ବିଜେଡି ବିରୋଧରେ ବିରୋଧୀଙ୍କ ମେଳି, ଦାନା ବାନ୍ଧୁଛି ରାଜ୍ୟରେ ମହାମେଣ୍ଟ ଗଠନ

ଭୁବନେଶ୍ବର : ବିଜେଡି ବିରୋଧରେ ମେଳି ବାନ୍ଧୁଛନ୍ତି ବିରୋଧୀ । ଦାନା ବାନ୍ଧୁଛି ରାଜ୍ୟରେ ମହାମେଣ୍ଟ ଗଠନ। ଚାଲିଛି ନେତା ନେତାଙ୍କ ମଧ୍ୟରେ କଥାବାର୍ତ୍ତା। ବୈଜୟନ୍ତ, ଦାମବାବୁ, ବ୍ରଜ ତ୍ରିପାଠୀଙ୍କ ସହ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ବିରୋଧରେ ଲଢିବା ପାଇଁ ଗଠନ ହେବାକୁ ଯାଉଛି ମହାମେଣ୍ଟ। ଏଭଳି ସୂଚନା ଦେଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ହେଲେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କ ଭୂମିକା ମହାମେଣ୍ଟ ଗଠନରେ ରହିବ କି ନାହିଁ ତାହା ସ୍ପଷ୍ଟ ହୋଇନି। ଖାରବେଳ କହିଛନ୍ତି, ବିଜେଡି ସରକାର ବିରୋଧରେ ରାଜ୍ୟରେ ଅନ୍ତଃସ୍ରୋତ ରହିଛି। ଆସନ୍ତା ୧୫ ଦିନ ମଧ୍ୟରେ ମହାମେଣ୍ଟ ଗଠନ ନେଇ ରୂପରେଖ ସ୍ପଷ୍ଟ ହେବ। ଏହି ମହାମେଣ୍ଟ ବିଜେପି ସହ ବୁଝାମଣା କରିପାରେ ବୋଲି ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି ଖାରବେଳ।

ଏବେ ଜାତୀୟ ରାଜନୀତିରେ ମହାମେଣ୍ଟକୁ ନେଇ ଜୋର ଧରିଛି ଅଙ୍କକଷା। ପ୍ରଥମେ ବିହାରରେ ମହାଗଠବନ୍ଧନକୁ ସଫଳତା ମିଳିବା ପରେ ଏବେ ଉତ୍ତରପ୍ରଦେଶରେ ମହାମେଣ୍ଟ ପାଇଁ ଚାଲିଛି କଥାବର୍ତ୍ତ । ୨୦୧୭ ଉତ୍ତରପ୍ରଦେଶ ବିଧାନସଭାରେ ବିଜେପିକୁ ମିଳିଥିଲା ବହୁମତ। ୪୦୩ ଆସନରୁ ବିଜେପି ୩୧୨ଟି ଆସନ ହାତେଇଥିଲା। ଏହି ନିର୍ବାଚନରେ ବିଜେପିକୁ ମିଳିଥିଲା ୩୯.୬୭ ପ୍ରତିଶତ ଭୋଟ୍‌ । ସେହିପରି ବିଏସପିକୁ ୨୨.୨୩ ପ୍ରତିଶତ ଭୋଟ ମିଳିଥିଲା। ଅନ୍ୟପଟେ ସମାଜବାଦୀ ପାର୍ଟି ଓ କଂଗ୍ରେସକୁ ଯଥାକ୍ରମେ ୨୧.୮୨ ଓ ୬.୨୫ ପ୍ରତିଶତ ଭୋଟ ପାଇଥିଲେ।

କିନ୍ତୁ ପରେ ଗୋରଖପୁର ଓ ଫୁଲପୁର ଲୋକସଭା ଉପ-ନିର୍ବାଚନରେ ପରାସ୍ତ ହୋଇଥିଲା ବିଜେପି । ଉପ ନିର୍ବାଚନ ପାଇଁ ବିଏସପି ଓ ଏସପି ମଧ୍ୟରେ ବୁଝାମଣା ହୋଇଥିଲା। ଏହି ଫଳାଫଳ ପରେ ଏବେ ମିଶନ ୨୦୧୯ ପାଇଁ ମଧ୍ୟ ଉତ୍ତରପ୍ରଦେଶରେ ମହାମେଣ୍ଟ ହେବାକୁ ଯାଉଛି । ଏପଟେ ୨୦୧୪ ମସିହାରେ ବିଧାନସଭା ନିର୍ବାଚନରେ ବିଜେଡି ୪୩.୩୫ ପ୍ରତିଶତ ଭୋଟ ପାଇଥିବା ବେଳେ କଂଗ୍ରେସ ଓ ବିଜେପି ଯଥାକ୍ରମେ ୨୫.୭୧ ଓ ୧୭.୯୯ ପ୍ରତିଶତ ଭୋଟ ପାଇଥିଲେ । ଭୋଟ ପ୍ରତିଶତକୁ ଦେଖିଲେ ବିଜେଡିକୁ ପରାସ୍ତ କରିବା ପାଇଁ ଉଭୟ କଂଗ୍ରେସ ଓ ବିଜେପିକୁ ଏକାଠି ହେବାକୁ ପଡ଼ିବ। କିନ୍ତୁ ଉତ୍କଳ ଭାରତ ଯେଉଁ ମହାମେଣ୍ଟ କଥା କହୁଛି ତାହା ମାଧ୍ୟମରେ ଏହା ସମ୍ଭବ ହୋଇପାରିବ କି ?

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମହାମେଣ୍ଟର ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ନବୀନଙ୍କ ଲୋକପ୍ରିୟତା ଆଗରେ ମହାମେଣ୍ଟର ଭିତ୍ତିପ୍ରସ୍ତର ପଡ଼ି ପାରିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.