ମଣିଷ ପରି ହେଲା ଛେଳିର ଶେଷକୃତ୍ୟ, ନିଃସନ୍ତାନ ଦମ୍ପତିଙ୍କ ଅନନ୍ୟ ଉଦାହରଣ

ମଣିଷ ଭଳି ଗୋଟିଏ ଛେଳିର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେ ମରିଗଲା ପରେ ତାକୁ ପୋତା ନଯାଇ ଦାହ କରାଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୁଢ଼ୀକାପୁଡି ପଞ୍ଚାୟତ ଅନ୍ତର୍ଗତ ତେନ୍ତେଳା ଗାଁ। ଛେଳିଟି ଏହି ଗାଁର । ଏଇଠି ଦେଖିବାକୁ ମିଳିଛି ମଣିଷ ଓ ପଶୁ ଭିତରେ ଥିବା ଅନାବିଳ ସମ୍ପର୍କ । ପଶୁ ଓ ମଣିଷ ଭିତରେ ଥିବା ଭଲ ପାଇବା । ଏ ସ୍ୱାମୀ ସ୍ତ୍ରୀ ପୁଅ ଭଳି ସ୍ନେହ ଦେଉଥିବା ଛେଳିଟିର ନାଁ ଦେଇଥିଲେ ମାତାଲ । ତାର ମୃତ୍ୟୁ ପରେ ମଣିଷ ସାମଜ ଭଳି ଛେଳିର ଅନ୍ତିମ ସତ୍କାର କରିଛନ୍ତି ସେମାନେ।

ବୁଢ଼ିକାପୁଡି ପଞ୍ଚାୟତ ତେନ୍ତଳା ଗ୍ରାମର ଦମ୍ପତି ଧନେଶ୍ୱର ନାଏକ ଓ ସ୍ତ୍ରୀ ମିନତି ନାଏକ । ଉଭୟଙ୍କ ବିବାହକୁ ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନେ ନିଃସନ୍ତାନ ଥିଲେ । ସନ୍ତାନ ପାଇଁ ଅନେକ ଉପଚାର କଲେ ଓ ଉପାସ ବ୍ରତ ମଧ୍ୟ ରଖିଲେ । ହେଲେ ଈଶ୍ୱରଙ୍କ ଆଶୀର୍ବାଦ ମିଳିଲା ନାହିଁ । ସେମାନେ ଗରିବ ପରିବାର ହୋଇଥିବାରୁ ଘରେ ଛେଳି ପାଳୁଥିଲେ। ସେମାନଙ୍କର ପ୍ରାୟ ୩୦ରୁ ଊର୍ଦ୍ଧ୍ଵ ଛେଳି ଅଛନ୍ତି । ହେଲେ ତାଙ୍କ ଭିତରେ ଏଇ ଛେଳି ‘ମାତାଲ’ ଥିଲା ସମ୍ପର୍ଣ୍ଣ ଅଲଗା । ନିଜର କେହି ପିଲା ନଥିବାରୁ ଛେଳିଟିକୁ ପୁଅ ଭଳି ସ୍ନେହ ଦେଉଥିଲେ । ଛେଳିଟି ତାଙ୍କ ପାଖରେ ଶୁଏ । ମଣିଷ ଭଳି ଭାତ ଭାତ ଡାଲି ଖାଏ । ଦୀର୍ଘ ୮ ବର୍ଷ ଧରି ଏହି ଦମ୍ପତି ସହ ରହିଥିଲା ମାତାଲ ।

GOAT-2

ଛେଳିଟି ଯେଉଁଠି ଥିଲେ ବି ମାତାଲ ନାଁ ଧରି ଡାକି ଦେଲେ ପାଖକୁ ଚାଲି ଆସୁଥିଲା ଆଉ ପଶୁ ଭଳି ଖାଦ୍ୟ ନ ଖାଇ ମଣିଷ ଯାହା ଖାଏ ସେଇଆ ହିଁ ଖାଉଥିଲା । ମିନତି ନିଜ କୋଳରେ ଛୁଆଟେ ଧରିବା ପାଇଁ ଅନେକ ଆଶା ବାନ୍ଧିଥିବା ବେଳେ ଭଗବାନ ତାଙ୍କ କୋଳରେ କୌଣସି ସନ୍ତାନ ନଦେବାରୁ ଏଇ ଖାସିଟି ଉପରେ ସବୁ ସ୍ନେହ ଅଜାଡ଼ି ଦେଇଥିଲେ । ତାକୁ ମା’ ଭଳି ଯତ୍ନ ନେଉଥିଲେ । ବୁଧବାର ଦିନ କୌଣସି କାରଣରୁ ଛେଳିଟିର ମୃତ୍ୟୁ ହୋଇଗଲା । ଏଥିରେ ଖୁବ୍‌ ଭାଙ୍ଗି ପଡ଼ିଲେ ସ୍ୱାମୀ ସ୍ତ୍ରୀ । ପରେ ସାହି ପଡିଶାଙ୍କୁ ଡାକି ତାର ମଣିଷ ଭଳି ଶେଷ କୃତ୍ୟ ସମ୍ପନ୍ନ କଲେ । ନିଜ ବାଡ଼ିରେ କାଠ ଲଗାଇ ଦାହ କରିଥିଲେ । ୪ ଖଣ୍ଡ ବାଉଁଶ କୋକେଇ କରି ସାହି ପଡ଼ିଶା ବନ୍ଧୁବାନ୍ଧବଙ୍କ ଗହଣରେ ଜୁଇରେ ନିଆଁ ଲଗାଇ ଛେଳି ମାତାଲର ଅନ୍ତିମ ସଂସ୍କାର କରିଥିଲେ ।

ଏବେ କରୋନା ଭୟରେ ମଣିଷର ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ନିଜ ଲୋକ ବନ୍ଧୁବାନ୍ଧବ ଶବର ପାଖ ମାଡୁ ନଥିବା ବେଳେ ଏହି ଦମ୍ପତି ଏକ ପଶୁକୁ ପୁଅ ଭଳି ସ୍ନେହ ଦେବା ସହ ତାର ମୃତ୍ୟୁ ପରେ ଶବ ସତ୍କାର କରିବା ଚର୍ଚ୍ଚାର ବିଷୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.