Below header

ଗୁଣି ଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ମୁଖାପିନ୍ଧା ଦୁର୍ବୁତ୍ତଙ୍କ ଆକ୍ରମଣ: ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ରାଇରଙ୍ଗପୁର(କେନ୍ଯୁଜ୍) : ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ଆକ୍ରମଣ। ଆକ୍ରମଣରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଜଗନ୍ନାଥପୁର ଗ୍ରାମରେ। ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ୩ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଦମ୍ପତ୍ତିଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ବାପା ମା ଙ୍କୁ ବଞ୍ଚାଇବାକୁ ଯାଇ ପୁଅ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।

ନବମ ଶ୍ରେଣୀର ପୁଅର ହାତ ଆଙ୍ଗୁଠିରେ ଟାଙ୍ଗିଆ ବାଜି କଟି ଯାଇଛି । ତେବେ ଆକ୍ରମଣରେ ସ୍ୱାମୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଥିଲେ । ଗୁରୁତର ସ୍ତ୍ରୀଙ୍କୁ ପ୍ରଥମେ ରାଇରଙ୍ଗପୁର ଓ ପରେ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ମୃତକ ସ୍ୱାମୀ ହେଲେ ମାନସିଂ ସୋରେନ ଓ ତାଙ୍କ ସ୍ତ୍ରୀ ହେଉଛନ୍ତି ସାଲହୋମଣି ସୋରେନ। ଖବର ପାଇ ବହଳଦା ଥାନା ପୋଲିସ, ରାଇରଙ୍ଗପୁର ଏଏସପି, ରାଇରଙ୍ଗପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପାରିପାର୍ଶ୍ବିକ ସ୍ଥିତିରୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି। ଅନ୍ୟପଟେ ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ପହଞ୍ଚି ତଦନ୍ତକୁ ଜୋରଦାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.