କୁନୋ ଜାତୀୟ ଉଦ୍ୟାନ: ଭୀଷଣ ଗରମରେ ଚିତା ଶାବକର ମୃତ୍ୟୁ ଆଶଙ୍କା, ବ୍ୟବଚ୍ଛେଦ ପରେ ହିଁ ହେବ ସ୍ପଷ୍ଟ

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ପୁଣି ଥରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ୩ ମାସ ତଳେ ଚିତା ‘ଗାମିନୀ’ ଜନ୍ମ ଦେଇଥିବା ୬ ଶାବକଙ୍କ ମଧ୍ୟରୁ ଗୋଟିଏ ଶାବକର ମୃତ୍ୟୁ ହୋଇଛି । ମୃତ ଶାବକ ମା’ ପାଖରେ ପଡ଼ିଥିବାର ଦେଖାଯାଇଥିଲା । କୁନୋ କର୍ତ୍ତୃପକ୍ଷଙ୍କ କହିବା ହେଲା, ଶାବକଟି ସୁସ୍ଥ ଥିଲା । ମୃତ୍ୟୁର କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ । ବର୍ତ୍ତମାନ କୁନୋ ପାର୍କରେ ୧୩ ଶାବକ ଏବଂ ୧୩ ବୟସ୍କ ଚିତା ଅଛନ୍ତି ।

୨୦୨୩ ଫେବୃୟାରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ କୁନୋ ଅଣାଯାଇଥିବା ୧୨ଟି ଚିତାଙ୍କ ମଧ୍ୟରୁ ଗାମିନୀ ଅନ୍ୟତମ ଥିଲା । ୫ ବର୍ଷର ଗାମିନୀ ମାର୍ଚ୍ଚ ୧୦ରେ ୬ଟି ଶାବକଙ୍କୁ ଜନ୍ମ ଦେଇଥିଲା । କୁନୋ କର୍ତ୍ତୃପକ୍ଷ ମାତୃ ଦିବସରେ ଗାମିନୀ ଏବଂ ଏହାର ଶାବକମାନଙ୍କର ମଉଜ ମସ୍ତିର ଭିଡିଓ ଓ ଫଟୋ ଜାରି କରିଥିଲା ।

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ପ୍ରାଣୀ ଚିକିତ୍ସକ ଟିମ୍‌ ଦେଖିବାକୁ ପାଇଥିଲେ କି, ଏକ ଶାବକ ମା’ ଗାମିନୀ ପାଖରେ ଅଚେତ ଅବସ୍ଥାରେ ପଡ଼ିରହିଛି । ଯେତେବେଳେ କି, ଅନ୍ୟ ୫ ଶାବକ ଏଣେତେଣେ ଡିଆଁଡେଇଁ କରୁଛନ୍ତି । ଡାକ୍ତରୀ ଟିମ୍‌ ପାଖକୁ ଯିବା ପରେ ଶାବକଟି ମୃତ ଅବସ୍ଥାରେ ମିଳିଥିଲା ।

କୁନୋ କର୍ତ୍ତୃପକ୍ଷ କହିଛନ୍ତି ଯେ ଶାବକ ସୁସ୍ଥ ଥିଲା । ଏହା ମାଈ ଚିତା ଗାମିନୀ ପାଖରେ ଅଚେତ ଅବସ୍ଥାରେ ପଡ଼ିଥିବାର ମନିଟରିଂ ଟିମ୍‌ ଦେଖିବାକୁ ପାଇଥିଲେ । ଯେତେବେଳେ ଅନେକ ସମୟ ଧରି ଶରୀରରେ କୌଣସି ହଲଚଲ ହୋଇ ନ ଥିଲା, ସେତେବେଳେ ଡାକ୍ତରୀ ଟିମ୍‌ ତାକୁ ମୃତ ଘୋଷଣା କରିଥିଲେ । ଶାବକର ମୃତଦେହ ବ୍ୟବଚ୍ଛେଦ କରାଯିବ । ବର୍ତ୍ତମାନ ଅବଶିଷ୍ଟ ସମସ୍ତ ଚିତା ଓ ଶାବକ ସୁସ୍ଥ ଅଛନ୍ତି । କହି ରଖୁଛୁ ଯେ କୁନୋରେ ଗତବର୍ଷରୁ ଏ ପର୍ଯ୍ୟନ୍ତ ୪ ଶାବକଙ୍କ ସମେତ ୧୧ ଚିତାଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.