ଆଜି ପୁରୀରେ ଗୋଷାଣି ମେଳଣ: ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ସହ ଉଠିବ ମହାଦୀପ
ପୁରୀ(କେନ୍ୟୁଜ୍): ଆଜି ପୁରୀରେ ଅନୁଷ୍ଠିତ ହେବ ଗୋଷାଣି ମେଳଣ। ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣି ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବ। ମହାଦୀପ ଉଠିବା ପରେ ମେଲାଣି ଉତ୍ସବ।
ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ଶେଷରେ ଭସାଣ ଉତ୍ସବର ରହିଛି ସ୍ୱତନ୍ତ୍ରତା। ସିଂହଦ୍ୱାର ନିକଟରେ ସାତ ସାହି ୪୨ ଗଳିର ପ୍ରାୟ ୬୦ଟି ମେଢ ଏକାଠି ହେବେ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାଦୀପ ଉଠିଲେ ଦର୍ଶନ କରି ଗୋଷାଣୀମାନେ ଜଣେ ପରେ ଜଣେ ମେଲାଣିରେ ବାହାରିବେ। ସେଥିପାଇଁ ଆଜି ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ନୀତି:
ସେହିପରି ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ନୀତି । ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ। ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀଜିଉଙ୍କ ଏହି ବେଶକୁ ଭକ୍ତମାନେ ଭିତରକାଠ ନିକଟରୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି।