Below header

ଆଜି ହନୁମାନ ଜୟନ୍ତୀ : ପୋଲିସ ଛାଉଣିରେ ପୂରା ସମ୍ବଲପୁର; ୧୪୪ ଧାରା ସତ୍ତ୍ୱେ ଶାନ୍ତିଶୃଙ୍ଖଳାରେ ହେବ ଶୋଭାଯାତ୍ରା

ହନୁମାନ ଜୟନ୍ତୀ ବାଇକ୍‌ ରାଲି ଗଣ୍ଡଗୋଳ ପରେ ସମ୍ବଲପୁରକୁ ଫେରୁଛି ସ୍ୱାଭାବିକ ସ୍ଥିତି । ସଦର ଅଞ୍ଚଳରେ ବଳବତ୍ତର ରହିଛି ୧୪୪ ଧାରା । ପୋଲିସ ଛାଉଣୀରେ ରହିଛି ସମ୍ବଲପୁର ।

ସମ୍ବଲପୁର (କେନ୍ୟୁଜ): ହନୁମାନ ଜୟନ୍ତୀ ବାଇକ୍‌ ରାଲି ଗଣ୍ଡଗୋଳ ପରେ ସମ୍ବଲପୁରକୁ ଫେରୁଛି ସ୍ୱାଭାବିକ ସ୍ଥିତି । ସଦର ଅଞ୍ଚଳରେ ବଳବତ୍ତର ରହିଛି ୧୪୪ ଧାରା । ପୋଲିସ ଛାଉଣୀରେ ରହିଛି ସମ୍ବଲପୁର । ୧୪୪ ଧାରା ସତ୍ତ୍ୱେ ଆଜି ଶାନ୍ତିଶୃଙ୍ଖଳାରେ ବାହାରିବ ହନୁମାନ ଜୟନ୍ତୀ ଶୋଭାଯାତ୍ରା ।

ଗତକାଲି ଶାନ୍ତି କମିଟି ବୈଠକରେ ସହରର ମୁରବୀ ଶ୍ରେଣୀ ଲୋକଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ । ଆଜି ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ସହରରେ ଅଧିକ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ । ବନ୍ଦ ରହିଛି ଇଣ୍ଟରନେଟ୍‌ ସେବା । ହ୍ଵାଟ୍ସଆପ୍‌, ଟୁଇଟର୍‌, ଫେସବୁକ, ଇନଷ୍ଟାଗ୍ରାମ୍‌ ବନ୍ଦ ରହିଛି । ସମସ୍ତ ମୋବାଇଲ୍‌ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍‌ ଓ ଡାଟା ସର୍ଭିସ ବି ବନ୍ଦ ।

ଆଜି ଶୋଭାଯାତ୍ରା ପାଇଁ ୧୪୪ ଧାରାକୁ ସାମାନ୍ୟ କୋହଳ କରାଯାଇପାରେ । ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ମୁତୟନ ରହିଛନ୍ତି । ହନୁମାନ ଜୟନ୍ତୀ ଶୋଭାଯାତ୍ରା ଯିବା ବେଳେ ବୁଧବାର ସନ୍ଧ୍ୟାରେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଲୋକଙ୍କ ପଥରମାଡରେ ୧୦ ପୁଲିସ କର୍ମଚାରୀଙ୍କ ସମେତ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।  ଉତ୍ୟକ୍ତ ଲୋକେ ଦୋକାନ ଜାଳିବା ସହ କାର, ବାଇକ୍‌ ଭଙ୍ଗାରୁଜା କରିଥିଲେ ।  ଏହି ଘଟଣାରେ ୪୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସମ୍ବଲପୁରର ପରିସ୍ଥିତି ଉପରେ ସତର୍କ ନଜର ରଖିଛି ପୋଲିସ । ରାଉରକେଲାରୁ ରାପିଡ ଆକ୍ସନ ଫୋର୍ସ ମଗାଯାଇଛି । ଏପଟେ ଜୟପୁରରେ ଆଜିଠାରୁ ୧୪୪ ଧାରା ଜାରି କରିଛନ୍ତି ଜୟପୁର ଉପ-ଜିଲ୍ଲାପାଳ । ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ଣ ୩ଟାରୁ ସକାଳ ୯ଟା ଯାଏଁ ୧୪୪ ଧାରା ଜାରି ରହିବ । ଏହି ସମୟରେ ୨ ଜଣରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.