ପାଣି କମୁଛି, ଚିନ୍ତା ବଢୁଛି: ତଳିଆ ଅଞ୍ଚଳରେ ଆଣ୍ଠୁଏ ଲେଖାଏଁ ପାଣିରେ ଭାସୁଛି ଆସବାବପତ୍ର

ଲଗାଣ ବର୍ଷାରେ ଉଭୟ କଟକ ଓ ଭୁବନେଶ୍ୱର ହାଲ୍‌ ବେହାଲ୍‌। ରାସ୍ତାରେ ଭରା ନଈ ଭଳି ପାଣି ଚାଲିଲା। ଏମିତି ବର୍ଷା ହେଲା ଯେ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଗଲା। ତଳି ଅଞ୍ଚଳରେ ଲୋକଙ୍କ ଘରେ ପଶିଥିଲା ପାଣି ।

ଭୁବନେଶ୍ୱର (କେନ୍ୟୁଜ): ପାଣି କମୁଛି, ଚିନ୍ତା ବଢୁଛି। ଲଗାଣ ବର୍ଷାରେ ଉଭୟ କଟକ ଓ ଭୁବନେଶ୍ୱର ହାଲ୍‌ ବେହାଲ୍‌। ରାଜଧାନୀରେ ଏମିତି ଅବସ୍ଥା ହେଲା ଯେ ଶେଷରେ ବୋଟ୍‌୍‌ରେ ଉଦ୍ଧାର ହେଲେ ଲୋକେ । ବିଜୁଳି ଘଡ଼ଘଡ଼ି ସହ ରାଜଧାନୀରେ ମୂଷଳଧାରାରେ ବର୍ଷା ଜନଜୀବନକୁ ବେଶ୍‌ କେଇ ଘଣ୍ଟା ଅସ୍ତବ୍ୟସ୍ତ କରିଦେଲା । ଅପରାହ୍‌ଣରୁ ଆରମ୍ଭ ହେଲା ଯେ ରାତି ଯାଏ ନିସ୍ତାର ମିଳିଲାନି ।

୫ ଘଣ୍ଟା ବର୍ଷାରେ ଭୁବନେଶ୍ୱରରେ ଭୟଙ୍କର ବନ୍ୟା ଭଳି ସ୍ଥିତି ସୃଷ୍ଟି ହେଲା। ରାସ୍ତାରେ ଭରା ନଈ ଭଳି ପାଣି ଚାଲିଲା। ଏମିତି ବର୍ଷା ହେଲା ଯେ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଗଲା। ତଳି ଅଞ୍ଚଳରେ ଲୋକଙ୍କ ଘରେ ପଶିଥିଲା ପାଣି । ଆଣ୍ଠୁଏ ଲେଖାଏଁ ପାଣିରେ ଭାସିଥିଲା ଆସବାବପତ୍ର। ବିଶେଷ କରି ବସ୍ତି ଅଞ୍ଚଳର ହାଲ୍‌ ବେହାଲ୍‌ କରିଥିଲା ବର୍ଷା । ଆଇଗିଣିଆ, ରାଜୀବ ନଗର ଓ ଜାଗମରା ପଞ୍ଚସଖା ନଗରରେ ଚାଲିଲା ବୋଟ୍‌। ପ୍ରାୟ ୭୦୦ରୁ ଅଧିକ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଥିଲା। ଘଣ୍ଟା ଘଣ୍ଟା ଧରି ଦେଖା ଦେଇଥିଲା ଟ୍ରାଫିକ୍‌ ସମସ୍ୟା ।

ଆହୁରି ୨ ଦିନ ଧରି ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଅପରାହ୍ନ ୨ଟା ଯାଏଁ ଟ୍ଵିନ୍‌ସିଟିକୁ ପ୍ରବଳ ବର୍ଷା ଆଲର୍ଟ ଜାରି କରିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆଜି ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ କରାଯାଇଛି। ୧୩ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ସତର୍କତା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.