କନେଷ୍ଟବଳ ନିଯୁକ୍ତିରେ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ: ବୟସ ସୀମା ୪ ବର୍ଷ କୋହଳ

(କେନ୍ୟୁଜ): ଓଡିଶା ପୋଲିସରେ କନେଷ୍ଟବଳ ନିଯୁକ୍ତି ପାଇଁ ୨୦୨୨ ମସିହାରେ ବାହାରି ଥିବା ବିଜ୍ଞାପନରେ ସର୍ବାଧିକ ବୟସ ସୀମାକୁ ୪ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ସମସ୍ତ ବର୍ଗରେ ୪ ବର୍ଷ ସମୟସୀମା ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଫେବୃଆରୀ ୧୦ ତାରିଖ ଯାଏଁ ଆବେଦନ ଗ୍ରହଣ କରାଯିବ ଏବଂ ୨୦ ତାରିଖରେ ପରୀକ୍ଷା କରିବାକୁ ଓଡିଶା ଷ୍ଟେଟ ପୋଲିସ ସିଲେକସନ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

୨୦୨୨ ମସିହାରେ କନେଷ୍ଟବଳ ନିଯୁକ୍ତି ପାଇଁ ଓଡିଶା ଷ୍ଟେଟ ପୋଲିସ ସିଲେକସନ ବୋର୍ଡ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ୧୮ରୁ ୨୩ ବର୍ଷ ବୟସ ସୀମା ରହିଥିଲା। ଏହାକୁ ଚାଲେଞ୍ଜ କରି ନଗେନ ଭୋଇ ଓ ଅନ୍ୟ ମାନଙ୍କ ପକ୍ଷରୁ ୧୫ ରୁ ଉର୍ଦ୍ଧ୍ବ ମକଦ୍ଦମା ଦାୟର କରାଯାଇଥିଲା। ୨୦୧୮ ମସିହା ପରଠାରୁ କନେଷ୍ଟବଲ ନିଯୁକ୍ତି ଆଉ ବିଜ୍ଞପ୍ତି ପ୍ରକାଶ ପାଇନଥିଲା ଏବଂ କରୋନା କାରଣରୁ ୨ ବର୍ଷ ମଧ୍ୟ ହାତରୁ ଚାଲିଯାଇଥିବାରୁ ଯୋଗ୍ୟ ପ୍ରାର୍ଥୀ ମାନେ ସୁଯୋଗ ପାଇନଥିଲେ। ତେଣୁ ସେମାନଙ୍କ ପାଇଁ ବୟସ ସୀମା କୋହଳ କରାଯାଉ ବୋଲି ଆବେଦନ କରି କିଛି ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୪ ବର୍ଷ ଧରି ନିଯୁକ୍ତି ହୋଇ ନଥିବାରୁ ସବୁ ବର୍ଗରେ ୪ ବର୍ଷ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଚଳିତ ବିଜ୍ଞପ୍ତି ପାଇଁ ସମୟସୀମା ବୃଦ୍ଧି କାର୍ଯ୍ୟକାରୀ ହେବ ବୋଲି ରାୟରେ ସ୍ପଷ୍ଟ କରାଯାଇଛି। ଏହି ଆବେଦନରେ ଆବେଦନକାରୀ ଦର୍ଶାଇଥିଲେ ଯେ ଓଡିଶା ସିଭିଲ ସର୍ଭିସ ଅପର ଏଜ ଫିକ୍ସେସନ ରୂଲ ୨୦୨୧ ଅନୁଯାୟୀ ରାଜ୍ୟରେ ସବୁ ନିଯୁକ୍ତିରେ ସର୍ବାଧିକ ବୟସ ସୀମା ୩୨ ରୁ ୩୮ କୁ ବୃଦ୍ଧି ହୋଇଥିବା ବେଳେ ପୋଲିସ କନେଷ୍ଟବଳ ନିଯୁକ୍ତିରେ ମଧ୍ୟ ତାହା କରାଯାଉ। ଏଭଳି ଯୁକ୍ତିକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ସହିତ ପୋଲିସ ନିଯୁକ୍ତିରେ ସର୍ବାଧିକ ବୟସସୀମା ବୃଦ୍ଧି କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ପୋଲିସ କନେଷ୍ଟବଳ ନିଯୁକ୍ତି ବିଜ୍ଞାପନକୁ ଖାରଜ ନ କରି ପ୍ରାର୍ଥୀ ମାନଙ୍କୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାକୁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.