Below header

ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ଜୀବନ ହାରିଥିଲେ ୭ମାସର ଗର୍ଭବତୀ ସ୍ତ୍ରୀ, ଏବେ ଜଣାପଡିଲା ଦିଲ୍ଲୀପ ଜୀବିତ

ପରିବାରର କୌଣସି ମୃତ ସଦସ୍ୟର ଜୀବିତ ଖବର ସମସ୍ତଙ୍କୁ ଯେ କେତେ ଖୁସି ଦେଇଥାଏ ତାର କଳ୍ପନା କରିବା ଅସମ୍ଭବ। ହେଲେ ଆଜି କିନ୍ତୁ ଦିଲ୍ଲୀପ ଜୀବିତ ଥିବା ଖବର ଆସି ପହଁଚିଛି ସତ, କିନ୍ତୁ ପରିବାର ଲୋକେ ଖୁସି ହେବେ ନା ଦୁଃଖୀ, କିଛି ବୁଝିପାରୁନାହାନ୍ତି । ଏ ଘଟଣା କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ ଆଜ୍ଞା। ବାସ୍ତବରେ ଏମତି ଘଟଣା ଘଟିବା ବିରଳ ।

ଭୁବନେଶ୍ବର/ ପିପିଲି (କେନ୍ୟୁଜ):  ହେ ନାରାୟଣ କଣ ଘଟିଗଲା । ସତରେ ଦଇବର ଏ କି ନିଷ୍ପତ୍ତି । ମଲା ଲୋକଟାକୁ ଜୀବିତ କରିଦେଲା ଆଉ ଜୀବିତ ଲୋକଟାକୁ ନେଇଗଲା । ପରିବାରର କୌଣସି ମୃତ ସଦସ୍ୟର ଜୀବିତ ଖବର ସମସ୍ତଙ୍କୁ ଯେ କେତେ ଖୁସି ଦେଇଥାଏ ତାର କଳ୍ପନା କରିବା ଅସମ୍ଭବ। ହେଲେ ଆଜି କିନ୍ତୁ ଦିଲ୍ଲୀପ ଜୀବିତ ଥିବା ଖବର ଆସି ପହଁଚିଛି ସତ, କିନ୍ତୁ ପରିବାର ଲୋକେ ଖୁସି ହେବେ ନା ଦୁଃଖୀ, କିଛି ବୁଝିପାରୁନାହାନ୍ତି । ଏ ଘଟଣା କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ ଆଜ୍ଞା। ବାସ୍ତବରେ ଏମତି ଘଟଣା ଘଟିବା ବିରଳ ।

ଆମେ କହୁଛୁ ଭୁବନେଶ୍ୱରର ଏକ ଘରେୋଇ ହସ୍ପିଟାଲରେ ଗତ ଶୁକ୍ରବାର ହୋଇଥିବା ବିସ୍ଫୋରଣ କଥା । ହସ୍ପିଟାଲ ପରିସରରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା। ତେବେ ସେହି ବିସ୍ଫୋରଣ ଘଟଣାକୁ ନେଇ ହୋଇଛି ଏକ ବଡ ଖୁଲାସା । ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ଶରୀରକୁ ନେଇ ଆସିଛି ବଡ ଖବର । ମୃତଦେହ ହସ୍ତାନ୍ତରରେ ହୋଇଛି ସାଂଘାତିକ ତ୍ରୁଟି । ମୃତ ଦିଲ୍ଲୀପ ସାମନ୍ତରାୟ ବଞ୍ଚିଥିବା ଜଣା ପଡିଛି ।

ବିସ୍ଫୋରଣରେ ଏବେ ସୁଦ୍ଧା ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଦୁଇଜଣ ଚିକିତ୍ସା ହେଉଛନ୍ତି । ଗତ ରବିବାର ଦିନ ଦିଲ୍ଲୀପ ସାମନ୍ତରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ ଘୋଷଣା କରାଯାଇଥିଲା । ଏହାପରେ ମଞ୍ଚେଶ୍ୱର ଥାନା ପୋଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ଦିଲ୍ଲୀପଙ୍କ ପରିବାର ଲୋକେ ଶବ ସଂସ୍କାର ବି କରିଦେଲେ ।

କିନ୍ତୁ ଯାହା ଏବେ ଖବର ମିଳିଛି କି ଦିଲ୍ଲୀପଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ମୃତଦେହ ଜ୍ୟୋତି ରଂଜନ ମଲ୍ଲିକଙ୍କର । ଏବେ ବି ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ଦିଲ୍ଲୀପ । ଏପଟେ ସବୁଠାରୁ ବଡ ଦୁଃଖର କଥା କି, ଦିଲ୍ଲୀପଙ୍କ ମୃତ୍ୟୁ ନେଇ ସୂଚନା ପାଇବା ପରେ ମ୍ରିୟମାଣ ହୋଇପଡିଥିଲେ ତାଙ୍କ ସାତ ମାସର ଗର୍ଭବତୀ ସ୍ତ୍ରୀ। ସ୍ୱାମୀଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ । ଯାହାଫଳରେ ସ୍ୱାମୀଙ୍କ ବିନା ସେ କେମିତି ବଞ୍ଚିବେ ଭାବି ଭାବି ନିଜେ ଜୀବନ ହାରିଦେଇଥିଲେ । ଜଣକର ଜୁଇ ଲିଭି ନଥିବା ବେଳେ ଆଉ ଜଣଙ୍କର ଜୁଇ ଜଳିଥିଲା ଗାଁ ଶ୍ମଶାନରେ । ଏବେ କିନ୍ତୁ ସ୍ୱାମୀ ଦିଲ୍ଲୀପ ହସ୍ପିଟାଲରେ ଜୀବିତ ଥିବାବେଳେ ଆରପାରିରେ ପତ୍ନୀ । ଏପଟେ ଦିଲ୍ଲୀପଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ମୃତଶରୀର ପାଖାପାଖି ୯୦ରୁ ଅଧିକ ଭାଗ ପୋଡି ଯାଇଥିଲା । ଯାହାଫଳରେ ପରିବାର ଲୋକ ବି ନିଜ ଲୋକଟିକୁ ଚିହ୍ନି ପାରିନଥିଲେ ।

ତେବେ ଡିସେମ୍ବର ୨୯ରେ ଭୁବନେଶ୍ୱରର ଏକ ଘରେୋଇ ହସ୍‌ପିଟାଲର ତୃତୀୟ ମହଲାରେ ଏକ ଏସିରେ ଗ୍ୟାସ୍‌ ଫିଲିଂ ବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ସଙ୍ଗେ ସଙ୍ଗେ ଆୟତ୍ତ କରାଯାଇଥିଲା । ତେବେ ଏହି ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦିଲ୍ଲୀପ ସାମନ୍ତରାୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ତେବେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବଅଁଙ୍ଗ ଗାଁ ରେ ଏବେ ଏହି ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା । ଦିଲ୍ଲୀପଙ୍କ ଜୀବିତ ଖବର ପାଇ ଏବେ ସ୍ତବ୍ଧ ଉଭୟ ଦିଲ୍ଲୀପ ଏବଂ ତାଙ୍କ ପତ୍ନୀ ସୌମ୍ୟାଶ୍ରୀଙ୍କ ପରିବାର ଲୋକେ । ସେମାନେ ଦିଲ୍ଲୀପ ମନେ କରି ଶୁଦ୍ଧିକ୍ରିୟା କରୁଛନ୍ତି ଉଭୟ ପୁଅ ଓ ବୋହୂର । ଏବେ ପୁଅ ବଞ୍ଚିଥିବା ଖବର ପାଇ ପରିବାର ଲୋକେ ଖୁସି ହେବେ ନା ବୋହୂ ମୃତ୍ୟୁରେ ଦୁଃଖ କରିବେ ବୁଝି ପାରୁନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.