୧୧କେଭି ବିଦ୍ୟୁତ ତାର ଲାଗି ୧୧ ବସ ଯାତ୍ରୀଙ୍କ ମୃତ୍ୟୁ ଘଟଣା, ପରିବାର ସଦସ୍ୟଙ୍କୁ ଆଉ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ(କେନ୍ୟୁଜ) : ଗଞ୍ଜାମ ଜିଲ୍ଲାର ମେଣ୍ଢାରାଜପୁରଠାରେ ୧୧କେଭି ବିଦ୍ୟୁତ ତାର ଲାଗି ୧୧ଜଣ ବସ ଯାତ୍ରୀଙ୍କ ମୃତ୍ୟୁ ଘଟଣାକୁ ରାଜ୍ୟ ମାନବାଧିକାର କମିସନ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ଏହାକୁ ଗଭୀରତାର ସହ ବିଚାର କରି ଏଥିରେ ମୃତ ୧୧ ଜଣ ଯାତ୍ରୀଙ୍କ ନିକଟ ପରିବାର ସଦସ୍ୟଙ୍କୁ ଆଉ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ପ୍ରତ୍ୟେକ ପୀଡିତ ପରିବାରର ସଦସ୍ୟଙ୍କୁ ତତ୍କାଳୀନ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ସାଉଥକୋ, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଲେଖାଏ ମୋଟ ୬ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିଥିଲେ। ଏଥି ସହିତ ଆହତଙ୍କୁ ୭୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।

କମିସନଙ୍କ ନିକଟରେ ଦାଖଲ ହୋଇଥିବା ତଦନ୍ତ ରିପୋର୍ଟରୁ ଏହି ଦୁର୍ଘଟଣାରେ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାର ତ୍ରୁଟି ଥିବା ସ୍ପଷ୍ଟ ହୋଇଥିଲା। ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲୋଟୋରି କମିସନଙ୍କ ନିର୍ଦ୍ଦେଶ ରହିଛି। ଏହି ପ୍ରସଂଗକୁ ବିଚାରକୁ ନେଇ କମିସନ ବର୍ତ୍ତମାନ ବିଦ୍ୟୁତ ବଣ୍ଟନ ଦାୟିତ୍ବରେ ଥିବା ଟିପିଏସଓଡିଏଲକୁ ୧୧ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ଆଉ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଆଉ ୭୫ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଆବେଦନର ଶୁଣାଣି କରି କମିସନ ଏହି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ଫେବ୍ରୁଆରି ୯ରେ ବସ୍ରେ ଯାଉଥିବା ବେଳେ ବିଦ୍ୟୁତ ଆଘାତ ଲାଗି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।

ପୂର୍ବରୁ କମିସନ ମାମଲାର ଶୁଣାଣି କରି ଆହତ ବ୍ୟକ୍ତିଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗକାରୀ ଶ୍ରୀ ଦାସ ଦର୍ଶାଇଥିଲେ ଯେ ଏହି ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରାଯାଉ। ଏଥି ସହିତ ଭବିଷ୍ୟତରେ ଏଭଳି ଘଟଣାକୁ ଏଡାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନିୟମାବଳୀ ପ୍ରଣୟନ କରାଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.