବୁଠାରୁ ବେଶି ଆକର୍ଷଣ ସାଉଁଟୁ ଥିଲା ‘ଗୋଲ୍ଡେନ ବୟ’ । ସୁନା ରଙ୍ଗର ବାର୍ଣ୍ଣିସ୍‌ ବୋଳା ଯୁବକ। କାହିଁକି ଏ ଯୁବକ ଆଜି ଏଭଳି ରଙ୍ଗ ବୋଳିଛି ? କଣ ତାଙ୍କର ଉଦ୍ଦେଶ୍ୟ ସେକଥା ଜାଣିବା ପାଇଁ ସେ ରହୁଥିବା ଘରକୁ ଗଲୁ । ଯୁବକ ଜଣଙ୍କ ହେଉଛନ୍ତି ସୂର୍ଯ୍ୟକାନ୍ତ ପାତ୍ର। ସମସ୍ତେ ସୁରିଆ ବୋଲି ଡାକନ୍ତି। ଘର ଯାଜପୁର ଜିଲ୍ଲାରେ। ଭୁବନେଶ୍ୱର ଭୀମାଟାଙ୍ଗି ଅଞ୍ଚଳରେ ବଖରେ ବୋଲି ଘରେ ଭଡ଼ାରେ ରୁହନ୍ତି । ଘରେ ବାପା ମାଆ ଭାଇ ଭଉଣୀ ସମସ୍ତେ ଅଛନ୍ତି।

ପୂର୍ବରୁ ଓଡ଼ିଶା ବାହାରେ କାମ କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ। କିନ୍ତୁ କରୋନା ପରେ ହାତରୁ ଚାକିରି ଚାଲିଗଲା । ଏହା ପରେ Facebook ଆଉ YouTube ଦେଖି ବାଛି ଥିଲେ ଏହି ବାଣ୍ଣିସ୍‌ ବୋଳା କଳାକୁ। ଆଉ ସେହି କୌଶଳ ତାଙ୍କୁ ରୋଜଗାର ଦେଲା । ବଞ୍ଚିବାର ରାହା ପାଇଲେ। ସଞ୍ଜ ଛୁଇଁବା ପୂର୍ବରୁ ମୁହଁରେ ସୁନା ରଙ୍ଗ ବୋଳିବା ଆରମ୍ଭ କରନ୍ତି । ପରେ ସୁନା ରଙ୍ଗର ପ୍ୟାଣ୍ଟ୍ ସାର୍ଟ ସହିତ ହାଣ୍ଡ ଗ୍ଲୋବସ , ଟୋପି ଆଉ ଚଷମା ପିନ୍ଧା ହୁଏ । ଏସବୁ ସରିଲେ ଗାଡ଼ି ଧରି ବାହାରି ପଡନ୍ତି କର୍ମ କ୍ଷେତ୍ରକୁ ।

କେବେ ମାର୍କେଟ ବିଲ୍ଡିଂ କମ୍ପ୍ଲେକ୍ସ ତ ଆଉ କେଉଁଠାରେ ଷ୍ଟାଚୁ ହୋଇ ଠିଆ ହୋଇ ପଡନ୍ତି। ଲାଗେ ସତେ ଯେମିତି ମୂର୍ତ୍ତିଟିଏ ଠିଆ ହୋଇଛି । ତାଙ୍କୁ ଏମିତି ଭଙ୍‌ଗୀରେ ଦେଖି ଲୋକେ ଖୁସି ହୁଅନ୍ତି, ତାଙ୍କ ସହ ଫଟୋ ଉଠାନ୍ତି । ସମସ୍ତଙ୍କୁ ଗୋଟିଏ ଖୁସିର ଖୋରାକ ଯୋଗାଇ ଥାଆନ୍ତି ସୁରିଆ। ହେଲେ ଏଇ କୌଶଳ ଶିଖିବାକୁ ତାଙ୍କୁ ଦୀର୍ଘ ଛଅ ମାସ ସମୟ ଲଗିଥିଲା। ମନରେ ଅନେକ ଆଶା ଆକାଂକ୍ଷା ରଖିଛନ୍ତି ସେ । ଦିନେ ବଡ ପରଦାର କଳାକାର ହୋଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଚାହୁଁଛନ୍ତି ସୁରିଆ । ହେଲେ କଥାରେ ଅଛି ‘ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଓଟାରି ତେଣିକି ଯାଇ’ । ତେଣୁ ସୁରିଆଙ୍କ ଭାଗ୍ୟ କେଉଁଆଡ଼େ ଯାଉଛି ସେକଥା ସେହି ଭଗବାନ ହିଁ ଜାଣନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.