ସେକେଣ୍ଡ ୱେଭ୍ ସରିନି, ମିଳିଲାଣି ତୃତୀୟ ଲହର ଆଭାସ

କେନ୍ୟୁଜ୍(ବ୍ୟୁରୋ):  ସେକେଣ୍ଡ ୱେଭ୍‌ ସଂକ୍ରମଣ କମିଛି, କିନ୍ତୁ ସରିନି। ହେଲେ ଏବେଠାରୁ ଥାର୍ଡ ୱେଭ୍‌ ଚିନ୍ତା। ଥାର୍ଡୱେଭ୍‌ ଆଶଙ୍କା କଣ ସତ ହେବ? ବ୍ରିଟେନ୍‌ରେ ତୃତୀୟ ଲହରର ଆଭାସ ମିଳିଲାଣି। କିଛି ଦିନହେଲା ବଢିଛି ସଂକ୍ରମଣ। କୁହାଯାଉଛି ଡେଲ୍‌ଟା ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢିଛି। କିନ୍ତୁ ଏହା କେତେ ଭୟଙ୍କର ହେବ ସେ ଆକଳନ ହୋଇ ନାହିଁ। ବ୍ରିଟେନ୍‌ରେ ଜୁନ୍‌ ୨୧ ଯାଏ କଟକଣା ରହିଛି। ତାହାକୁ କୋହଳ କରାଯିବ କି ନାହିଁ ସେ ଚିନ୍ତା କରାଯାଉଛି। ଇଟାଲୀ ଓ ଫ୍ରାନ୍‌ସରେ ପ୍ରଥମ ୱେଭ ଅପେକ୍ଷା ଦ୍ୱିତୀୟ ଓ ତୃତୀୟ ୱେଭ୍‌ ଅତି ଭୟଙ୍କର ଥିଲା। ତେଣୁ ସତର୍କ ନ ରହିଲେ, ତୃତୀୟ ଲହର ସତରେ ପରିଣତ ହେବ।

ଓଡ଼ିଶାରେ ମଧ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ମୁଖ୍ୟମନ୍ତ୍ରୀ। ଶିଶୁମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ପିଲାଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍‌ ଚିକିତ୍ସା ସୁବିଧା ବିକାଶ, ଆବଶ୍ୟକ ଉପକରଣ ଏବଂ ଔଷଧ ମହଜୁଦ ରଖିବାକୁ କୁହାଯାଇଛି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁ ରୋଗ ସମ୍ପର୍କରେ ତାଲିମ ଦିଆଯିବ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ମେଡିକାଲ୍‌ କଲେଜ ଯାଏ ମୋଟ୍‌ ୧୧ଶହ ୧୪ ଡାକ୍ତର, ୧ହଜାର ୩୬ ସ୍ୱାସ୍ଥ୍ୟକର୍ମୀ ଶିଶୁ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ନେଇ ତାଲିମ ନେବେ। ଟିକାକରଣ ଏବଂ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶ୍ରୀନାଥ ରେଡିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ଉପଦେଷ୍ଟା କମିଟି ଗଠନ କରାଯାଇଛି। ଶିଶୁଙ୍କ କୋଭିଡ୍‌କୁ ନେଇ ଡିଏମ୍‌ଇଟି ସିବିକେ ମହାନ୍ତିଙ୍କ ନେତୃତ୍ୱରେ ଗଠିତ ହୋଇଛି ୭ ଜଣିଆ କମିଟି।

ତୃତୀୟ ସଂକ୍ରମଣ ଆହୁରି ତୀବ୍ର ହେବା ନେଇ ଚର୍ଚ୍ଚା ହେଉଛି। ଅଧିକ ଆକ୍ରାନ୍ତ ହୋଇ ପାରନ୍ତି ଶିଶୁ ଓ କିଶୋର ଓ କିଶୋରୀ। ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ ଭାରିଆଣ୍ଟକୁ ନେଇ ଛନକା ପଶିଲାଣି। ଆରମ୍ଭ ହୋଇ ସାରିଲାଣି ପ୍ରସ୍ତୁତି। ମହାରାଷ୍ଟ୍ର ସରକାରଙ୍କ ଅନୁମାନ ଯଦି ଥାର୍ଡୱେଭ୍‌ ହିଟ୍‌ କରେ ତେବେ ଆକ୍ଟିଭ୍‌ କେସ ୮ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ। ସେଥିରୁ ୧୦ ପ୍ରତିଶତ ଶିଶୁ ଆକ୍ରାନ୍ତ ହୋଇ ପାରନ୍ତି। ମହାରାଷ୍ଟ୍ରରେ ପ୍ରଥମ ୱେଭ୍‌ରେ ୧୯ ଲକ୍ଷ ସଂକ୍ରମିତ ହୋଇଥିଲେ। ଦ୍ୱିତୀୟ ୱେଭ୍‌ରେ ଏ ସଂଖ୍ୟା ୪୦ ଲକ୍ଷରେ ପହଞ୍ଚିଗଲା। ତୃତୀୟ ୱେଭ୍‌ରେ କଣ ହେବ? ଏବେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି।…

ଭାରତରେ ସେକେଣ୍ଡ ୱେଭର ପ୍ରମୁଖ କାରଣ ଥିଲା ଡେଲ୍‌ଟା ଭାରିଆଣ୍ଟ। ଏହି ଭାରିଆଣ୍ଟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାଜନକ କ୍ୟାଟାଗୋରୀରେ ରଖିଥିଲା। ଏବେ ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ ସିଡିସି ଏହାକୁ ଚିନ୍ତାଜନକ କହିଛି। ଭାରତରେ ଡେଲଟା ମାଡ଼ ପରେ ଏବେ ତୃତୀୟ ୱେଭ୍‌କୁ ନେଇ ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.