ଆସନ୍ତା ୨୪ ଘଣ୍ଟାରେ ଭୀଷଣ ବର୍ଷା, ୪ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ

କେନ୍ୟୁଜ୍(ବ୍ୟୁରୋ):ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେଲା ଅବପାତ । ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଡିପ୍‌ ଡିପ୍ରେସନ୍‌ । ଆଜି ସଂଧ୍ୟା ମଧ୍ୟରେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳକୁ ବାଲେଶ୍ୱର ଏବଂ ସାଗର ଦ୍ୱୀପ ମଧ୍ୟରେ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ତେବେ ବାତ୍ୟା ଆଶଙ୍କା ନଥିବା କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତ ପ୍ରଭାବରେ ବଢିବ ବର୍ଷା ପରିମାଣ । ଦୁଇ ଦିନ ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟାରେ ଭୀଷଣ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କିଛି ସ୍ଥାନରେ ଭୀଷଣ ବର୍ଷା ହେବ । ସେହିଭଳି ୧୨ ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଯାଜପୁରକୁ ଅରେଞ୍ଜ ସତର୍କତା ଦିଆଯାଇଛି। ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଉତ୍ତର ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ପବନ ୬୫ କିମି ବେଗରେ ବହିବ ସମ୍ଭାବନା ରହିଛି । କାଲି ଯାଏ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.