Below header

ବାତ୍ୟା ସମ୍ଭାବନା ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ, କିନ୍ତୁ କେଉଁ ଆଡେ ମାଡିବ ଓ କେତେ ତୀବ୍ରତା ରହିବ ତାହା ଆକଳନ କରିନି

ବର୍ତ୍ତମାନ ଆକଳନରେ ଓଡ଼ିଶା ପ୍ରତି ଏହାର ପ୍ରଭାବ ନାହିଁ। ସେପଟେ ବିଭିନ୍ନ ପାଣିପାଗ ସଂସ୍ଥା ମେ ୯ ତାରିଖରେ ବଙ୍ଗୋପସାଗରେ ବାତ୍ୟା ଅନୁମାନ କରିଛନ୍ତି। ୟୁରୋପୀୟ ମଡେଲରେ ବାତ୍ୟା ମିଆଁମାର ମୁହାଁ, ଆମେରିକା ଜିଏଫଏସ୍‌ ମଡଲରେ ଏହା ବାଂଲାଦେଶ ମୁହାଁଇପାରେ।

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଆସିବ ବାତ୍ୟା। ମେ’ ୯ରେ ସାମିଦ୍ରିକ ଝଡ଼ ସମ୍ଭାବନା। ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୭ରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ୮ରେ ଲଘୁଚାପ ଅବପାତରେ ପରିଣତ ହେବ। ଏହା ଆହୁରି ଘନୀଭୂତ ହେବା ପାଇଁ ପାରିପାର୍ଶ୍ୱିକ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ୯ ତାରିଖ ବେଳକୁ ସୃଷ୍ଟି ହେବ ବାତ୍ୟା। ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗକୁ ଗତି କରି, କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ମୁହାଁଇପାରେ ବୋଲି ଆଇଏମ୍‌ଡି ଆକଳନ କରିଛି।

ବାତ୍ୟା ସୃଷ୍ଟି ହେଲେ କେଉଁ ଦିଗକୁ ଗତି କରିବ? ତୀବ୍ରତା କେତେ ରହିବ? କେବେ ଓ କେଉଁଠି ଲ୍ୟାଣ୍ଡଫଲ୍‌ କରିବ? ଆଇଏମ୍‌ଡି ପୂର୍ବାନୁମାନ କରି ନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ଜଣା ପଡିବ। ବର୍ତ୍ତମାନ ଭାରତ ଉପକୂଳରେ ଲ୍ୟାଣ୍ଡଫଲ ନେଇ କୌଣସି ଅନୁମାନ ନାହିଁ। ବର୍ତ୍ତମାନର ଆକଳନରୁ ଓଡ଼ିଶା ପ୍ରତି ସେଭଳି କୌଣସି ପ୍ରଭାବ ଦେଖାଯାଉନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି। କିନ୍ତୁ ୭ ତାରିଖରୁ ଉତ୍ତରପୂର୍ବ ବଙ୍ଗୋପସାଗର ଆଡକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।

ସମ୍ଭାବ୍ୟ ବାତ୍ୟାର ନାଁ ରହିବ ମୋଖା। ୱିଣ୍ଡିର ୟୁରୋପୀୟ ମଡେଲ ECMWF ମୁତାବକ ୯ ତାରିଖ ବେଳକୁ ବାତ୍ୟା ସୃଷ୍ଟି ହେବ। ଉତ୍ତର-ପୂର୍ବ ଦିଗକୁ ଗତି କରି ୧୨ ତାରିଖ ବେଳକୁ ମିଆଁମାର ଉପକୂଳରେ ମାଡ ହୋଇପାରେ। ସେପଟେ ଆମେରିକୀୟ GFS ମଡେଲ ମୁତାବକ ୯ ତାରିଖରେ ବାତ୍ୟା ସୃଷ୍ଟି ହୋଇ ଉତ୍ତରକୁ ଗତି କେନ୍ଦ୍ରୀୟ ବଙ୍ଗୋପସାଗ ଆଡକୁ ଯିବ। ଏହା ବାଂଲାଦେଶ ମୁହାଁଇପାରେ। ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ଅନୁମାନ, ସପ୍ତାହ ଶେଷ ଆଡ଼କୁ ଲଘୁଚାପ, ଆସନ୍ତା ସପ୍ତାହ ଆରମ୍ଭରେ ଅବପାତ ଏବଂ ସପ୍ତାହ ମଝି ବେଳକୁ ଏହା ବାତ୍ୟାର ରୂପ ନେବେ। ଉପକୂଳ ଭାରତରୁ ବାଂଲାଦେଶ ଓ ମିଆଁମାର ପର୍ଯ୍ୟନ୍ତ ପ୍ରଭାବ ପଡିପାରେ। ବର୍ତ୍ତମାନ ବିଭିନ୍ନ ପାଣିପାଗ ସଂସ୍ଥାର ଅନୁମାନରୁ ସ୍ପଷ୍ଟ, ବଙ୍ଗୋପସାଗରେ ଆସୁଛି ବାତ୍ୟା ମୋଖା। କିନ୍ତୁ କେଉଁ ଆଡକୁ ମୁହାଁଇବ। କେବେ ଓ କେଉଁଠି ସ୍ଥଳ ଭାଗ ଛୁଇଁବ ତାହା ୭-୮ ତାରିଖ ବେଳକୁ ସ୍ପଷ୍ଟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.