Below header

ଏଣିକି କଏଦୀଙ୍କ ଦେହରେ ଲାଗିବ ଜିପିଏସ୍‌, ନଷ୍ଟ କରିବାକୁ ଚେଷ୍ଟା କଲେ ଥାନାକୁ ଯିବ ଆଲର୍ଟ

କଏଦୀଙ୍କ ଆଣ୍ଠୁରେ ଲାଗିବ ଜିପିଏସ୍ ଟ୍ରାକର୍ । ଏହା ଦ୍ୱାରା ସଂପୃକ୍ତ ବିଚାରାଧୀନ କଏଦୀଙ୍କ ସମସ୍ତ ଗତିବିଧି ଓ କାର୍ଯ୍ୟକଳାପ ସଂପର୍କରେ ଜାଣିପାରିବେ ଜେଲ୍ କର୍ତ୍ତୃପକ୍ଷ ।

ଭୁବନେଶ୍ୱର (କେନ୍ୟୁଜ): ପୋଲିସ ଆଖିରେ ଆଉ ଧୂଳି ଦେଇ ପାରିବେନି ଅପରାଧୀ । କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ । ଜେଲ୍‌ରୁ କଏଦୀଙ୍କ ବୋଝ କମାଇବାକୁ ହାଇଟେକ୍‌ ପ୍ରସ୍ତାବ। ଅନେକ ସମୟରେ ଅପରାଧୀମାନେ ଜାମିନରେ ବାହାରକୁ ଯିବା ପରେ ପୁଣି ଥରେ ସମାନ ଧରଣର ଅପରାଧ ଘଟାଇଥାନ୍ତି । ଏହାକୁ ରୋକିବା ପାଇଁ କଏଦୀଙ୍କ ଗୋଡରେ ଜିପିଏସ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି, ଜେଲ୍ ଡିଜି ମନୋଜ ଛାବ୍ରା । ସଂସଦୀୟ ବ୍ୟାପାର କମିଟିକୁ ସେ ଏହି ପ୍ରସ୍ତାବ ଦେଇଛନ୍ତି ।

ଜେଲ ଡିଜିଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର କମିଟି ପ୍ରଶଂସା କରିଛନ୍ତି । ପ୍ରସ୍ତାବ ଅନୁସାରେ ଯେଉଁ କଏଦୀଙ୍କ ଅପରାଧର ଦଣ୍ଡ ୭ ବର୍ଷରୁ କମ୍ ହୋଇଥିବ, ଜଘନ୍ୟ ଅପରାଧରେ ସଂପୃକ୍ତ ନ ଥିବେ, ସାଧାରଣ ମାମଲାରେ ଅଭିଯୁକ୍ତ ଥିବେ-ସେମିତି ବନ୍ଦୀଙ୍କ ଦେହରେ ଏହି ଜିପିଏସ୍ ଲଗାଇ ଘରେ ଛାଡ଼ି ଦିଆଯିବ । ଆଣ୍ଠୁରେ ଲାଗିବ ଏହି ଜିପିଏସ୍ ଟ୍ରାକର୍ । ଏହା ଦ୍ୱାରା ସଂପୃକ୍ତ ବିଚାରାଧୀନ କଏଦୀଙ୍କ ସମସ୍ତ ଗତିବିଧି ଓ କାର୍ଯ୍ୟକଳାପ ସଂପର୍କରେ ଜାଣିପାରିବେ ଜେଲ୍ କର୍ତ୍ତୃପକ୍ଷ ।

ଜିପିଏସ୍ ଟ୍ରାକରକୁ ନଷ୍ଟ କରିବାକୁ କିମ୍ବା ଭାଙ୍ଗିବାକୁ ଚେଷ୍ଟା କରାଗଲେ, ତୁରନ୍ତ ସ୍ଥାନୀୟ ଥାନାକୁ ସୂଚନା ଚାଲିଯିବ। ଫଳରେ ତୁରନ୍ତ ପୁଲିସ୍‌ ସେମାନଙ୍କୁ କାବୁ କରି ପାରିବ । ଏହାଦ୍ୱାରା ଜେଲରେ କ୍ଷମତାଠୁ ଅଧିକ ବନ୍ଦୀ ରହିବା ଯୋଗୁ ପଡ଼ୁଥିବା ଚାପକୁ କମାଇ ହେବ । ଏଥିସହ ଛୋଟମୋଟ ଅପରାଧର କଏଦୀ ଜେଲ୍‌ରେ ରହିଲେ ରାଜ୍ୟ ସରକାରଙ୍କ ଉପରେ ପଡ଼ୁଥିବା ଆର୍ଥିକ ବୋଝ ବି କମିଯିବ ।

ଏ ସମ୍ପର୍କରେ ଜେଲ୍ ଡିଜି ମନୋଜ କୁମାର ଛାବ୍ରା କହିଛନ୍ତି ସାରା ଦେଶରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ । ଜେଲ ଅନ୍ତେବାସୀଙ୍କ ଗୋଡରେ ଲାଗିବ ଜିପିଏସ୍ । ଟ୍ୟାମ୍ପର କଲେ ବାଜିବ ଆଲାର୍ମ । 5T ଅଧୀନକୁ ଜେଲ ବିଭାଗ ଆସିବା ପରେ ବ୍ୟବସ୍ଥାରେ ସୁଧାର ହୋଇଛି । କ୍ଷମତାଠାରୁ କଏଦୀଙ୍କ ସଂଖ୍ୟା ବୃଦ୍ଧି ପରେ ଜେଲ ବିଭାଗ ଅଭିନବ ପଦକ୍ଷେପ ନେଇଛି । କାଳକୋଠରୀ ନୁହେଁ ବରଂ ସୁଧାର ଗୃହ ଭାବେ କାମ କରିବା ପ୍ରୟାସ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.