Below header

ମୃତ୍ୟୁ ଏମିତିବି ଆସେ : ପାଣି ପାଇପ୍‌ରେ ହାତ ରହିଗଲା ଆଉ ପାଣି ଟାଙ୍କିରେ ଚାଲିଗଲା ପାଇପ୍‌ ମେକାନିକ୍‌ ରୁଦ୍ରଙ୍କ ଜୀବନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବେଳେ ବେଳେ ଭାରି ଆଶ୍ଚର୍ଯ୍ୟ ଲାଗେ । କଣ ମୃତ୍ୟୁ ଏମିତି ବି ଆସେ ? ତେବେ ମୃତ୍ୟୁ କେତେବେଳେ ଆଉ କେମିତି ଭାବରେ ଆସେ ତାହା ଜାଣିବା ମୁସ୍କିଲ । ମାତ୍ର ୫ ମାସ ତଳେ ବାହା ହୋଇଥିଲେ ରୁଦ୍ର । ହେଲେ କିଏ ଜାଣିଥିଲା ଏମିତି ଘଟିବ ? ଗତକାଲି ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର ସ୍ଥିତ ଏକ ପାଞ୍ଚ ଫୁଟର ପାଣି ଟାଙ୍କ ଭିତିରେ ପଶି ପାଇପ୍‌ ମରାମତି କରୁଥିଲେ । ହେଲେ ସେତିକି ବେଳେ ବିଭାଗ ତରଫରୁ ପାଇପ୍‌ରେ ପାଣି ଛାଡ଼ି ଦିଆଯାଇଥିଲା ।

vss1

ଏପଟେ ପାଇପ୍‌ ଭିତରେ ହାତ ପୂରାଇ କାମ କରୁଥିବା ରୁଦ୍ରଙ୍କ ହାତ ଆଉ ବାହାରିଲା ନାହିଁ । ସେ ଯେତେ ଚେଷ୍ଟା କଲେ ମଧ୍ୟ ପାଇପ୍‌ ଭିତରୁ ହାତ ବାହାର କରିବାରେ ସଫଳ ହେଲେ ନାହିଁ । ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ରୁଦ୍ରଙ୍କୁ ଉଦ୍ଧାର କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ହେଲେ ତାଙ୍କ ହାତଟି ପାଇପ୍‌ ଭିତରୁ ଆଦୌ ବାହାରି ପାରିଲା ନାହିଁ । ଏପଟେ ଟାଙ୍କି ଭିତରେ ପାଣି ଭରିଗଲା । ସମସ୍ତେ ଦେଖୁଥିଲେ । ସ୍ଥାନୀୟ ଲୋକେ ପାଟି କରୁଥିଲେ । ବଞ୍ଚାଇବାକୁ ଚେଷ୍ଟା ବି କରୁଥିଲେ । ହେଲେ ଅସହାୟ ହୋଇ ପଡ଼ିଲେ । ଆଉ ସମସ୍ତଙ୍କ ଆଗରେ ଚାଲିଗଲା ରୁଦ୍ରଙ୍କ ଜୀବନ ।
ଗଞ୍ଜାମ ଜିଲ୍ଲାରେ ବି. ରୁଦ୍ର ଡୋରାଙ୍କ ଘର । ସେ ପାଇପ୍‌ ମେକାନିକ ଭାବେ ଜଣେ ଠିକାଦାର ଅଧୀନରେ କାମ କରୁଥିଲେ ଏବଂ ନୂଆପଲ୍ଲୀ ସ୍ଥିତ ଗଣପତି ବସ୍ତିରେ ରହୁଥିଲେ । ବାହାଘରକୁ ୬ ମାସ ବି ପୂରି ନାହିଁ । ଅତି ଅବିଶ୍ୱସନୀୟ ସ୍ଥିତିରେ ଚାଲିଗଲା ରୁଦ୍ରଙ୍କ ଜୀବନ । ଯାହାକୁ ନେଇ ସାରା ରାଜଧାନୀରେ ଚର୍ଚ୍ଚା ହେଉଛି । ରୁଦ୍ରଙ୍କ ପରିବାରରେ କାନ୍ଦ ବୋବାଳି ଆଉ ତାଙ୍କ ବଞ୍ଚାଇବାକୁ ଉଦ୍ୟମ କରିଥିବା ଲୋକେ ବି ଶୋକରେ ଡୁବି ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.