ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ, ଅଗ୍ନି ବର୍ଷା ସହ ଝାଞ୍ଜିରେ ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା

ତତଲା ତାଓ୍ଵାରେ ଭାଜି ହେଉଛି ସାରା ଓଡ଼ିଶା। ଦିନ ୧୨ଟା ସୁଦ୍ଧା ଅଧିକାଂଶ ସହରରେ ୪୦ ଡିଗ୍ରୀ ପାର କରୁଛି ପାରଦ । ଆସନ୍ତା ତିନି ଦିନ ଯାଏ ତାତିରୁ ନିସ୍ତାର ମିଳିବ ନାହିଁ । ଖରା ତାତି ସାଙ୍ଗକୁ ଜନଜୀବନକୁ ଅଣାୟତ୍ତ କରିବ ଅସହ୍ୟ ଗୁଳୁଗୁଳି ।

ଭୁବନେଶ୍ୱର (କେନ୍ୟୁଜ): ତାତିରୁ କେବେ ମିଳିବ ତ୍ରାହି ? ତତଲା ତାଓ୍ଵାରେ ଭାଜି ହେଉଛି ସାରା ଓଡ଼ିଶା । ତାପମାତ୍ରା କମିବାର ନାଁ ଧରୁନି । ଛଟପଟ ହେଉଛନ୍ତି ରାଜ୍ୟବାସୀ । ସକାଳ ୯ଟାରୁ ଆକାଶରୁ ଅଗ୍ନିବର୍ଷା ଆରମ୍ଭ ହୋଇଯାଉଛି । ଦିନ ୧୨ଟା ସୁଦ୍ଧା ଅଧିକାଂଶ ସହରରେ ୪୦ ଡିଗ୍ରୀ ପାର କରୁଛି ପାରଦ । ଆସନ୍ତା ତିନି ଦିନ ଯାଏ ତାତିରୁ ନିସ୍ତାର ମିଳିବ ନାହିଁ । ଖରା ତାତି ସାଙ୍ଗକୁ ଜନଜୀବନକୁ ଅଣାୟତ୍ତ କରିବ ଅସହ୍ୟ ଗୁଳୁଗୁଳି । ବାୟୁମଣ୍ଡଳରେ ଆର୍ଦ୍ରତା ବଢିବା ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଝାଞ୍ଜି ପବନ ବି ବହିପାରେ । ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିବ । ଅପରାହ୍‌ଣରେ ସ୍ଥାନେ ସ୍ଥାନେ କାଳବୈଶାଖୀ ବର୍ଷା ହେବ । କିନ୍ତୁ ଅଧିକ ବର୍ଷା ହେବ ନାହିଁ । ଫଳରେ ତାପମାତ୍ରାରେ ସେମିତି ବଡ଼ ଧରଣର ହ୍ରାସ ସମ୍ଭାବନା ନାହିଁ । ଆଜି ପାଇଁ ୪ ଜିଲ୍ଲା ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ସମ୍ବଲପୁରକୁ ହିଟେଓ୍ଵଭ୍‌ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ସେହିପରି ବିଜୁଳି ଘଡ଼ଘଡ଼ି ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ବି ରହିଛି । ଏଥିପାଇଁ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଗତକାଲି ୪୪.୨ ଡିଗ୍ରୀ ସେଲସିୟସ୍‌ ସହ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବାରିପଦା । ୨୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିଥିଲା । ଏଥିରୁ ୪୩ ଡିଗ୍ରୀ ଉପରେ ରହିଥିଲା ୯ ସହରରେ ପାରଦ । ୨୦ ତାରିଖ ପରେ କମିପାରେ ତାପମାତ୍ରା । ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ । ଯାହା ପ୍ରଭାବରେ ସାମୁଦ୍ରିକ ବାୟୁ ରାଜ୍ୟକୁ ପ୍ରବେଶ କରିବ । ଫଳରେ ବର୍ଷା ପରିମାଣ ବଢ଼ିବା ସହ ତାପମାତ୍ରା କିଛିଟା କମିବ । ୨ରୁ ୩ ଡିଗ୍ରୀ ଯାଏ କମିପାରେ ପାରଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.